ସାର୍କ କରୋନା ଜରୁରୀକାଳୀନ ପାଣ୍ଠିକୁ ଭାରତ ଦେବ ୧ କୋଟି ଡ଼ଲାର

ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାର୍କ(ସାଉଥ୍‌ ଏସିଆନ୍‌ ଆସୋସିଏସନ୍‌ ଫର୍‌ ରିଜିଓନାଲ୍‌ କୋଓପରେସନ୍‌) ସଦସ୍ୟ ରାଷ୍ଟ୍ରଗୁଡ଼ିକର  ରାଷ୍ଟ୍ରମୁଖ୍ୟମାନଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ  ଆଲୋଚନା କରିଛନ୍ତି | କୋଭିଡ୍‌-୧୯ର (କରୋନାଭାଇରସ୍‌) ପ୍ରକୋପ ନିୟନ୍ତ୍ରଣ କରିବା ଏବଂ ତା’ ଉପରେ ଦୃଷ୍ଟି ରଖିବା ନିମନ୍ତେ ‘ସାର୍କ’ ସଦସ୍ୟ ଦେଶସମୂହ ସମ୍ମିଳିତ ଉଦ୍ୟମ କରିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସାର୍କ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ | ଏହି ପରିପ୍ରେକ୍ଷୀରେ ମୋଦୀ କରୋନା ଜରୁରୀକାଳୀନ ପାଣ୍ଠି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏଥିସହ ସେ ଭାରତ ତରଫରୁ ଏକ ମିଲିୟନ ଡଲାର ଦେବାକୁ ଘୋଷଣା କରିଛନ୍ତି ଏବଂ ସେ  କହିଥିଲେ ଯେ ଏଥିପାଇଁ ସମସ୍ତ ସାର୍କ ଦେଶ ନିଜ ସାମର୍ଥ୍ୟ ମୁତାବକ ଅର୍ଥ ଦେବା ଉଚିତ |


ଏହି ଭିଡିଓ କନଫରେନ୍ସିଂରେ ଭାରତ ଏହି ପାଣ୍ଠି ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲା ଏବଂ ଏଥିପାଇଁ ପ୍ରାରମ୍ଭିକ ରାଶି ଘୋଷଣା କରିଥିଲା। ମାଳଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲି, ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ, ଭୁଟାନ୍‌ର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍‌, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା, ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ଆଫଗାନିସ୍ତାନର ରାଷ୍ଟ୍ରପତି ଅଶ୍‌ରଫ୍‌ ଘନି ଓ ପାକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ଜାଫର ମିର୍ଜା ଏହି ଭିଡିଓ କନଫରେନସିଂରେ ଯୋଗ ଦେଇଥିଲେ। ପାକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ଜାଫର ମିର୍ଜା କହିଛନ୍ତି ଯେ କରୋନାକୁ ରୋକିବା ପାଇଁ ସାର୍କ ଦେଶଗୁଡ଼ିକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ | ସେହିପରି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ୨୩ ଜଣ ବାଂଲାଦେଶୀ ଛାତ୍ରଙ୍କୁ ଊହାନରୁ ଉଦ୍ଧାର କରିଥିବାରୁ ମୋଦୀଙ୍କୁ ପ୍ରଶଂସା କରିଛନ୍ତି।

photo-ani

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ କହିଛନ୍ତି ଯେ ଶ୍ରୀଲଙ୍କାକୁ ଫେରି ଆସୁଥିବା ଲୋକଙ୍କୁ ୧୪ ଦିନ ପାଇଁ ନଜରରେ ରଖାଯାଇଛି। ଆଫଗାନିସ୍ତାନ ରାଷ୍ଟ୍ରପତି ରାଷ୍ଟ୍ରପତି ଅଶ୍‌ରଫ୍‌ ଘନି କହିଛନ୍ତି ଯେ ସମସ୍ତ ସାର୍କ ଦେଶ ମିଳିତ ଭାବେ କରୋନା ଭୂତାଣୁ ମୁକାବିଲା ପାଇଁ ଟେଲି ମେଡିସିନ୍ ସୁବିଧା ବିକାଶ କରିବା ଉଚିତ୍। ସେହିପରି ମାଳଦ୍ଵୀପ ରାଷ୍ଟ୍ରପତି ଇବ୍ରାହିମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ମାଳଦ୍ଵୀପ ଭାରତର ସହାୟତା ପାଇ ଭାଗ୍ୟବାନ୍ | ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତର ଲୋକ, ଔଷଧ ଏବଂ ଡାକ୍ତରୀ ଦଳ ଆମ ପାଇଁ ପଠାଇଛନ୍ତି, ତେଣୁ ତାଙ୍କୁ ଧନ୍ୟବାଦ ଜଣାଉଛି |

ସମ୍ବନ୍ଧିତ ଖବର