ସାପ ଦ୍ୱାରା କାମୁଡ଼ାଇ ହତ୍ୟା କରିଥିବା ପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ତିରୁବନନ୍ତପୁରମ: ବିଷାକ୍ତ ସାପକୁ ବ୍ୟବହାର କରି ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଜଣେ ଅଭିଯୁକ୍ତ ସ୍ୱାମୀଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି | କେରଳର କୋଲମସ୍ଥିତ ସେସନ କୋର୍ଟ ଅଭିଯୁକ୍ତ ଏସ.ସୁରଜଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୁରଜ ପ୍ରଥମେ ତାଙ୍କ ପତ୍ନୀଙ୍କୁ ନିଦ ବଟିକା ଦେଇଥିଲେ ଏବଂ ପରେ ଯେତେବେଳେ ସେ ଶୋଇପଡିଥିଲେ, ସେତେବେଳେ ସେ ବିଷାକ୍ତ ସାପକୁ ତାଙ୍କ ପତ୍ନୀଙ୍କ ପାଖରେ ଛାଡିଦେଇଥିଲେ | ଆଉ ବିଷାକ୍ତ ସାପ କାମୁଡ଼ାରେ ପତ୍ନୀଙ୍କର ପ୍ରାଣବାୟୁ ଉଡିଯାଇଥିଲା | ସୋମବାର ଅଦାଲତ ଏହାକୁ ଏକ ବିରଳ ମାମଲା ମଧ୍ୟରୁ ଅନ୍ୟତମ ବୋଲି କହିଥିଲେ | କୁହାଯାଉଛି ଯେ, ଏହା ବୋଧେ ଦେଶର ପ୍ରଥମ ମାମଲା ଯେଉଁଥିରେ ଜିଅନ୍ତା ସାପକୁ ହତ୍ୟାକାଣ୍ଡ ପାଇଁ ବ୍ୟବହାର କରାଯାଇଛି |

ତେବେ ସ୍ୱାମୀ ସୁରଜଙ୍କ ବୟସକୁ ବିଚାର କରି କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇନଥିଲେ | କେରଳ ପୁଲିସ ମୁଖ୍ୟ ଏହାକୁ ବିରଳ ମାମଲା ବୋଲି ବର୍ଣ୍ଣନା କରିଛନ୍ତି | ତେବେ ସୁରଜଙ୍କୁ ଦିଆଯାଇଥିବା ଆଜୀବନ କାରାଦଣ୍ଡକୁ ନେଇ ତାଙ୍କ ପତ୍ନୀ ଉଥରାଙ୍କ ପରିବାର ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କ ପରିବାର କହିଛନ୍ତି ଯେ ସୁରଜଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ ଏବଂ ସେମାନେ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟ ଯିବେ। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ଏହା ହେଉଛି ଏକ ବିରଳ ହତ୍ୟାକାଣ୍ଡ ମାମଲା, କିନ୍ତୁ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କ ବୟସକୁ ବିଚାର କରି ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ନାହିଁ।

photo-live hindustan

ଏହା ବ୍ୟତୀତ ତାଙ୍କର କୌଣସି ଅପରାଧିକ ଇତିହାସ ମଧ୍ୟ ନଥିଲା। ସୂଚନା ଥାଉ କି ଗତବର୍ଷ ମେ ମାସରେ ଅଭିଯୁକ୍ତ ଜଣକ ନିଜ ୨୩ ବର୍ଷୀୟ ପତ୍ନୀ ସୋଇଥିବାବେଳେ ଏକ ବିଷାକ୍ତ ସାପକୁ ତାଙ୍କ ପାଖରେ ଛାଡିଦେଇଥିଲେ | ଆଉ ସାପ କାମୁଡାରୁ ତାଙ୍କର ମୃତ୍ୟୁ ହୋଇଥିବାର ସମସ୍ତଙ୍କୁ କହିଥିଲେ | ତେବେ ପୁଲିସ ତଦନ୍ତ କରି ଏଥିରେ ସ୍ୱାମୀ ସୁରଜଙ୍କର ହାତ ଥିବା ଜାଣିବାକୁ ପାଇଥିଲା | ଆଉ ସୁରଜଙ୍କ ଗିରଫ କରି କୋର୍ଟରେ ହଜାର କରାଯାଇଥିଲା |

ସମ୍ବନ୍ଧିତ ଖବର