ମନ୍ତ୍ରୀଙ୍କ ଟିପ୍ପଣୀ: କ୍ଷମା ମାଗିଲେ ମମତା

କୋଲକାତା : ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଦେଇଥିବା ଅପମାନଜନକ ଟିପ୍ପଣୀ ପାଇଁ ସୋମବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷମା ମାଗିଛନ୍ତି। ମମତା କହିଛନ୍ତି, ଆମେ ରାଷ୍ଟ୍ରପତିଙ୍କୁ ସମ୍ମାନ କରୁ। ରାଷ୍ଟ୍ରପତି ଖୁବ୍‌ ଭଲ ମହିଳା। ମୋ ବିଧାୟକଙ୍କ ଟିପ୍ପଣୀ ପାଇଁ ମୁଁ କ୍ଷମା ମାଗୁଛି। ବିଧାୟକ ଅଖିଳ ଗିରି ଯାହା କହିଛନ୍ତି ଭୁଲ୍‌। ମୁଁ ତାଙ୍କ ଟିପ୍ପଣୀକୁ ନିନ୍ଦା କରୁଛି ଏବଂ ଏଥିପାଇଁ କ୍ଷମା ମାଗୁଛି।

ମମତା କହିଛନ୍ତି, ତୁମେ କିଭଳି ଦେଖିବାକୁ ଏବଂ ତୁମେ କିଭଳି ଦେଖାଯାଉଛ ତାହା ସୌନ୍ଦର୍ଯ୍ୟ ନୁହେଁ। ସୌନ୍ଦର୍ଯ୍ୟ ହେଉଛି ପ୍ରକୃତରେ ତୁ‌ମେ ଭିତରୁ କେମିତି। ମମତା କହିଛନ୍ତି, ବ୍ୟକ୍ତିଗତ ଟିପ୍ପଣୀ ଦେବା ତାଙ୍କ ଦଳର ସଂସ୍କୃତି ନୁହେଁ। ଗିରିଙ୍କୁ ଏଥିପାଇଁ ଚେତାଇ ଦିଆଯାଇଛି। ମମତା କହିଛନ୍ତି, ବିଧାୟକ ଯାହା କହିଛନ୍ତି, ତାକୁ ମୁଁ କଡ଼ା ନିନ୍ଦା କରୁଛି। ବ୍ୟକ୍ତିଗତ ଭାବେ ମୋର ରାଷ୍ଟ୍ରପତିଙ୍କ ପ୍ରତି ଗଭୀର ସମ୍ମାନ ରହିଛି। ବିଧାୟକଙ୍କ ଟିପ୍ପଣୀ ପାଇଁ ଦଳ କ୍ଷମା ମାଗି ସାରିଥିଲେ ମଧ୍ୟ ମୁଁ ପୁଣିଥରେ କ୍ଷମା ମାଗୁଛି।

ଉଲ୍ଲେଖଯୋଗ୍ୟ ଯେ ମନ୍ତ୍ରୀ ଅଖିଳ ଗିରି ଏକ ନିର୍ବାଚନ ରୢାଲିରେ ରାଷ୍ଟ୍ରପତିଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ। କହିଥିଲେ, ସେ (ଶୁଭେନ୍ଦୁ ଅଧିକାରୀ) କହୁଛନ୍ତି ମୁଁ ଅସୁନ୍ଦର। କିନ୍ତୁ ଆମେ କାହାକୁ କାହାର ରୂପ ଅନୁଯାୟୀ ବିଚାର କରୁନା। ଆମେ ରାଷ୍ଟ୍ରପତିଙ୍କୁ ସମ୍ମାନ ଦେଉ କିନ୍ତୁ ଆମ ରାଷ୍ଟ୍ରପତି କିପରି ଦେଖିବାକୁ। ଗିରିଙ୍କର ଏହି ଟିପ୍ପଣୀକୁ ନେଇ ବିବାଦ ହେବାପରେ ‌ସେ କ୍ଷମା ମାଗିଥିଲେ।

ସମ୍ବନ୍ଧିତ ଖବର