ଓଡ଼ିଶା ହାଇକୋର୍ଟ ଆଇନଜୀବୀ ଆନ୍ଦୋଳନ ମାମଲା : କାର୍ଯ୍ୟ ବନ୍ଦ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ବଲାଙ୍ଗୀର ଜିଲ୍ଲାର ଲୁଇସିଙ୍ଗା ଓ ପାଟଣାଗଡ଼ ନ୍ୟାୟାଳୟରେ କାର୍ଯ୍ୟ ଦିବସ ନଷ୍ଟ ନେଇ ସୁପ୍ରିମକୋର୍ଟ ଚକିତ

୬୪ କାର୍ଯ୍ୟଦିବସରେ ଯୋଗ ଦେଇନଥିଲେ ହାଇକୋର୍ଟ ଆଇନଜୀବୀ
ଜିଲ୍ଲା ନ୍ୟାୟାଳୟ ମଧ୍ୟରୁ ବରଗଡ଼ରେ ସର୍ବାଧିକ କାର୍ଯ୍ୟଦିବସ ନଷ୍ଟ

ନୂଆଦିଲ୍ଲୀ : ଓଡ଼ିଶା ଆଇନଜୀବୀମାନଙ୍କର ଆନ୍ଦୋଳନ ଓ କୋର୍ଟ କାର୍ଯ୍ୟରେ ଯୋଗ ନ ଦେବା ମାମଲାରେ ଆଜି ସୁପ୍ରିମକୋର୍ଟ ପୁଣିଥରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଶେଷକରି, ଓଡ଼ିଶାର ଜିଲ୍ଲା କୋର୍ଟ ଗୁଡ଼ିକରେ ବର୍ଷତମାମ କାର୍ଯ୍ୟ ନହେବାକୁ ନେଇ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟରେ ବିଚାରପତି ସଞ୍ଜୟ କିଶନ କୌଲ ଓ ବିଚାରପତି କେ ଏମ ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଓଡ଼ିଶା ହାଇକୋର୍ଟ ଆଇନଜୀବୀମାନଙ୍କ ଆନ୍ଦୋଳନ ମାମଲାର ଶୁଣାଣି କରାଯାଇଥିଲା। ୨୦୧୮ ଓ ୨୦୧୯ ମସିହାରେ ହାଇକୋର୍ଟ ଓ ରାଜ୍ୟର ପ୍ରତି ଜିଲ୍ଲା ଅଦାଲତରେ କେତେ ସଂଖ୍ୟାରେ କାର୍ଯ୍ୟ ଦିବସ ଆଇନଜୀବୀମାନଙ୍କ ଆନ୍ଦୋଳନ ଯୋଗୁ ନଷ୍ଟ ହୋଇଛି, ସେ ସମ୍ପର୍କରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ସତ୍ୟପାଠର ତଥ୍ୟକୁ ନେଇ ଖଣ୍ଡପୀଠ କହିଥିଲେ, ଓଡ଼ିଶାରେ ବହୁତ ସଂଖ୍ୟକ କାର୍ଯ୍ୟ ଦିବସ ନଷ୍ଟ ହୋଇଛି। କିଛି ଜିଲ୍ଲା ଗୁଡ଼ିକର ନ୍ୟାୟାଳୟରେ ଆଦୌ କାର୍ଯ୍ୟ ନହୋଇଥିବା ଅତ୍ୟନ୍ତ ପରିତାପର ବିଷୟ। ବଲାଙ୍ଗିର ଜିଲ୍ଲାର ଲୁଇସିଙ୍ଗା ଓ ପାଟଣାଗଡ଼ ନ୍ୟାୟାଳୟରେ ୨୦୧୮ ଓ ୨୦୧୯ରେ ଯେଉଁଭଳି ଅନେକ କାର୍ଯ୍ୟ ଦିବସ ନଷ୍ଟ ହୋଇଛି, ତାହାକୁ ନେଇ ଖଣ୍ଡପୀଠ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ। ହାଇକୋର୍ଟଙ୍କ ଦ୍ବାରା ଦାଖଲ କରାଯାଇଥିବା ସତ୍ୟପାଠରେ ୨୦୧୮ ଓ ୨୦୧୯ରେ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ମାନଙ୍କର ଆନ୍ଦୋଳନ ଯୋଗୁଁ ହାଇକୋର୍ଟରେ ୮୩ ଦିନର କାର୍ଯ୍ୟ ହୋଇନଥିବାର ଉଲ୍ଲେଖ କରାଯାଇଛି। ୨୦୧୮ରେ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀମାନେ ୨୧୦ କାର୍ଯ୍ୟ ଦିବସରୁ ୬୪ କାର୍ଯ୍ୟ ଦିବସରେ କାର୍ଯ୍ୟରେ ଆନ୍ଦୋଳନ ପାଇଁ ଯୋଗ ଦେଇନଥିଲେ। ଦେଢ଼ ଦିନ ଧରି ଓଡ଼ିଶା ବାର୍ ଆସୋସିଏସନର ଧର୍ମଘଟ ଯୋଗୁ କାର୍ଯ୍ୟ ବନ୍ଦ ଥିଲା। ୨୦୧୯ରେ ୧୭୪ କାର୍ଯ୍ୟ ଦିବସରୁ ଅକ୍ଟୋବର ୨୦୧୯ ଶେଷ ସୁଦ୍ଧା ୧୮ ଦିନ କାର୍ଯ୍ୟ ବନ୍ଦ ଥିଲା ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଅପରପକ୍ଷରେ, ସତ୍ୟପାଠରେ ଜିଲ୍ଲା ନ୍ୟାୟାଳୟ ମାନଙ୍କରେ ଆନ୍ଦୋଳନ ଓ କାର୍ଯ୍ୟବନ୍ଦ ସ୍ଥିତିକୁ ନେଇ ମଧ୍ୟ ଉଲ୍ଲେଖ କରାଯାଇଛି। ବିଶେଷକରି ବଲାଙ୍ଗିର ଜିଲ୍ଲାକୋର୍ଟ ଅନ୍ତର୍ଗତ ଲୁଇସିଙ୍ଗା ନ୍ୟାୟାଳୟରେ ୨୦୧୮ରେ ୨୬୦ଟି କାର୍ଯ୍ୟ ଦିବସରୁ ୧୨୫ ଦିବସ କାର୍ଯ୍ୟ ବନ୍ଦ ରହିବା ଓ ୨୦୧୯ର ସେପ୍ଟେମ୍ବର ସୁଦ୍ଧା ୧୭୫ଟି କାର୍ଯ୍ୟ ଦିବସରୁ କୌଣସି କାର୍ଯ୍ୟ ଦିବସରେ କାର୍ଯ୍ୟ ନହେବା ସତ୍ୟପାଠରେ ଦର୍ଶାଇଯାଇଛି। ପାଟଣାଗଡ଼ କୋର୍ଟରେ ୨୦୧୮ରେ ୨୬୦ଟି କାର୍ଯ୍ୟ ଦିବସରୁ ୧୨୦ଟି ଦିବସ କାର୍ଯ୍ୟବନ୍ଦ ରହିବା ଓ ୨୦୧୯ରୁ ସେପ୍ଟେମ୍ବର ସୁଦ୍ଧା ୧୭୫ଟି କାର୍ଯ୍ୟ ଦିବସରୁ କୌଣସି ଦିବସରେ କାର୍ଯ୍ୟ ନହେବା ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ ଅଛି। ଜିଲ୍ଲା ନ୍ୟାୟାଳୟ ମଧ୍ୟରୁ ବରଗଡ଼ ଜିଲ୍ଲାରେ ସର୍ବାଧିକ ୨୦୧୮ରେ ୭୭୨ କାର୍ଯ୍ୟ ଦିବସ ନଷ୍ଟ ହୋଇଥିବା ବେଳେ ୨୦୧୯ ଅକ୍ଟୋବର ଶେଷ ସୁଦ୍ଧା ୯୨୭ କାର୍ଯ୍ୟ ଦିବସ ନଷ୍ଟ ହୋଇଥିବାର ସତ୍ୟପାଠରେ କୁହାଯାଇଛି।

ଆଜିର ଶୁଣାଣିରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସଭାପତି, ବାର୍ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ, ଆଟଣ୍ଣି ଜେନେରାଲ ଉପସ୍ଥିତ ଥିଲେ।

ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ବରିଷ୍ଠ ଆଇନଜୀବୀ କେ ଭି ବିଶ୍ବନାଥନ୍, ଓଡ଼ିଶା ହାଇକୋର୍ଟର ଆଇନଜୀବୀ ମାନେ ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେଇଥିବାର ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ।

ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ତଥା ଓଡ଼ିଶା ବାର୍ କାଉନ୍‌ସିଲର ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜିରାରୁ ନିବୃତ କରିଥିଲେ। ଶୁଣାଣି ସମୟରେ ବାର୍ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ ପକ୍ଷରୁ ଅଧ୍ୟକ୍ଷ ମନନ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ଆଇନଜୀବୀମାନେ ବାର୍ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆର ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବା ସମ୍ପର୍କିତ ଅକ୍ଟୋବର ୨୬ର ପ୍ରସ୍ତାବକ ଗ୍ରହଣ କରିନେଇଥିବାର ଖଣ୍ଡପୀଠଙ୍କ ନିକଟରେ ଅବଗତ କରାଇଥିଲେ।

ଓଡ଼ିଶା ବାର୍ କାଉନ୍‌ସିଲ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଓଡ଼ିଶା ହାଇକୋର୍ଟର ଆଇନଜୀବୀଙ୍କ ଆନ୍ଦୋଳନ ସମ୍ପର୍କରେ ମତ ରଖି ଆନ୍ଦୋଳନ ପାଇଁ ସମସ୍ତ ଆଇନଜୀବୀଙ୍କୁ ଦାୟୀ କରାଯିବା ଉଚିତ୍ ନୁହେଁ ବୋଲି କହିଥିଲେ ।

ଶୁଣାଣି ସମୟରେ ବିଚାରପତି ମାନଙ୍କର ନିଯୁକ୍ତି ପ୍ରସଙ୍ଗ ନେଇ ମଧ୍ୟ କୋର୍ଟ ପୂର୍ବରୁ କେନ୍ଦ୍ର ସରକାରଙ୍କର ଓ ସୁପ୍ରିମକୋର୍ଟଙ୍କର ଯେଉଁ ସବୁ ପ୍ରସ୍ତାବ ରହିଛି ସେନେଇ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କେନ୍ଦ୍ର ସରକାରଙ୍କୁ ଅନେକ ହାଇକୋର୍ଟର ବିଚାରପତି ନିଯୁକ୍ତି ନେଇ ସୁପାରିଶକୁ ବିଳମ୍ବ ନକରି ମଞ୍ଜୁରୀ ପ୍ରଦାନ କରିବାକୁ ସୁନିଶ୍ଚିତ କରାଯାଇ ପାରିବ, ସେ ନେଇ ଅନୁରୋଧ କରିଥିଲେ। ଆଟର୍ଣ୍ଣି ଜେନେରାଲ ଖଣ୍ଡପୀଠଙ୍କୁ ପରାମର୍ଶ ଦେଇ କହିଥିଲେ ସୁପ୍ରିମକୋର୍ଟ କଲେଜିୟମ କେନ୍ଦ୍ର ଆଇନମନ୍ତ୍ରୀଙ୍କ ସହିତ ବିଚାର ବିମର୍ଷ କରି ଗାଇଡଲାଇନ୍ ପ୍ରସ୍ତୁତ କଲେ, ସରକାରଙ୍କ ପକ୍ଷରୁ ବିଚାରପତିଙ୍କୁ ନିଯୁକ୍ତି କ୍ଷେତ୍ରରେ ବିଳମ୍ବ ହେବ ନାହିଁ।

ସମ୍ବନ୍ଧିତ ଖବର