କୋଭିଡ-୧୯ ଉପରେ ମନ୍ତ୍ରୀଗୋଷ୍ଠୀର ୧୫ତମ ବୈଠକ

ଅଧିକ ସଂକ୍ରମିତ ଅଞ୍ଚଳ ଏବଂ ମୃତ୍ୟୁ ମାମଲା ପ୍ରତି ଦୃଷ୍ଟି ଦେବା ଉପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ

ନୂଆଦିଲ୍ଲୀ : କୋଭିଡ-୧୯ ଉପରେ ଉଚ୍ଚସ୍ତରୀୟ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ)ର ୧୫ତମ ବୈଠକ ଆଜି ନୂଆଦିଲ୍ଲୀସ୍ଥିତ ନିର୍ମାଣ ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଅଧ୍ୟକ୍ଷତା କରିଥିବା ବେଳେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ, ଜାହାଜ ଚଳାଚଳ ଓ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ, ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ସିଂ ରାଓ୍ବତ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ଅବସରରେ ବିଶ୍ବସ୍ତରରେ ଏବଂ ଦେଶ ଭିତରେ କୋଭିଡ-୧୯ ମାମଲାର ସ୍ଥିତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ବର୍ତ୍ତମାନ ବିଶ୍ବରେ ୪୨,୪୮,୩୮୯ ଜଣ ଲୋକ କୋଭିଡ-୧୯ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ୬.୯୨% ହାରରେ ୨,୯୪,୦୪୬ ଜଣ ପ୍ରାଣ ହରାଇଛନ୍ତି। ଅପରପକ୍ଷରେ ଭାରତରେ ମୋଟ କୋଭିଡ-୧୯ସଂକ୍ରମିତଙ୍କ ସଂଖ୍ୟା ୮୧,୯୭୦ରେ ପହଞ୍ଚିଥିବା ବେଳେ ୩.୨୩% ହାରରେ ୨୬୪୯ ଜଣ ପ୍ରାଣ ହରାଇଛନ୍ତି। ବର୍ତ୍ତମାନସୁଦ୍ଧା ମୋଟ ୨୭୯୨୦ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୬୮୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଦେଶରେ ଆରୋଗ୍ୟ ହାର ୩୪.୦୬%ରେ ପହଞ୍ଚିଛି। ଏହି ଅବସରରେ ଉଲ୍ଲେଖ କରାଯାଇଥିଲା ଯେ ଲକଡାଉନ ପୂର୍ବରୁ ସଂକ୍ରମିତଙ୍କ ମାମଲା ଦ୍ବିଗୁଣିତ ହେବାର ହାର ୩.୪ଦିନ ଥିବା ବେଳେ ଗତ ସପ୍ତାହରେ ଏହା ୧୨.୯ ଦିନରେ ପହଞ୍ଚିଛି ।

କୋଭିଡ-୧୯ର ଅବରୋଧ ରଣନୀତି ଏବଂ ମୁକାବିଲା ବିଭିନ୍ନ ଦିଗ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ଗୋଷ୍ଠୀ ସମୀକ୍ଷା କରିଥିଲେ। ପ୍ରବାସୀ ଶ୍ରମିକ ଏବଂ ବିଦେଶରେ ରହୁଥିବା ନାଗରିକମାନେ ଫେରିବା କାରଣରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

ଅବରୋଧ ଅଞ୍ଚଳ ପାଇଁ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ସୁପାରିସ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଗୋଷ୍ଠୀକୁ ଅବଗତ କରାଯାଇଥିଲା। ଇତିମଧ୍ୟରେ ଦେଶରେ ମେଡ଼ିକାଲ ଭିତ୍ତିଭୂମି ବୃଦ୍ଧି ପାଇଛି। ମୋଟ ୮୬୯୪ଟି ଚିକିତ୍ସା ସୁବିଧା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏସବୁରେ ମୋଟ ୨,୭୭,୪୨୯ ଶଯ୍ୟା ରହିଛି, ଗୁରୁତର ରୋଗୀଙ୍କ ପାଇଁ ୨୯୭୦୧ ଆଇସିୟୁ ଶଯ୍ୟା ଓ ୫୧୫୨୫୦ ଆଇସୋଲେନ କେୟାର ସେଣ୍ଟର ରହିଛି। ଆହୁରି ଆଜି ସୁଦ୍ଧା ଦେଶରେ କୋଭିଡ-୧୯ ମୁକାବିଲା ଲାଗି ୧୮୮୫୫ ଭେଣ୍ଟିଲେଟର ପ୍ରସ୍ତୁତ ରଖାଯାଇଛି।

ସାରା ଦେଶରେ ୫୦୯ଟି ସରକାରୀ ଓ ଘରୋଇ ପରୀକ୍ଷାଗାର ସହାୟତାରେ ଦୈନିକ ନମୁନା ପରୀକ୍ଷଣ ସଂଖ୍ୟା ୧ଲକ୍ଷକୁ ବୃଦ୍ଧି ପାଇଛି।

ବିଭିନ୍ନ ଦେଶରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ଲାଗି ଗୃହ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ମିଶି ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନସୁଦ୍ଧା ୧୨ ହଜାର ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇ ସେମାନଙ୍କୁ ସେମାନଙ୍କ ରାଜ୍ୟରେ ସଙ୍ଗରୋଧରେ ରଖାଯାଇଛି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ପ୍ରୀତି ସୁଦାନ, ଓଏସଡି ତଥା ସଚିବ ରାଜେଶ ଭୂଷଣ, ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖାରୋଲା, ବାଣିଜ୍ୟ ସଚିବ ଅନୁପ ୱାଧୱାନ, ଆଇସିଏମଆର ଡିଜି ପ୍ରଫେସର ବଳରାମ ଭାର୍ଗବ, ଆଇଟିବିପି ଡିଜି ଆନନ୍ଦ ସ୍ବରୂପ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅନୀଲ ମଲିକ, ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡ. ସିଏସ ମହାମାତ୍ର, ଅର୍ଥନୈତିକ ବ୍ୟାପାର ଅତିରିକ୍ତ ସଚିବ ଡ ସିଏସ ମହାମାତ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରତିନିଧିଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର