ଚନ୍ନିଙ୍କ ‘ୟୁପି, ବିହାର’ ଟିପ୍ପଣୀକୁ ମୋଦୀଙ୍କ କଡ଼ା ବିରୋଧ

ଅମୃତସର : ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ‘ଉତ୍ତରପ୍ରଦେଶ, ବିହାରୀ ଭାଇଙ୍କୁ ପୂରାଇ ଦେବୁନି’ ଟିପ୍ପଣୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ବିରୋଧ କରିଛନ୍ତି। ମୋଦୀ କହିଛନ୍ତି, କଂଗ୍ରେସ ସବୁବେଳେ ଗୋଟିଏ ଅଞ୍ଚଳର ଲୋକଙ୍କୁ ଅନ୍ୟ ଅଞ୍ଚଳ ବିରୋଧରେ ମୁହାଁମୁହିଁ କରାଉଛି। ଆବୋହରରେ ଗୁରୁବାର ଦିନ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ମୋଦୀ କହିଛନ୍ତି, ବିଜେପି ସରକାର ପଂଜାବର ବିକାଶ ଏବଂ ସୁରକ୍ଷା ସୁନିଶ୍ଚିତ କରୁଥବା ବେଳେ କଂଗ୍ରେସ ସର୍ବଦା ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛି।

ମୋଦୀ କହିଛନ୍ତି, କଂଗ୍ରେସ ମୁଖ୍ୟମନ୍ତ୍ରୀ ଗତକାଲି ଗୋଟିଏ ଟିପ୍ପଣୀ ଦେଇଥିଲେ ଏବଂ ଗାନ୍ଧି ପରିବାରର ଜଣେ ସଦସ୍ୟ ଏଥିରେ ତାଳି ମାରିଥିଲେ। ଏଭଳି ଟିପ୍ପଣୀ ରଖି ସେମାନେ କାହାକୁ ଅପମାନିତ କରୁଛନ୍ତି। ଏମିତି କୌଣସି ଗାଁ ନାହିଁ ଯେଉଁଠାରେ ଉତ୍ତରପ୍ରଦେଶ-ବିହାରର ଲୋକ କାମ କରୁନଥିବେ। ମୋଦୀ କହିଛନ୍ତି, ଗୁରୁ ଗୋବିନ୍ଦ ସିଂହ ବିହାରର ପାଟନା ସା‌ହେବରେ ଜନ୍ମ ହୋଇଛନ୍ତି। ଗୁରୁ ଗୋବିନ୍ଦ ସିଂହଙ୍କୁ କ’ଣ ତୁମେମାନେ ପଂଜାବରୁ ତଡ଼ିଦେବ। ଏଭଳି ବିଭାଜନକାରୀ ମାନସିକତାର ଲୋକମାନଙ୍କୁ ମୁହୂର୍ତ୍ତକ ପାଇଁ ବି ପଂଜାବକୁ ଶାସନ କରିବାପାଇଁ ଅନୁମତି ‌ନଦେବା ଉଚିତ୍‌ ବୋଲି ମୋଦୀ କହିଛନ୍ତି।

ଅନ୍ୟପକ୍ଷେ ଚନ୍ନି ତାଙ୍କ ଟିପ୍ପଣୀ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇଛନ୍ତି। ଚନ୍ନି କହିଛନ୍ତି, ତାଙ୍କ ଟିପ୍ପଣୀକୁ କଦର୍ଥ କରାଯାଇଛି। ପଂଜାବକୁ ଆସିଥିବା ସମସ୍ତ ପ୍ରବାସୀ ସେମାନଙ୍କ ରକ୍ତ ଏବଂ ଝାଳ ଦେଇ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ସହ ମୋର ଘନିଷ୍ଠ ସମ୍ପର୍କ ଅଛି ବୋଲି ଚନ୍ନି କହିଛନ୍ତି।

ଚନ୍ନି କହିଛନ୍ତି, କେବଳ ପଂଜାବୀଙ୍କ ଦ୍ବାରା ପଂଜାବ ପରିଚାଳିତ ହେବ: ପ୍ରିୟଙ୍କା

ନୂଆଦିଲ୍ଲୀ  : ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ‘ଉତ୍ତରପ୍ରଦେଶ, ବିହାରୀ ଭାଇ’ ଟିପ୍ପଣୀକୁ ନେଇ ବିବାଦ ହେବାପରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଏନେଇ  ମୁହଁ ଖୋଲିଛନ୍ତି। ଚନ୍ନିଙ୍କୁ ସମର୍ଥନ କରି ପ୍ରିୟଙ୍କା କହିଛନ୍ତି, ଚନ୍ନି କେବଳ କହିଛନ୍ତି, ପଂଜାବୀଙ୍କ ଦ୍ବାରା ପଂଜାବ ପରିଚାଳିତ ହେବ। ଚନ୍ନିଙ୍କ ଟିପ୍ପଣୀକୁ କଦର୍ଥ କରାଯାଇଛି। ଲଖିମପୁର ଖେରି ଘଟଣାକୁ ଇଙ୍ଗିତ କରି ପ୍ରିୟଙ୍କା କହିଛନ୍ତି, ବିଜେପି ଉତ୍ତରପ୍ରଦେଶରେ କୃଷକଙ୍କୁ ଅପମାନିତ କରିଛି। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ। କିନ୍ତୁ ପ୍ରଧାନମନ୍ତ୍ରୀ କେବଳ ନିର୍ବାଚନ ଥିବା ସମୟରେ ହିଁ ଏଠାକୁ ଆସୁଛନ୍ତି। କୃ‌ଷକ ଆନ୍ଦୋଳନ ସମୟରେ ମୋଦୀ ନଥିଲେ ବୋଲି ପ୍ରିୟଙ୍କା କହିଛନ୍ତି।

ସମ୍ବନ୍ଧିତ ଖବର