ମାସୁଦ ଆଜହରର ପ୍ରଳାପ : ଭାରତ ଭିତରେ ଭିତରେ ପାକିସ୍ତାନକୁ ଡରୁଛି

ମୋଦି ଦୁର୍ନୀତି ଅଭିଯୋଗରେ ଫସିଛନ୍ତି

ନୂଆଦିଲ୍ଲୀ : ଭାରତୀୟ ସେନା ଓ ସରକାରଙ୍କ କଠୋର ପଦକ୍ଷେପ ଫଳରେ ପାକିସ୍ତାନୀ ଆତଙ୍କବାଦୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଆମ ସେନାର ସାମନା କରି ନପାରି ଏବେ ସେଠାକାର ଆତଙ୍କି ମୁଖିଆମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆପତ୍ତିଜନକ ଭାଷା ପ୍ରୟୋଗ କରୁଛନ୍ତି । ନିକଟରେ ଜୈଶ ଏ ମହମ୍ମଦ ମୁଖିଆ ଅଜହର  ଏକ ନୂଆ ଅଡିଓ ଜାରି କରି ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଛି । ସେ କହିଛି ଯେ ଭଲ ହୋଇଛି, ମୋଦି ଦୁର୍ନୀତି ଅଭିଯୋଗରେ ଫସିଛନ୍ତି । ଯଦି ପାକିସ୍ତାନ ସରକାର ତା ଉପରୁ ସମସ୍ତ କଟକଣା ହଟାଇ ଦିଅନ୍ତି ତେବେ କଶ୍ମୀରରେ ଥିବା ତାର ଆତଙ୍କବାଦୀମାନେ ଭାରତକୁ ଉଚିତ ଶିକ୍ଷା ଦେଇ ପାରନ୍ତେ ବୋଲି ଅଡିଓରେ କହିଛି ଅଜହର । ମାତ୍ର ୬ ମାସ ପାଇଁ କଟକଣା ହଟାଇ ଦେଲେ ଭାରତକୁ ତା ଭାଷାରେ ଜବାବ ଦେବୁ ବୋଲି ଅଜହର ଧମକ ଦେଇଛି । ସେ ଆହୁରି ମଧ୍ୟ କହିଛି ଭାରତ ଉପରେ ଉପରେ କେବଳ ପାକିସ୍ତାନକୁ ଧମକ ଦେଉଛି, କିନ୍ତୁ ଭିତରେ ଭିତରେ ଭାରତ ପାକିସ୍ତାନକୁ ପ୍ରବଳ ଡରୁଛି ।

ଏହା ସହ ଅଡିଓରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟ୍ କରିଛି ଅଜହର ।  ଏବେ ଭାରତୀୟ ସେନାମୁଖ୍ୟଙ୍କୁ ମୋଦି ଆଗକୁ ଛାଡି ଦେଇଛନ୍ତି, ଯିଏ ପାକିସ୍ତାନକୁ ଧମକ ଦେଉଛନ୍ତି । ପାକିସ୍ତାନର ପୂରୁଣା ଭୁଲ ଯୋଗୁ ହିଁ ଭାରତ ଅଧିକ ସାହସ ଦେଖାଉଛି । କିନ୍ତୁ ଏବେ ଭାରତ ଯୁଦ୍ଧ କରିବାର ଭୁଲ କରିବ ନାହିଁ । କଶ୍ମୀରର ଜିହାଦୀମାନେ ହିଁ ଭାରତକୁ ପରାସ୍ତ କରିପାରିବେ । ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଭାରତରେ ଚାଲିଥିବା ବିତର୍କକୁ ମଧ୍ୟ ନିଜ ଅଡିଓରେ ପ୍ରସଙ୍ଗ କରିଛି ଅଜହର ।

ସମ୍ବନ୍ଧିତ ଖବର