ବାଚସ୍ପତି ପଦ: ଦୌଡ଼ରେ ମେନକା, ରାଧାମୋହନ

ନୂଆଦିଲ୍ଲୀ: ଲୋକସଭାର ବଜେଟ ଅଧିବେଶନ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ। ୧୯ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ବିଜେପିର ସଂଖ୍ୟା ଗରିଷ୍ଠତା ଥିବାରୁ ଏହି ଦଳର ପ୍ରାର୍ଥୀ ହିଁ ବାଚସ୍ପତି ହେବେ। ଏଥିପାଇଁ ଅନେକ ଏମପିଙ୍କ ନାମ ଚର୍ଚା ହେଉଛି। ‌ ବିଶେଷକରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ, ରାଧାମୋହନ ସିଂହ ଏବଂ ବିରେନ୍ଦ୍ର କୁମାରଙ୍କ ଭଳି ନେତାଙ୍କ ନାମ ଅଧିକ ଶୁଣାଯାଉଛି। ଏତଦ୍ ବ୍ୟତୀତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଏବଂ ଏସ. ଏସ. ଆଲୁୱାଲିଆଙ୍କୁ ଏହି ଚୌକିରେ ବସାଇବା ସମ୍ପର୍କରେ ଆଲୋଚନା ହେଉଛି। ତେବେ ଦୌଡ଼ର ସବୁଠୁ ଆଗରେ ମେନକା ରହିଛନ୍ତି। ବର୍ତମାନର ଲୋକସଭାରେ ସେ ସବୁଠୁ ଅଭିଜ୍ଞ ଏମପି। ସେ ୮ଥର ଏମପି ହେଲେଣି। ତାଙ୍କୁ କାମଚଳା ବା ପ୍ରୋଟେମ୍‌ ସ୍ପକର କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।

ସେହିଭଳି ଦଳୀୟ ସଂଗଠନରେ ଯଥେଷ୍ଟ ପ୍ରଭାବ ଥିବା ୬ ଥରର ‌ଏମପି ରାଧାମୋହନ ସିଂହ ମଧ୍ୟ ବାଚସ୍ପତି ପଦ ପାଇଁ ଅନ୍ୟତମ ଦାବିବାର ରହିଛନ୍ତି। ବିରେନ୍ଦ୍ର କୁମାର ଜଣେ ଦଳିତ ନେତା ହୋଇଥିବାରୁ ତାଙ୍କୁ ମଧ୍ୟ ବାଚସ୍ପତି କରାଯାଇପାରେ। ଆଲୁୱାଲିଆ ପୂର୍ବରୁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରହିସାରିଛନ୍ତି। ତେଣୁ ଗୃହ ଚଳାଇବା ଲାଗି ପର୍ଯ୍ୟାପ୍ତ ଦକ୍ଷତା ତାଙ୍କ ନିକଟରେ ରହିଛି। ଏସବୁ ବ୍ୟତୀତ ଦଳ ପକ୍ଷରୁ ଦକ୍ଷିଣ ଭାରତରୁ ଜଣେ ଏମପିଙ୍କୁ ମଧ୍ୟ ବାଚସ୍ପତି କରାଯିବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ।

ସମ୍ବନ୍ଧିତ ଖବର