ମୁମ୍ବାଇରେ ପୁଣି ଚିନ୍ତା ବଢ଼ାଇଲା କୋଭିଡ୍‌-୧୯; ଖୁବ୍‌ ଶୀଘ୍ର ଘୋଷଣା ହୋଇପାରେ ଆଂଶିକ ‘ଲକ୍‌ଡାଉନ୍‌’: ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ ପୁର୍ନବାର କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିବା ଘଟଣା ଏବେ ମହାରାଷ୍ଟ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇପଡ଼ିଛି। ବିଶେଷ କରି ମୁମ୍ବାଇ ମହାନଗରୀରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ମହାରାଷ୍ଟ୍ର ସରକାରଙ୍କ ପାଇ ମୁଣ୍ଡ ବିନ୍ଧାର କାରଣ ହୋଇଛି।

ମୁମ୍ବାଇ ମହାନଗରୀରେ ବିଗତ ୧୩୧ ଦିନ ଧରି ନିୟନ୍ତ୍ରଣରେ ରହିବା ପରେ ହଠାତ୍‌ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ୧୩୬୧କୁ ବୃଦ୍ଧି ପାଇଥିବାରୁ ଏହାକୁ ଏବେ କିପରି ନିୟନ୍ତ୍ରଣ କରାଯିବ ସେଥିନେଇ ଚିନ୍ତିତ ହୋଇ ପଡ଼ିଛନ୍ତି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ମୁମ୍ବାଇ ଦାୟିତ୍ୱରେ ଥିବା ମନ୍ତ୍ରୀ ଅସଲମ ଶେଖ କହିଛନ୍ତି ଯେ ଯଦି ପରିସ୍ଥିତିରେ ସୁଧାର ନଆସେ ତେବେ ମୁମ୍ବାଇରେ ଆଉଥରେ ଆଂଶିକ ତାଲାବନ୍ଦ (ଲକ୍‌ଡାଉନ୍‌) ଘୋଷଣା କରାଯିବ।

ମୁମ୍ବାଇର ଅବସ୍ଥା ଏହିପରି ଥିବାବେଳେ ମହାରାଷ୍ଟରରେ ଆଠରୁ ଦଶ ଦିନ ମଧ୍ୟରେ ସକ୍ରିୟ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୧୧,୧୪୧ରେ ପହଞ୍ଚି ଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ କ୍ୟାବିନେଟ ବୈଠକରେ ବର୍ଦ୍ଧିତ କୋଭିଡ୍‌-୧୯ ସଂଖ୍ୟାକୁ ନେଇ ଚିନ୍ତପ୍ରକଟ କରାଯିବା ସହ ସେପ୍ଟେଟର ମାସର ଶିଖର ସମୟ ପରି କେତେକ ସ୍ଥାନରେ ଆଂଶିକ ତାଲାବନ୍ଦ ଘୋଷଣା ପାଇଁ ବିଚାର କରାଯାଇଛି।

ମହାରାଷ୍ଟ୍ରରେ ସକ୍ରିୟ ମାମଲା ୯୭,୯୮୩ ଥିବାବେଳେ ମୁମ୍ବାଇରେ ଏହା ୯,୩୧୯। କୋଭିଡ୍‌-୧୯ ସଂଖ୍ୟାରେ ବର୍ତ୍ତମାନ ଜାରି ରହିଥିବା ଅଭିବୃଦ୍ଧି ହାର ଯଦି ଅବ୍ୟାହତ ରହେ ତେବେ ଏପ୍ରିଲ ସୁଦ୍ଧା ରାଜ୍ୟରେ ପୁଣି କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଯିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ତେଣୁ, ପରିସ୍ଥିତି ଆଉ ଅଧିକ ବିଗିଡ଼ିବା ପୂର୍ବରୁ ପ୍ରତିଷେଧ ମୂଳକ ବ୍ୟବସସ୍ଥା ଗ୍ରହଣ କରିବାକୁ ସେମାନେ ମହାରାଷ୍ଟ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପରିସ୍ଥିତି ଅନୁଧ୍ୟାନ ପାଇଁ ଅନ୍ୟ ଏକ କେନ୍ଦ୍ରୀୟ ଦଳ ମଧ୍ୟ ମହାରାଷ୍ଟ୍ର ରାଜ୍ୟ ଗସ୍ତରେ ଆସୁଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର