ମାଳଦ୍ବୀପକୁ ଲୁଟୁଛି ଚୀନ୍‌

O ଚଢ଼ା ଦରରେ ପ୍ରକଳ୍ପ ନିର୍ମାଣ କରୁଛି O ଭାରତର ସହାୟତା ଲୋଡ଼ିଲା

ନୂଆଦିଲ୍ଲୀ: ଚୀନ୍‌ ଏହାର ବିସ୍ତାରବାଦୀ ଚିନ୍ତାଧାରାକୁ ସାକାର କରିବା ପାଇଁ ପଡ଼ୋଶୀ ରାଷ୍ଟ୍ରକୁ ଋଣ ବୋଝରେ ଘାଇଲା କରିପକାଉଛି। ମାଳଦ୍ବୀପ ଏହି ବୋଝରେ ଏବେ ଛଟପଟ ହେଉଛି। ରାଷ୍ଟ୍ରରେ ଅଧିକାଂଶ ଭିତ୍ତିଭୂମି ବା ଅନ୍ୟ ପ୍ରକଳ୍ପ କାମ ଚୀନ୍‌ ପ୍ରଦତ୍ତ ଋଣ ଦ୍ବାରା ଜାରି ରହିଛି। ଏହାକୁ ନେଇ ଏବେ ନବନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲିହ ବେଶ୍‌ ଚିନ୍ତିତ ଅଛନ୍ତି। ସେ ଏଥିଲାଗି ଭାରତର ସହାୟତା ଲୋଡ଼ିଛନ୍ତି।
ମାଳଦ୍ବୀପ ଉପରେ ଚୀନ୍‌ର ଋଣ ପରିମାଣ ୩୨୦ କୋଟି ଡଲାର ରହିଛି। ପୂର୍ବତନ ରାଷ୍ଟ୍ରପତି ଅବ୍‌ଦୁଲ୍ଲା ୟାମିନ୍‌ଙ୍କ ଯୋଗୁ ଏହା ବୃଦ୍ଧି ପାଇଛି। ଏହା ସୋଲିହଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ସୋଲିହ ଶାସନ ଭାର ହାତକୁ ନେବା ପରେ ପ୍ରଥମେ ଚୀନ୍‌ ଋଣର ସମୀକ୍ଷା କରିଥିଲେ। ଅଧିକାଂଶ ପ୍ରକଳ୍ପରେ ଚୀନ୍‌ ପ୍ରଦତ୍ତ ଋଣ ଲାଗିଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଚୀନ୍‌ ତୁଳନାତ୍ମକ ଭାବେ ଅଧିକ ସୁଧ ହାରରେ ଋଣ ଯୋଗାଇ ଦେଇଛି। ଅନ୍ୟ ରାଷ୍ଟ୍ରଗୁଡ଼ିକ ଯେଉଁ ହାରରେ ଋଣ ଦିଅନ୍ତି, ତାହାଠାରୁ ଢେର ଅଧିକ ହାରରେ ଋଣ ଆଣିବା ଏବେ ମାଳଦ୍ବୀପ ପାଇଁ ମହଙ୍ଗା ପଡ଼ିଛି। ତଥାପି ଚୀନ୍‌ର ସମସ୍ତ ଋଣ ପରିଶୋଧ ପାଇଁ ସୋଲିହ ପ୍ରତିଶ୍ରୁତି ଦେଇଛନ୍ତି।
ନୂଆଦିଲ୍ଲୀ ଗସ୍ତରେ ଆସିଥିବା ଦେଶର ଅର୍ଥମନ୍ତ୍ରୀ ଇବ୍ରାହିମ୍‌ ଅମିର୍‌ କହିଛନ୍ତି ଯେ ଦେଶର ଅଧିକାଂଶ ପ୍ରକଳ୍ପରେ ଚୀନ୍‌ର ଋଣ ଲାଗିଥିବା ବେଳେ ସୁଧ ହାର ଉଚ୍ଚା ରହିଛି। ଅଧିକାଂଶ ପ୍ରକଳ୍ପ ମଧ୍ୟରେ ପୋଲ ରହିଥିବାରୁ ଚୀନ୍‌ ଋଣକୁ ବାତିଲ କରିବା ମୁସ୍କିଲ୍‌ ହୋଇପଡ଼ିଛି। ତାଙ୍କ କହିବାନୁଯାୟୀ ମାଲେରେ ଏକ ହସ୍ପିଟାଲ୍‌ ପ୍ରକଳ୍ପ କାର୍ଯ୍ୟ ଚୀନ୍‌କୁ ପ୍ରଦାନ କରାଯାଇଥିଲା। ଏହାର ଚୁକ୍ତି ମୂଲ୍ୟ ୧୪୦ ନିୟୁତ ଡଲାର ରହିଛି, ଯେବେ କି ଅନ୍ୟ ରାଷ୍ଟ୍ର ଏଥିପାଇଁ ୫୪ ନିୟୁତ ଡଲାରର ଅଫର ଦେଇଥିଲେ। ପୋଲ ବାଦ୍‌ ରାଜପଥ, ବନ୍ଦର ମଧ୍ୟ ଚୀନ୍‌ ନିର୍ମାଣ କରୁଛି। ଉଲ୍ଲେଖଯୋଗ୍ୟ, ବାଂଲାଦେଶକୁ ଏହାର ଋଣ ଜାଲରେ ଛନ୍ଦିବାକୁ ଚୀନ୍‌ ଚେଷ୍ଟା କରୁଥିଲା। କିନ୍ତୁ ଚୀନ୍‌ର ପ୍ରକୃତ ଉଦ୍ଦେଶ୍ୟ ଜାଣିବା ପରେ ବାଂଲାଦେଶ ଏହାର ସମସ୍ତ ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା। ଏ‌ହା ନିଜସ୍ବ ପାଣ୍ଠି‌ରେ ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲା।

ସମ୍ବନ୍ଧିତ ଖବର