ଏପ୍ରିଲ ୧୮କୁ ଘୁଞ୍ଚିଲା ମହାନଦୀ ମାମଲାର ଶୁଣାଣି

ନୂଆଦିଲ୍ଲୀ : ଏପ୍ରିଲ ୧୮ ତାରିଖକୁ ମହାନଦୀ ଜଳବିବାଦ ମାମଲାର ଶୁଣାଣି ଘୁଞ୍ଚିଯାଇଛି। ଆଜି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ ଏମ ଖାନଵିଲଙ୍କର ଖଣ୍ଡପୀଠରେ ହୋଇଥିବା ସଂକ୍ଷିପ୍ତ ଶୁଣାଣିରେ ଓଡ଼ିଶା ଓ ଛତିଶଗଡ଼ ଦ୍ବାରା ଟ୍ରିବ୍ୟୁନାଲଙ୍କ ପୂର୍ବ ଆଦେଶ ଅନୁଯାୟୀ ଉଭୟ ପରସ୍ପର ରାଜ୍ୟରେ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କରିସାରିଥିବା ନେଇ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଏତଦ୍ ବ୍ୟତୀତ ଟ୍ରିବ୍ୟୁନାଲରେ ଦୁଇ ରାଜ୍ୟ ଦ୍ବାରା ମହାନଦୀ ଜଳବିବାଦ ମାମଲାରେ ଦାଖଲ କରାଯାଇଥିବା ଚିଠା ପ୍ରସଙ୍ଗ ଗୁଡ଼ିକ ସମ୍ପର୍କରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ିଶା ଦ୍ବାରା ମହାନଦୀ ଜଳବିବାଦ ମାମଲାରେ ଟ୍ରିବ୍ୟୁନାଲକୁ ୨୬ଟି ପ୍ରସଙ୍ଗରେ ବିଚାର କରିବା ପାଇଁ ନିବେଦନ କରାଯାଇଥିବା ବେଳେ ଛତିଶଗଡ଼ ପକ୍ଷରୁ ସମୁଦାୟ ୧୩ଟି ଚିଠା ପ୍ରସଙ୍ଗକୁ ଗ୍ରହଣ କରି ବିଚାର କରିବା ପାଇଁ ଟ୍ରିବ୍ୟୁନାଲଙ୍କ ନିକଟରେ ଯୁକ୍ତି ଦର୍ଶାଯାଇଥିଲା। ଖଣ୍ଡପୀଠଙ୍କ ଦ୍ବାରା ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଯେଉଁ ଚିଠା ପ୍ରସଙ୍ଗ ଗୁଡ଼ିକର ତାଲିକା ଦିଆଯାଇଛି ସେଥିରେ ଉଭୟ ରାଜ୍ୟମାନଙ୍କ ଦ୍ବାରା ଅନେକ ପ୍ରସଙ୍ଗ ଗୁଡ଼ିକରେ ପୁନରାବୃତ୍ତି କରାଯାଇଛି ବୋଲି ଖଣ୍ଡପୀଠ କହିଥିଲେ। ଖଣ୍ଡପୀଠ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯୁଗ୍ମ ବୈଠକ କରାଯାଇ ଚିଠା ପ୍ରସଙ୍ଗ ଗୁଡ଼ିକୁ ପୁଣି ଥରେ ଚୂଡ଼ାନ୍ତ କରି ଦାଖଲ କରାଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ, ଯାହାଦ୍ବାରା ଚିଠା ପ୍ରସଙ୍ଗ ଗୁଡ଼ିକ ଶୁଣାଣି ପାଇଁ ଧାର୍ଯ୍ୟ କରାଯିବ। ଚିଠା ପ୍ରସଙ୍ଗ ଗୁଡ଼ିକ ଚୂଡ଼ାନ୍ତ କରିବା ପାଇଁ ଯଦି ଆବଶ୍ୟକ ହୁଏ ତେବେ ଦୁଇ ପକ୍ଷ କୌଣସି କେନ୍ଦ୍ରୀୟ ଏଜେନ୍ସିର ସହାୟତା ନେଇ ପାରିବେ ବୋଲି କୋର୍ଟ ମତ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଖଣ୍ଡପୀଠ ଏପ୍ରିଲ ୧୮କୁ ତାରିଖ ଧାର୍ଯ୍ୟ କରିଛନ୍ତି। ଶୁଣାଣି ଶେଷ ହେବା ପରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା କହିଥିଲେ ଚିଠା ପ୍ରସଙ୍ଗ ଗୁଡ଼ିକୁ ଚୂଡ଼ାନ୍ତ କରିବା ପାଇଁ ଖୁବ୍ ଶୀଘ୍ର ଦୁଇ ରାଜ୍ୟର ଓକିଲମାନଙ୍କ ବୈଠକରେ ଆଲୋଚନା କରାଯିବ।

ସମ୍ବନ୍ଧିତ ଖବର