ଉତ୍ତରାଞ୍ଚଳ ରାଜ୍ୟରେ କେବଳ ସଂକ୍ରମଣ ନୁ‌ହେଁ ‌ କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି

ନୂଆଦିଲ୍ଲୀ: ନିକଟ ଅତୀତରେ କେତେକ ଉତ୍ତରାଞ୍ଚଳ ଭାରତୀୟ ରାଜ୍ୟରେ କେବଳ କୋଭିଡ୍‌ ସଂକ୍ରମଣ ମାମଲା ବୃଦ୍ଧି ପାଇନାହିଁ, ତଜ୍ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତ ୧୦ ଦିନ ମଧ୍ୟରେ ଦିଲ୍ଲୀରେ ୭୨୮ଟି କୋଭିଡ୍‌ଜନିତ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧, ୫୫୪ ହୋଇଥିବା ମହାରାଷ୍ଟ୍ର ପରେ ମୃତ୍ୟୁସଂଖ୍ୟାରେ ଦିଲ୍ଲୀ ହେଉଛି ଦେଶରେ ଦ୍ବିତୀୟ ବୃହତ୍‌ ରାଜ୍ୟ। ଏହାଛଡ଼ା ହରିୟାଣା ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ମୃତ୍ୟୁସଂଖ୍ୟା ହଠାତ୍‌ ବୃଦ୍ଧି ପାଇଛି।

ପୂର୍ବରୁ ମୃତ୍ୟୁହାର ହ୍ରାସ ପାଇଥିବା ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ଗତ ୧୦ ଦିନ ମଧ୍ୟରେ ମୃତ୍ୟୁହାର ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି।

ମହାରାଷ୍ଟ୍ର ଓ ଦିଲ୍ଲୀ ବ୍ୟତୀତ, ଗତ ୧୦ ଦିନ ମଧ୍ୟରେ (ନଭେମ୍ବର ୨-୧୨) ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ମଧ୍ୟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ପଶ୍ଚମବଙ୍ଗରେ ୫୪୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛତିଶଗଡ଼ରେ ୩୦୯ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ, ଗତ ୧୦ ଦିନରେ ଦିଲ୍ଲୀରେ ମୃତ୍ୟୁସଂଖ୍ୟା ୭୫% ବୃଦ୍ଧି ପାଇଥିବା ତୁଳନାରେ ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ମୃତ୍ୟୁହାର ଅପେକ୍ଷାକୃତ ହ୍ରାସ ପାଇଛି। ୧୦ ଦିନ ପୂର୍ବେ ଦିଲ୍ଲୀରେ ୪୧୫ ମୃତ୍ୟୁ ରେକର୍ଡ କରାଯାଇଥିଲା।

Image Courtesy of The Times of India

ମହାରାଷ୍ଟ୍ରରେ ମଧ୍ୟ ମୃତ୍ୟୁସଂଖ୍ୟା ଉଲ୍ଲେଖଯୋଗ୍ୟ ସଂଖ୍ୟାରେ ବୃଦ୍ଧି ପାଇଛି। ଗତ ୧୦ ଦିନ ତଳେ ସେଠାରେ ମୃତ୍ୟୁସଂଖ୍ୟା ୧,୧୧୩ ଥିଲା ଏବଂ ତାହା ୧,୫୫୪କୁ ବୃଦ୍ଧି ପାଇଛି। କିନ୍ତୁ, ତଥ୍ୟାବଳୀ ମିଶ୍ରଣ ସମୟରେ ବିଗତ ମୃତ୍ୟୁସଂଖ୍ୟା ମିଶାଇ ଦିଆଯାଇଥିବାରୁ ମୃତ୍ୟୁହାର ବୃଦ୍ଧି ଘଟିଥିବା ଜଣାପଡ଼ିଛି।

ଦିଲ୍ଲୀ ପରେ, ଦୁଇଟି ୧୦ ଦିନିଆ ସମୟ ସୀମା ମଧ୍ୟରେ ହରିୟାଣାରେ ମୃତ୍ୟୁସଂଖ୍ୟା ୬୧% ବଢ଼ିଯାଇଥିବା ରେକର୍ଡ କରାଯାଇଛି। ଅକ୍ଟୋବର ୨୩ରୁ ନଭେମ୍ବର୨ ସମୟସୀମା ମଧ୍ୟରେ ସେଠାରେ ମୃତ୍ୟୁସଂଖ୍ୟା ଥିଲା ୧୦୫। ତାହା ଗତ ୧୦ ଦିନ ମଧ୍ୟରେ ୧୬୯କୁ ବୃଦ୍ଧି ପାଇଛି। ସେହିଭଳି, ଗତ ୧୦ ଦିନରେ ପଞ୍ଜାବରେ ମୃତ୍ୟୁସଂଖ୍ୟା ୧୩୨ରୁ ୧୮୫କୁ, ହିମାଚଳ ପ୍ରଦେଶରେ ୫୦ରୁ ୭୫କୁ ଏବଂ ଉତ୍ତରାଖଣ୍ଡରେ ୫୦ରୁ ୬୪କୁ ବୃଦ୍ଧି ପାଇଛି।

ଅନ୍ୟ ପକ୍ଷରେ, ଛତିଶଗଡ଼ରେ ମୃତ୍ୟୁସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ପୂର୍ବ ୧୦ ଦିନରେ ସେଠାରେ ମୃତ୍ୟୁସଂଖ୍ୟା ୪୭୦ ଥିବା ବେଳେ ଗତ ୧୦ ଦିନରେ ୩୦୯ଟି ମୃତ୍ୟୁ ରେକର୍ଡ କରାଯାଇଛି। ସେହି ସମୟସୀମା ମଧ୍ୟରେ କର୍ଣ୍ଣାଟକରେ ମଧ୍ୟ ମୃତ୍ୟୁସଂଖ୍ୟା ୪୦୦ରୁ ୨୫୩, ତାମିଲନାଡୁରେ ୩୨୫ରୁ ୨୫୭ ଏବଂ ଆନ୍ଧ୍ରପ୍ରଦେଶରେ ୧୭୫ରୁ ୧୧୮କୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର