ଫେରିଥିବା ପ୍ରବାସୀ ଶ୍ରମିକ ଭିଟାମାଟି ଛାଡ଼ିବାକୁ ଅମଙ୍ଗ

ଭୋପାଳ: କୋଭିଡ୍ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ସ୍ଥିତି ପୂର୍ବରୁ ଦେଶର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରୁଥିବା ମଧ୍ୟପ୍ରଦେଶର ପ୍ରବାସୀ ଶ୍ରମିକମାନେ ପରିସ୍ଥିତି ଯେତେ ସୁଧୁରିଲେ ବି ପୁରୁଣା କର୍ମସ୍ଥଳ ଯିବାକୁ ରାଜି ନୁହଁନ୍ତି। ସେମାନଙ୍କ ଭିତରୁ ପ୍ରତି ୧୦ ଜଣରୁ ନଅ ଜଣଙ୍କୁ ବେକାରି ଚିନ୍ତା ଭୀଷଣ ଭାବେ ଘାରିଥିଲେ ବି ସେମାନେ ଏବେ ନିଜ ରାଜ୍ୟ ଛାଡି଼ିବାକୁ ଅମଙ୍ଗ ହେଉଛନ୍ତି। ମଧ୍ୟପ୍ରଦେଶର ସ୍ବେଚ୍ଛାସେବୀ ଅନୁଷ୍ଠାନ ବିକାଶ ସମ୍ବାଦ ଦ୍ବାରା ରାଜ୍ୟର ପ୍ରବାସୀ ଶ୍ରମିକଙ୍କ ଉପରେ କରାଯାଇଥିବା ଅନୁଧ୍ୟାନରୁ ଏପରି ଉପସଂହାର ମିଳିଛି। ଏହି ସର୍ବେକ୍ଷଣରେ ସାମିଲ ହୋଇଥିବା ରାଜ୍ୟର ମୁଖ୍ୟତଃ ଦାଦନ ଶ୍ରମିକ ବହୁଳ ୧୦ଟି ଜିଲ୍ଲାରୁ ୩୧୦ ଜଣ ପ୍ରବାସୀ ଶ୍ରମିକ ସେମାନେ କୌଣସି ପରିସ୍ଥିତିରେ ବି ଭିଟାମାଟି ଛାଡ଼ିବା ବୁଦ୍ଧିମାନର କାମ ନୁହେଁ ବୋଲି କହିଛନ୍ତି। ପ୍ରକୃତରେ ପ୍ରବାସୀ ଶ୍ରମିକମାନଙ୍କର ଆର୍ଥିକ ସ୍ଥିତି ଜାଣିବା ପାଇଁ ଏପରି ଏକ ଦ୍ରୁତ ସବେର୍କ୍ଷଣ କରାଯାଇଥିଲା।

ଏଥି ସହିତ ସେମାନେ ରାଜ୍ୟକୁ ଫେରିବା ପରେ ଏଠାରେ ଉପଲବ୍ଧ ଥିବା କର୍ମସଂସ୍ଥାନ ଏବଂ ସେମାନେ ସମ୍ମୁଖୀନ ହେଉଥିବା ନାନାଦି ସମସ୍ୟା ଉପରେ ମଧ୍ୟ ପ୍ରଶ୍ନ କରାଯାଇଥିଲା। ମିଳିଥିବା ତଥ୍ୟ ଅନୁଯାୟୀ, ଏହି ଶ୍ରମିକମାନଙ୍କ ମଧ୍ୟରୁ ସାଢେ଼ ୪୫ ପ୍ରତିଶତ ହିଁ ନିଜ ପରିବାର ସହ ପ୍ରବାସ ଯାଇଥିଲେ। ଏପରିକି ପରିବାର ଲୋକଙ୍କ ଭିତରୁ ୫୦ ପ୍ରତିଶତଙ୍କୁ ବି ସେଠାରେ ରୋଜଗାରର ପନ୍ଥା ମିଳିଯାଇଥିଲା। ସେହିପରି ପରିବାରକୁ ସାଙ୍ଗରେ ନେଇନଥିବା ସାଢେ଼ ୫୪ ପ୍ରତିଶତ ପ୍ରବାସୀ ନିଜ ରୋଜଗାରର ୬୦ରୁ ୭୦ ପ୍ରତିଶତ ଅର୍ଥ ନିୟମିତ ବ୍ୟବଧାନରେ ଘରକୁ ପଠାଉଥିଲେ। ଏହି ପ୍ରବାସୀମାନଙ୍କ ବୟସକୁ ବିଚାରକୁ ନେଲେ ୪୩ ପ୍ରତିଶତ ପରି ସିଂହଭାଗ ହେଉଛନ୍ତି ୨୬ରୁ ୪୦ ବର୍ଷ ବୟସର। ସେହିପରି ୩୨ ପ୍ରତିଶତ ହେଉଛନ୍ତି ୧୮ରୁ ୨୬ ବର୍ଷ ବୟସର ଏବଂ ବାକିତକ ୪୦ ବର୍ଷରୁ ଅଧିକ। ମୋଟାମୋଟି ଭାବେ ୫୧ ପ୍ରତିଶତ ପ୍ରବାସୀ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ୨୧ ପ୍ରତିଶତ ଦିନ ମଜୁରିଆ ଭାବେ ବିଭିନ୍ନ ଘରୋଇ କାର୍ଯ୍ୟାଳୟରେ ଖଟୁଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଲା ସେମାନଙ୍କ ମଧ୍ୟରୁ ସାଢେ଼ ୫୪ ପ୍ରତିଶତ ହିଁ ଆଉ ପୁରୁଣା ସ୍ଥାନକୁ ଯିବାକୁ ଚାହୁନାହାନ୍ତି। ସେହିପରି ସେଠାକାର ପରିସ୍ଥିତି ଦେଖି ସେଠାକୁ ୨୪ ପ୍ରତିଶତ ଯିବାକୁ ମନ କରିବେ ବୋଲି କହିଥିବା ବେଳେ ନିଜ ରାଜ୍ୟରେ ଉପଯୁକ୍ତ କର୍ମସଂସ୍ଥାନ ନଥିବାରୁ ୨୧ ପ୍ରତିଶତ ପୁରୁଣା ସ୍ଥାନକୁ ଅନିଚ୍ଛା ସ‌େତ୍ତ୍ବେ ଛାଡ଼ି ଯି‌ବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର