ନୂଆଦିଲ୍ଲୀ: ୨୦୧୮ ମାର୍ଚ୍ଚ ମାସ ୧୨ ତାରିଖରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଦୁଇ ଥର ନୁହେଁ, ଗତ ତିନିବର୍ଷ ମଧ୍ୟରେ ମହାନଦୀ ସଂକ୍ରାନ୍ତରେ ୧୯ ଥର ଶୁଣାଣି ହୋଇଛି। ହେଲେ ଏ ପର୍ଯ୍ୟନ୍ତ ମହାନଦୀ ମାମଲାରେ କୌଣସି ଗୋଟିଏ ନିଷ୍କର୍ଷ ବାହାରିପାରିଲା ନାହିଁ କିମ୍ବା ଓଡ଼ିଶା ସପକ୍ଷରେ ରାୟ ଆସିପାରିଲା ନାହିଁ। ଅର୍ଥାତ୍ ମହାନଦୀ ସମସ୍ୟାଟି ଯେଉଁଠି ଥିଲା ଏବେ ସେଇଠି ରହିଛି। ଆଜି ମହାନଦୀ ମାମଲା ଶୁଣାଣିରେ ବି ଠୋସ୍ କୌଣସି ସମାଧାନର ରାସ୍ତା ବାହାରିପାରିନାହିଁ। ବରଂ ତିନି ସପ୍ତାହ ଭିତରେ ପ୍ରସ୍ତାବ ସହମତି ପତ୍ର ଦାଖଲ କରିବା ପାଇଁ ଉଭୟ ଓଡିଶା ଓ ଛତିଶଗଡକୁ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ ନିର୍ଦେଶ ଦେଇଛନ୍ତି।
ଅନ୍ତରୀଣ ବ୍ୟବସ୍ଥା ଅନ୍ତର୍ଗତ ଅଣମୌସୁମୀ ଋତୁରେ (ନଭେମ୍ବର ରୁ ମେ’ ପର୍ଯ୍ୟନ୍ତ) ହୀରାକୁଦ ଜଳ ଭଣ୍ଡାରକୁ ଅତି କମ୍ରେ ୧.୫ ନିୟୁତ ଏକର ଫୁଟ ଜଳ ସୁନିଶ୍ଚିତ କରିବା ପାଇଁ ଓଡିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଛତିଶଗଡ଼ ବର୍ତମାନ ସୁଦ୍ଧା ଏହା ଉପରେ କୌଣସି ଉତ୍ତର ଦେଇନାହିଁ। ଏଣୁ ଏ ସଂକ୍ରାନ୍ତ ବୁଝାମଣାର ସମୟସୀମା ଧାର୍ଯ୍ୟ ଲାଗି ଓଡ଼ିଶା ଯେଉଁ ଯୁକ୍ତି ରଖିଥିଲା, ତାହା ଉପରେ ଟ୍ରିବ୍ୟୁନାଲ ପଦକ୍ଷେପ ନେଇ ଏଭଳି ନିର୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଏହି ମାମଲାର ଶୁଣାଣି ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷ ଜଷ୍ଟିସ୍ ଏ.ଏମ୍. ଖାନ୍ୱିଲକର, ଜଷ୍ଟିସ୍ ଇନ୍ଦରମିତ କୌର ଏବଂ ଜଷ୍ଟିସ୍ ରବି ରଂଜନ କରିଥିଲେ। ଓଡିଶା ପକ୍ଷରୁ ଟ୍ରିବ୍ୟୁନାଲ୍ରେ ମାମଲା ପରିଚାଳନାର ରଣନୀତିକୁ ପରିବର୍ତ୍ତନ କରାଯାଇଥିଲା। ଦେଶର ପ୍ରତିଷ୍ଠିତ ଆଇନଜୀବୀ ହରିସ ସାଲ୍ଭେଙ୍କୁ ନିୟୋଜିତ କରିଥିଲେ ରାଜ୍ୟ ସରକାର। ହରିସ୍ ସାଲ୍ଭେ ଲଣ୍ଡନରୁ ଭିଡିଓ କନଫରେନ୍ସିଂ ଜରିଆରେ ମାମଲାରେ ଯୋଡି ହୋଇଥିଲେ। ଏଣୁ ପ୍ରଥମ ଥର ପାଇଁ ଟ୍ରିବ୍ୟୁନାଲ ଦିନ ୧୧ଟା ବଦଳରେ ଘଣ୍ଟାଏ ବିଳମ୍ବରେ ଶୁଣାଣି ଆରମ୍ଭ କରିଥିଲେ।
ଏପଟେ ପୂର୍ବରୁ ଟ୍ରିବ୍ୟୁନାଲରେ ୨୦୧୮ରେ ଓଡିଶା ଦ୍ବାରା ଯେଉଁ ମଧ୍ୟବର୍ତିକାଳୀନ ଆବେଦନ ଦାଖଲ କରାଯାଇଥିଲା ତାହା ଉପରେ ବରିଷ୍ଠ ଆଇନଜୀବୀ ମୁକୁଳ ରୋହତଗୀ ଯୁକ୍ତି ଉପସ୍ଥାପନ କରିଥିଲେ। ମାମଲାର ରାୟ ଟ୍ରିବ୍ୟୁନାଲରେ ଏବେ ବି ବିଚାରାଧୀନ ରହିଛି। ଆଜି ଶ୍ରୀ ସାଲ୍ଭେ ଟ୍ରିବ୍ୟୁନାଲଙ୍କ ନିକଟରେ ମଧ୍ୟବର୍ତ୍ତୀ କାଳୀନ ଆବେଦନ ଉପରେ ପକ୍ଷ ଉପସ୍ଥାପନ କରିଥିଲେ। କହିଥିଲେ, ଅନ୍ତରୀଣ ପ୍ରସ୍ତାବର ଉତ୍ତର ପାଇଁ ଛତିଶଗଡ଼ ସମୟ ଲୋଡ଼ିଛି। ଏ ସଂକ୍ରାନ୍ତରେ ଗୋଟିଏ ନିର୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହେବା ଉଚିତ୍। ଟ୍ରିବ୍ୟୁନାଲ ଏନେଇ ତିନି ସପ୍ତାହରେ ଓଡ଼ିଶା ଓ ଛତିଶଗଡ଼କୁ ସହମତି ପ୍ରସ୍ତାବ ଏଗ୍ରିଡ୍ ଅପୋନ ପ୍ରପୋଜାଲସ୍ (AGREED UPON PROPOSALS) ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯଦି ନିର୍ଦ୍ଧାରିତ ସମୟ ଅବଧିରେ ଏହା ହୋଇପାରିବ ନାହିଁ ତାହାହେଲେ ଟ୍ରିବ୍ୟୁନାଲ ପରବର୍ତ୍ତୀ ଶୁଣାଣି ପାଇଁ ଅଗ୍ରସର ହେବେ ବୋଲି କହିଥିଲେ। ତେବେ ଆଜିର ଶୁଣାଣିରେ ଟ୍ରିବ୍ୟୁନାଲ କମନ୍ ଇନ୍ଫରମେସନ ଫର୍ମାଟ ଚୂଡ଼ାନ୍ତ ହୋଇ ନଥିବା ପରିପ୍ରେକ୍ଷୀରେ କୌଣସି ପ୍ରକାର ନିର୍ଦ୍ଦେଶନାମା ଜାରି କରିନଥିଲେ। ଟ୍ରିବ୍ୟୁନାଲଙ୍କ ପୂର୍ବ ଆଦେଶ ଅନ୍ତର୍ଗତ ଟ୍ରିବ୍ୟୁନାଲର ଦୁଇ ଆସେସର ଉଭୟ ରାଜ୍ୟର ବୈଷୟିକ ଟିମ୍ସହ ବୈଠକ କରି କମନ୍ ଇନ୍ଫରମେସନ ଫର୍ମାଟରେ ପ୍ରସଙ୍ଗ ଭିତ୍ତିକ ତଥ୍ୟ ସମ୍ମିଳତ କରିବା ଔପଚାରିକତାକୁ ଶେଷ କରୁଥିବା ବେଳେ ଛତିଶଗଡ଼ ପକ୍ଷରୁ ଶେଷ ମୁହୂର୍ତ୍ତରେ ଆଉ ଦୁଇ-ତିନୋଟି ପ୍ରସଙ୍ଗକୁ ଫର୍ମାଟରେ ଯୋଡ଼ିବା ପାଇଁ ଟ୍ରିବ୍ୟୁନାଲଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବୁଧବାର (୧୦ ତାରିଖ) ସୁଦ୍ଧା ଗୋଟିଏ ସାରଣୀ ପ୍ରସ୍ତୁତ କରି ଯେଉଁସବୁ ତଥ୍ୟ ଗୁଡ଼ିକ କମନ୍ ଇନ୍ଫରମେସନ୍ ଫରର୍ମାଟ୍ରେ ଲିଙ୍କ କରାଯିବାର ଦାବି ରହିବ ତାହାକୁ ଦାଖଲ କରିବା ପାଇଁ ଛତିଶଗଡ଼କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଭିଡ଼ିଓ କନ୍ଫରେସିଂ ଜରିଆରେ ଆଜି ହୋଇଥିବା ଶୁଣାଣିରେ ଟ୍ରିବ୍ୟୁନାଲ ଉଭୟ ରାଜ୍ୟକୁ କେନ୍ଦ୍ରୀୟ ସଂସ୍ଥାମାନଙ୍କ ଠାରୁ ଲୋଡ଼ାଯାଇଥିବା ତଥ୍ୟ ଓ ନଥିପତ୍ର ଉପଲବ୍ଧତାର ସ୍ଥତି ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଏନେଇ ଟ୍ରିବ୍ୟୁନାଲଙ୍କୁ କେନ୍ଦ୍ରୀୟ ସଂସ୍ଥାମାନଙ୍କ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାପ୍ତ ହୋଇଥିବାର ଦସ୍ତାବିଜ ସମ୍ପର୍କରେ ଅବଗତ କରାଇବା ସହିତ ତଥା ଅନେକ ତଥ୍ୟ ଉପଲବ୍ଧ ହୋଇପାରି ନଥିବାର ମଧ୍ୟ ଜଣାଇଥିଲେ। ଯେଉଁସବୁ ନଥିପତ୍ର ମିଳିଛି, ସେଗୁଡ଼ିକର ତଜର୍ମା କରାଯାଉଥିବା ଦୁଇ ରାଜ୍ୟ ଟ୍ରିବ୍ୟୁନାଲଙ୍କୁ ଅବଗତ କରିଥିଲେ। ପରବର୍ତ୍ତୀ ଶୁଣାଣି ସମୟରେ ଏନେଇ ଏକ ସ୍ପଷ୍ଟଚିତ୍ର ଟ୍ରିବ୍ୟୁନାଲରେ ଉପସ୍ଥାପନ କରାଯିବ ବୋଲି ଉଭୟ ରାଜ୍ୟ ଟ୍ରିବ୍ୟୁନାଲକୁ କହିଥିଲେ।
ଆଜି ଓଡ଼ିଶା ପକ୍ଷରୁ ମଧ୍ୟବର୍ତିକାଳୀନ ଆବେଦନର ଯୁକ୍ତି ଉପସ୍ଥାପନ ହରିସ ସାଲଭେ କରିଥିବା ବେଳେ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା କମନ୍ ଇନ୍ଫରମେଶନ ଫର୍ମାଟ ଓ ଅନ୍ୟ ଦୁଇଟି ପ୍ରସଙ୍ଗରେ ମାମଲା ପରିଚାଳନା କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଟ୍ରିବ୍ୟୁନାଲ ମାର୍ଚ୍ଚ ୧୩କୁ ଧାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆସନ୍ତାମାସ ୧୨ରେ ଟ୍ରିବ୍ୟୁନାଲ ଗଠନର ତିତି ବର୍ଷ ପୂର୍ତ୍ତି ହେବ। ବର୍ତ୍ତମାନ ସୁଦ୍ଧା ଟ୍ରିବ୍ୟୁନାଲ ୧୯ ଥର ଶୁଣାଣି କରିସାରିଛନ୍ତି। ଓଡ଼ିଶାର ମଧ୍ୟବର୍ତିକାଳୀନ ଆବେଦନର ଶୁଣାଣି ଶେଷ ହୋଇ ଦୀର୍ଘ ଦିନରୁ ରାୟ ସଂରକ୍ଷିତ ରହିଛି।