ମେଘାଳୟ ଖଣି ଦୁର୍ଘଟନା: ଆଉ ଜଣେ ଶ୍ରମିକଙ୍କ କଙ୍କାଳ ଠାବ

ଶିଲଙ୍ଗ୍‌: ରବିବାର ଦିନ ଭାରତୀୟ ନୌସେନା ମେଘାଳୟର ପୂର୍ବ ଜଇନ୍ତିଆ ଜିଲ୍ଲାର ୩୭୦ ଫୁଟ୍‌ ଗଭୀର କୋଇଲା ଖଣି ମଧ୍ୟରେ ଗୋଟିଏ ନର କଙ୍କାଳ ଠାବ କରିଛି। କଙ୍କାଳଟି ସମ୍ଭବତଃ ଖଣି ମଧ୍ୟରେ ଅଟକି ରହିଯାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ଜଣଙ୍କର। ଗତବର୍ଷ ଡିସେମ୍ବର ୧୩ ତାରିଖ ଦିନ କସନ୍‌ ଅଞ୍ଚଳର ଲୁମ୍‌ଥାରି ଗାଁ ନିକଟରେ ଥିବା ଏକ ବେଆଇନ୍‌ କୋଇଲା ଖଣି ମଧ୍ୟରେ ଲାଇଟିନ୍‌ ନଦୀର ପାଣି ପ୍ରବେଶ କରିବାରୁ ସେଥିରେ ଥିବା ଅନ୍ୟୂନ ୧୫ ଜଣ ଶ୍ରମିକ ବାହାରକୁ ଆସି ପାରି ନ ଥିଲେ।

ପୂର୍ବରୁ ଦୁଇଟି ଗଳିତ ଶବ ଠାବ କରାଯାଇ ଥିଲା ଏବଂ ସେଥିରୁ ଗୋଟିକୁ ଉଦ୍ଧାର କରିବା ସମ୍ଭବ ହୋଇଥିଲା।

ରବିବାର ଦିନ ଏହି ଉଦ୍ଧାର କାର୍ଯ୍ୟ ୭୪ ଦିନରେ ପହଞ୍ଚିଛି। ଜଣେ ବରିଷ୍ଠ ଜିଲ୍ଲା ଅଧିକାରୀ କହିଛନ୍ତି କି, ଭାରତୀୟ ନୌସେନାର ରୋଭ୍‌ ରବିବାର ଦିନ ଖଣି ମଧ୍ୟରେ ଅଟକି ରହିଯାଇଥିବା ତୃତୀୟ ଶ୍ରମିକଙ୍କ କଙ୍କାଳ ଅତଳ ଗଭୀରରେ ଠାବ କରିଛି। ସେଇଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।

ସେ ଆହୁରି କହିଛନ୍ତି, ୩୭୦ ଫୁଟ୍‌ ଗଭୀର ଖଣିର ତଳ ଠାରୁ ୧୫୦ ଫୁଟ୍‌ ଦୂରରେ ଏହି କଙ୍କାଳଟି ଠାବ ହୋଇଛି।

ଗତ ମାସରେ ଠାବ ହୋଇଥିବା ଦ୍ୱିତୀୟ କଙ୍କାଳଟି ରୋଭ୍‌ର ଜାବରୁ ଖସି ଯାଇ ହଜି ଯାଇଛି। ତାହାକୁ ଠାବ କରିବାକୁ ପୁଣି ଉଦ୍ୟମ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର