ଭାତ-ଡାଲି ଖାଇଲା ଜଗା

ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ପରେ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଥିବା ବେଳେ ନ୍ୟୁରୋ ଆଇସିୟୁରେ ଚିକିତ୍ସିତ ହେଉଥିବା ବଳିଆ କ୍ଷେତ୍ରରେ ସାମାନ୍ୟ ସୁଧାର ହେଉଥିବା ଡାକ୍ତରୀ ଦଳ ସୂଚନା ଦେଇଛନ୍ତି।

ଜଗାକୁ ସମସ୍ତ ଖାଦ୍ୟ ପରସାଯାଉଛି। ଆଜି ସେ ଭାତ, ଡାଲି ଖାଇଛି। ଏଥି ସହିତ ସେ ବିଭିନ୍ନ ସୁପ୍‌, ଫଳରସ ଓ ଅଣ୍ଡା ଭଳି ଖାଦ୍ୟ ଅତି ସହଜରେ ଗ୍ରହଣ କରୁଛି। ଠିକ୍‌ ସମୟରେ ଶୋଉଛି ଏବଂ ଠିକ୍‌ ସମୟରେ ମଧ୍ୟ ଉଠୁଛି। ଜଗା ଓ୍ଵାର୍ଡ ପରିସରରେ ବୁଲୁଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ସେ ନିଜେ ଶଯ୍ୟାରେ ବସିବା ପାଇଁ ଚେଷ୍ଟା କରୁଛି। ମୋବାଇଲ୍‌ ଫୋନ୍‌ ଦେଖିବା ପାଇଁ ଇସାରା ଦେଉଛି। ଫୋନ୍‌ ଦେଖି ହସୁଛି ଏବଂ ଖୁବ୍‌ ଖୁସି ହେଉଛି। ଜଗାର ବାପା ମା’ ତା’ ପାଖରେ ଅଧିକ ସମୟ ରହୁଛନ୍ତି। ଜଗାର ରକ୍ତଚାପ, ହୃଦ୍‌କ୍ରିୟା, ସ୍ନାୟୁ ସଞ୍ଚାଳନ ସ୍ୱାଭାବିକ ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଗତ ଶନିବାର ୨ ଘଣ୍ଟାର ପ୍ଲାଷ୍ଟିକ୍‌ ସର୍ଜରି ପରେ ନ୍ୟୁରୋ ଆଇସିୟୁକୁ ସ୍ଥାନାନ୍ତର ହୋଇଥିବା ବଳିଆ ନିୟମିତ ବ୍ୟବଧାନରେ ହାତ ଗୋଡ଼ ହଲାଉଛି। ତେବେ ମାତ୍ରାଧିକ ଔଷଧର ପ୍ରଭାବ ଯୋଗୁଁ ବଳିଆର ସମ୍ପୂର୍ଣ୍ଣ ଶରୀରର ପ୍ରତିକ୍ରିୟାରେ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ଡାକ୍ତରୀ ଦଳ କହିଛନ୍ତି। ତେବେ ବଳିଆର ସ୍ୱାସ୍ଥ୍ୟ ସୂଚକାଙ୍କ ଠିକ୍‌ ଏବଂ ସ୍ଥିର ଥିବା ଜଣାଯାଇଛି। ତଥାପି ତା’ର ସ୍ଥିତି ସ୍ୱାଭାବିକ ହେବା ଲାଗି ସମୟ ଲାଗିବ ବୋଲି ଡାକ୍ତରୀ ଦଳ କହିଛନ୍ତି।

ସମ୍ବନ୍ଧିତ ଖବର