ଚୀନ୍‌ରେ ନୂଆ ‘ଲାଙ୍ଗିଆ’ ଭୂତାଣୁ ସଂକ୍ରମଣ; ୩୫ଜଣ ଆକ୍ରାନ୍ତ

ବେଜିଙ୍ଗ୍‌: ପ୍ରାଣୀ ଦେହରୁ ବ୍ୟାପିଥିବା ‘ଲାଙ୍ଗିଆ’ ନାମରେ ଗୋଟାଏ ‘ହେନିପାଭାଇରସ୍‌’ ପ୍ରଜାତିର ଭୂତାଣୁ ଚୀନ୍‌ର ଶାନ୍‌ଡୋଙ୍ଗ୍‌ ଏବଂ ହେନାନ୍‌ ପ୍ରଦେଶରେ ଏଯାବତ୍‌ ୩୫ଜଣ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଥିବା କଥା ମଙ୍ଗଳବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।

‘ଲାଙ୍ଗିଆ ହେନିପାଭାଇରସ୍‌’ ନାମରେ ପରିଚିତ ଏହି ନୂତନ ପ୍ରଜାତିର ‘ହେନିପାଭାଇରସ୍’ ପୂର୍ବାଞ୍ଚଳ ଚୀନ୍‌ରେ ଜ୍ବରରେ ପୀଡ଼ିତ ରୋଗୀମାନଙ୍କ ତଣ୍ଟିରୁ ସଂଗୃହୀତ ‘ସ୍ବାବ୍‌ ସାମ୍ପଲ୍‌’ରେ ଚିହ୍ନଟ କରାଯାଇଛି ବୋଲି ରାଷ୍ଟ୍ରାୟତ ସମ୍ବାଦପତ୍ର ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ କହିଛି।

ରୋଗୀମାନଙ୍କ ନମୁନା ଅଧ୍ୟୟନ କରୁଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ, ପ୍ରାଣୀ ଦେହରୁ ଆସିଛି ବୋଲି ମନେହେଉଥିବା ଏହି ନବ ଆବିଷ୍କୃତ ‘ହେନିପାଭାଇରସ୍‌’ ଜ୍ବର ସହ ସମ୍ପୃକ୍ତ ରହୁଛି। ଏହାଦ୍ବାରା, ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଜ୍ବର, କ୍ଳାନ୍ତି, କାଶ, ଅରୁଚି, ମାଂସପେଶୀ ବଥା ଏବଂ ବାନ୍ତି ଆଦି ଲକ୍ଷଣ ଦେଖାଯାଉଛି।

Image Courtesy of Times of India

ସମ୍ପ୍ରତି ଏହି ଭୂତାଣୁକୁ ପ୍ରତିରୋଧ କରିବା ନିମନ୍ତେ କୌଣସି ଟିକା ଅଥବା ଚିକିତ୍ସା ନାହିଁ। ଏକମାତ୍ର ଉପଚାର ହେଉଛି ଆକ୍ରାନ୍ତଙ୍କ ତତ୍ତ୍ବାବଧାନ କରାଯିବା ଓ ଜଟିଳ ହେଉଥିବା ସ୍ବାସ୍ଥ୍ୟାବସ୍ଥାକୁ ସୁଧାରିବ।

ସୂଚନାଯୋଗ୍ୟ, ‘ହେନିପାଭାଇରସ୍‌’ ସଂକ୍ରମଣ ଯୋଗୁଁ  ଏପର୍ଯ୍ୟନ୍ତ କାହାରି ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇ ନାହିଁ, କି, କେହି ମରିନାହାନ୍ତି। ତେଣୁ, ଏଥିପାଇଁ ଆତଙ୍କିତ ହେବା ଅନାବଶ୍ୟକ ବୋଲି ‘ଡ୍ୟୁକ୍‌-ଏନ୍‌ୟୁସି ମେଡିକାଲ୍‌ ସ୍କୁଲ୍‌’ର ‘ଏମର୍ଜିଙ୍ଗ୍‌ ଇନ୍‌ଫେକ୍‌ସିୟସ୍‌ ଡିଜିଜ୍‌ ପ୍ରୋଗ୍ରାମ୍‌’ର ପ୍ରଧ୍ୟାପକ ୱାଙ୍ଗ୍‌ ଲିନ୍‌ଫା କହିଛନ୍ତି। କିନ୍ତୁ, ପ୍ରକୃତିରେ ଥିବା ଅନେକ ଭୂତାଣୁ ମନୁଷ୍ୟକୁ ଆକ୍ରାନ୍ତ କରିବା ପରେ ଭୟାବହ ପରିଣତି ସୃଷ୍ଟି ହେଉଥିବାରୁ ସାବଧାନ୍‌ ରହିବା ଉଚିତ।

ସମ୍ବନ୍ଧିତ ଖବର