ଲୋକଙ୍କ ବିଶ୍ୱାସ ହିଁ ମୋ ପାଇଁ ପ୍ରେରଣା: ନବୀନ

ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ନୂଆଦିଲ୍ଲୀ/ଭୁବନେଶ୍ବର : କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମର୍ଯ୍ୟାଦାଜନକ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର(ଆଇଆଇସି)ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକଙ୍କୁ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌. ଭି. ରମଣା ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ସମ୍ମାନକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ସେବା କରିବା ପାଇଁ ଗତ ୨୨ ବର୍ଷ ଧରି‌ କ୍ରମାଗତ ଭାବେ ରାଜ୍ୟବାସୀ ମୋତେ ଆଶୀର୍ବାଦ କରିଆସୁଛନ୍ତି। ମୋ ଉପରେ ଥିବା ଆସ୍ଥା ଓ ବିଶ୍ବାସ ହେଉଛି ଏକ ସଶକ୍ତ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ସବୁଠାରୁ ବଡ଼ ପ୍ରେରଣା। ମୋର ଆଜୀବନ ସଫଳତା ହେଉଛି ଏକ ସଶକ୍ତ ଓ ଆବେଗିକ ଓଡ଼ିଶାକୁ ଏକ ନୂଆ ଆଲୋକରେ ବିକଶିତ କରିବା‌। ଆମେ ଠିକ୍‌ ରାସ୍ତାରେ ଅଛୁ ଏବଂ ପ୍ରଭୁ ଜଗନ୍ନାଥଙ୍କ କୃପା ଓ ଆମ ଲୋକଙ୍କ ସମର୍ଥନ ଦ୍ବାରା ଆମେ ଶୀଘ୍ର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବୁ।

ଓଡ଼ିଶା ସରକାରଙ୍କ ସଫଳତାର କଥା ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଲେ ଯେ ଗତ ୨୨ ବର୍ଷ ମଧ୍ୟରେ ଓଡ଼ିଶା ଏକ ଦୀର୍ଘ ପଥ ଅତିକ୍ରମ କରିଛି। ୧୯୯୯ର ମହାବାତ୍ୟା ପରେ କିଏ ଭାବିଥିଲା ଯେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ବିଶ୍ବ ମାନଦଣ୍ଡ ସ୍ଥିର କରିବ ଓ ମିଳିତ ଜାତିସଂଘ ଦ୍ବାରା ପୁରସ୍କୃତ ହେବ। ଦ‌ିନେ ଦାରିଦ୍ର୍ୟ ପାଇଁ ପରିଚିତ ଓଡ଼ିଶା ବର୍ତ୍ତମାନ ଆମ ଦେଶରେ ଦ୍ରୁତତମ ‘ଦାରିଦ୍ର୍ୟ ହ୍ରାସ’ ପାଇଁ ଜଣାଶୁଣା। ମହିଳାମାନଙ୍କ ସଶକ୍ତୀକରଣରେ ନିହିତ ପ୍ରଶାସନିକ ମଡେଲ୍‌ ହେଉଛି ଆମର ‘ମିସନ୍ ଶକ୍ତି’। ଅନୁରୂପ ଭାବେ ଆଦିବାସୀ ସମ୍ପ୍ରଦାୟର ସଶକ୍ତୀକରଣ ସର୍ବଦା ମୋ ହୃଦୟରେ ରହିଛି ଏବଂ ଜଙ୍ଗଲନିବାସୀ ଅଧିନିୟମ ଅନୁଯାୟୀ ଜମି ଅଧିକାର ପ୍ରଦାନ କରିବାରେ ଓଡ଼ିଶା ଦେଶର ନେତୃତ୍ବ ନେଇଛି।

ଲୋକ ଓ ସମାଜ ପ୍ରତି ନବୀନ ସମର୍ପିତ: ଜଷ୍ଟିସ୍ ରମଣା
ନବୀନଙ୍କ ନେତୃତ୍ବରେ ଓଡ଼ିଶାରେ ପରିବର୍ତ୍ତନ ଯାତ୍ରା ଚାଲିଛି: ଜଷ୍ଟିସ୍ ପଟ୍ଟନାୟକ

ଆମ ହଷ୍ଟେଲ୍‌ରେ ପାଞ୍ଚ ଲକ୍ଷରୁ ଅଧିକ ଆଦିବାସୀ ବାଳିକା ରହି ପାଠ ପଢ଼ୁଛନ୍ତି। କୃଷକମାନେ ସର୍ବଦା ଆମ ରାଜ୍ୟର ମେରୁଦଣ୍ଡ ଓ ସେମାନଙ୍କ ପରିଶ୍ରମ ଯୋଗୁ ଓଡ଼ିଶା ଚାରି ଚାରି କୃଷିକର୍ମଣ ପୁରସ୍କାର ପାଇଛି। ଚାଷୀଙ୍କ ଆୟ ଦ୍ବିଗୁଣିତ କରିବାରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ। ସେହିପରି ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ଜମି ଅଧିକାର ସେମାନଙ୍କୁ ସଶକ୍ତ କରିଛି, ଯାହା କି ବିଶ୍ବର ସହରୀ ଯୋଜନାକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆମର ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ ଓଡ଼ିଶାର ୮୦%ରୁ ଅଧିକ ଲୋକଙ୍କୁ ସର୍ବଭାରତୀୟ ସ୍ବାସ୍ଥ୍ୟ ନିଶ୍ଚିତତା ପ୍ରଦାନ କରିଥାଏ। ଆମର ୫-ଟି ନୀତି ଓ ମୋ ସରକାର ପଦକ୍ଷେପ ମାନବିକତାର ସହିତ ବୃତ୍ତିଗତ ଶାସନ ଉପରେ ଲୋକଙ୍କ ବିଶ୍ବାସକୁ ଦୃଢ଼ କରିଛି।

ଓଡ଼ିଶାର ଶିଳ୍ପାୟନ ଓ କ୍ରିଡ଼ାର ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ତା’ର ଇସ୍ପାତ ଉତ୍ପାଦନକୁ ପ୍ରାୟ ୧୦ ଗୁଣ ବୃଦ୍ଧି କରି କୋଭିଡ୍‌ ସଙ୍କଟ ସମୟରେ ଦେଶକୁ ସାହାଯ୍ୟ କରିଛି। କୋଭିଡ୍‌ ମହାମାରୀ ସମୟରେ ଓଡ଼ିଶା ୧୭ଟି ରାଜ୍ୟକୁ ଜୀବନ ରକ୍ଷାକାରୀ ଅମ୍ଳଜାନ ଯୋଗାଉଥିଲା। ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶରେ ସର୍ବାଧିକ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିଥାଏ। ଓଡ଼ିଶା କ୍ରମାଗତ ଦୁଇ ଥର ହକି ବିଶ୍ବକପ୍‌ ଆୟୋଜନ କରିବାକୁ ଯାଉଛି ଏବଂ ବିଭିନ୍ନ କ୍ରୀଡ଼ାରେ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପ୍ରତିଷ୍ଠା କରିଛି। ଭାରତର କ୍ରୀଡ଼ା ରାଜଧାନୀ ପାଲଟିଥିବା ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ମାନଦଣ୍ଡ ସ୍ଥିର କରିଛି। ଏହି ଅବସରରେ ତାଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପାଇଁ ମନୋନୀତ କରିଥିବାରୁ ସେ କ୍ୟାପିଟାଲ୍‌ ଫାଉଣ୍ଡେସନ୍ ସୋସାଇଟିକୁ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜଷ୍ଟିସ ରମଣା କହିଥିଲେ ଯେ ‌ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ରହି ଶ୍ରୀ ପଟ୍ଟନାୟକ ଲୋକଙ୍କ ସ୍ନେହ ପାଇଆସୁଛନ୍ତି। ସେ ଜଣେ ଦକ୍ଷ ପ୍ରଶାସକ ଓ ଲେଖକ। କେବଳ ଏତିକି ନୁହେଁ, ଭାଷା, ସଂସ୍କୃତିର ପ୍ରଚାର ଓ ପ୍ରସାରରେ ତାଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ସେ ଲୋକ ତଥା ସମାଜ ପ୍ରତି ସମର୍ପିତ ଅଛନ୍ତି। ଚଳିତ ବର୍ଷ ଦିଲ୍ଲୀରେ ଅନୁଷ୍ଠିତ ‌ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକଙ୍କ ଯୋଗଦାନ ତଥା ଅଲୋଚନାରେ ଭାଗ ନେଇଥିବା ସଂପର୍କରେ ଜଷ୍ଟିସ ରମଣା ସ୍ମରଣ କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ରାଜ୍ୟରେ ନ୍ୟାୟିକ ଭିତ୍ତିଭୂମିର ପ୍ରତିଷ୍ଠା ଦିଗରେ ପାଣ୍ଠି ଯୋଗାଇଦେବା ଭଳି ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଜଷ୍ଟିସ ରମଣା ଭୂୟସୀ ପ୍ରଶଂସା କରିଥିଲେ।

କ୍ୟାପିଟାଲ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଜଷ୍ଟିସ୍‌ ଅନଙ୍ଗ କୁମାର ପଟ୍ଟନାୟକ କହିଥିଲେ ଯେ ରାଜନୀତିରେ ପାଦ ଥାପିବା ପରଠାରୁ ଶ୍ରୀ ପଟ୍ଟନାୟକ ବିକାଶର ନୂଆ ଧାରା ସୃଷ୍ଟି କରିଛନ୍ତି ତଥା ପରିବର୍ତ୍ତନ ଆଣିଛନ୍ତି। ଗତ ଦୁଇ ଦଶନ୍ଧିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବରେ ଓଡିଶାରେ ପରିବର୍ତ୍ତନର ଯାତ୍ରା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ପ୍ରତିଟି କ୍ଷେତ୍ରରେ ଦ୍ରୁତ ପ୍ରଗତି ହାସଲ କରିପାରିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତରତ୍ନ ପାଇଁ ଯୋଗ୍ୟ ବୋଲି ଫାଉଣ୍ଡେସନର ସଦସ୍ୟ ବିନୋଦ ସେଠୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ୧୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ କ୍ୟାପିଟାଲ ଫାଉଣ୍ଡେସନ ଜାତୀୟ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଜେଡି କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ସମ୍ମିଳନୀ କକ୍ଷର କ୍ଷମତା ଦୁଇ ଶହ ଥିଲା ବେଳେ ତାହାଠାରୁ ବହୁ ଅଧିକ ଅତିଥି ପହଞ୍ଚିଥିଲେ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି, ଆଇନଜୀବୀ, ପ୍ରଶାସକ ତଥା ବୁଦ୍ଧିଜିବୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ କ୍ୟାପିଟାଲ ଫାଉଣ୍ଡେସନ୍‌ ସୋସାଇଟିର ୨୦୧୪ର ବାର୍ଷିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଓଡ଼ିଶା ଭବନରେ ସମ୍ବର୍ଦ୍ଧନା‌
ସମ୍ମାନ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ସିଧା ଓଡିଶା ଭବନରେ ପହଞ୍ଚିଥିଲେ। ସେଠାରେ ବିଜେଡିର କର୍ମୀ ତଥା ପ୍ରବାସୀ ଓଡିଆ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଓଡ଼ିଶା ଭବନରେ ମାତ୍ର ୫ ମିନିଟ ରହିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନକୁ ଫେରିଯାଇଥିଲେ।

୬ରେ ଭୁବନେଶ୍ବରରେ ସ୍ବାଗତ କାର୍ଯ୍ୟକ୍ରମ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନୂଆଦିଲ୍ଲୀ ଗସ୍ତ ଶେଷ କରି ୬ ତାରିଖ ପୂର୍ବାହ୍ନରେ ଭୁବନେଶ୍ବର ଫେରିବେ। ଭୁବନେଶ୍ବରରେ ବିଜେଡି ପକ୍ଷରୁ ଏକ ବିଶାଳ ସ୍ବାଗତ ଶୋଭାଯାତ୍ରାର ଆୟୋଜନ କରାଯାଉଛି। ଦଳୀୟ ସାଂସଦ, ବିଧାୟକ ଓ ସବୁ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଏଥିପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ରାଜ୍ୟର ସବୁ ଅଞ୍ଚଳରୁ କର୍ମୀମାନଙ୍କୁ ଭୁବନେଶ୍ବର ଆଣିବା ପାଇଁ ବିଧାୟକମାନେ ବ୍ୟବସ୍ଥା କରିଛନ୍ତି। ଏକ ବିରାଟ ପଟୁଆରରେ ବିମାନବନ୍ଦରରୁ ନବୀନ ନିବାସ ଯାଏ ମୁଖ୍ୟମନ୍ତ୍ରୀଙ୍କୁ ହଜାର ହଜାର ଦଳୀୟ କର୍ମୀ ପାଛୋଟି ନେବେ। କୋଭିଡ୍‌ ପରେ ରାଜଧାନୀରେ ଏହା ସବୁଠାରୁ ବଡ଼ ରାଜନୈତିକ କାର୍ଯ୍ୟକ୍ରମ ହେବ ବୋଲି ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର