ଆଜିପୁଣି କମିଲା ତେଲଦର, ପେଟ୍ରୋଲ ୧୫ ପଇସା, ଡିଜେଲ ୧୬ ପଇସା ହ୍ରାସ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଆଶଙ୍କା କ୍ରମଶଃ ହ୍ରାସ ପାଉଥିବାରୁ ବିଶ୍ୱ ବଜାରରେ ତେଲଦର ହ୍ରାସ ପାଇବାରେ ଲାଗିଛି । ଏହାର ପ୍ରଭାବରୁ ଭାରତୀୟ ବଜାରରେ ମଧ୍ୟ ତେଲଦର ହ୍ରାସ ପାଉଛି । ଗତ ୧୬ ତାରିଖଠାରୁ ଲଗାତାର ତେଲଦର କମିଚାଲିଛି ।

ଆଜି ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୧୫ ପଇସା ଓ ଡିଜେଲ ଲିଟର ପିଛା ୧୬ ପଇସା ହ୍ରାସ ପାଇଛି । ଆଜିର ଏହି ହ୍ରାସ ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୫.୨୬ ଓ ଡିଜେଲ ଦର ଲିଟର ପିଛା ଟ.୬୮.୬୧ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି ।
ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୭୪.୨୩ ଓ ଡିଜେଲ ଟ. ୭୩.୬୦ ରେ ବିକ୍ରି ହେଉଛି । ତେବେ ଭାଟ୍‌ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୪.୮୫ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୬୪.୬୫ ଡଲାର ରହିଛି ।

ଗତ ଜାନୁଆରି ୩ ତାରିଖରେ ଆମେରିକା ଦ୍ୱାରା ଇରାନ ସେନାର କୁଦସ୍‌ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟାର ୫ ଦିନ ପରେ ଅର୍ଥାତ ୮ ତାରିଖରେ ଇରାନ ଇରାକସ୍ଥିତ ଆମେରିକୀୟ ସୈନ୍ୟ ଶିବିର ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା ।

ସମ୍ବନ୍ଧିତ ଖବର