ଭିଡିଓରେ ଦେଖନ୍ତୁ; ତାସଘର ପରି କେମିତି ଧରାଶାୟୀ ହେଲା ତିନି ମହଲା ବିଶିଷ୍ଟ ଘର… ଆପଣ ବି ହେବେ ତଟସ୍ଥ

କୋଲକାତା/ ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାର ଏକ ଗାଁରେ ଏକ ତିନି ମହଲା ବିଶିଷ୍ଟ ନିର୍ମାଣାଧୀନ ବିଲଡିଂ ତାସଘର ପରି ନିମିଷକ ମଧ୍ୟରେ ଧରାଶାୟୀ ହେବା ସହ ପାର୍ଶ୍ୱବର୍ତ୍ତୀ ଏକ କେନାଲ ମଧ୍ୟକୁ ଧସି ପଡ଼ିବା ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ଏହି ପୂରା ଘଟଣାର ଭିଡିଓ ଚିତ୍ର ଦେଶର ଏକ ପ୍ରମୁଖ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେବାପରେ ଭିଡିଓଟି ଭାଇରାଲ ହେବାକୁ ଆରମ୍ଭ କରିବା ସହ ଏହି ଘଟଣାକୁ କେନ୍ଦ୍ର କରି ଏବେ ତମାମ୍‌ ଦେଶରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଓ ଆଲୋଚନା। ଘଟିଥିବା ଘଟଣାର ଭିଡିଓରେ ନିର୍ମାଣାଧୀନ ତିନି ମହଲା କୋଠାଟି ସେଠାରୁ କିଛି ମିଟର ଦୂରରେ ଥିବା ଏକ କେନାଲରେ ପଡ଼ିଥିବାର ଦେଖିବାକୁ ମିଳୁଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ପଶ୍ଚିମବଙ୍ଗ ମେଦିନାପୁର ଦାସପୁରର ନିଶ୍ଚିନ୍ତପୁର ଗ୍ରାମରେ ଘଟିଛି ଏହି ଘଟଣା। ପୂରା ଘଟଣାଟିକୁ କୈଦ୍‌ କରିଥିବା ୩୦ ସେକେଣ୍ଡର ଭିଡିଓଟିରେ ନିର୍ମାଣାଧୀନ ୩ ମହଲା ବିଶିଷ୍ଟ କେଠାଟି ଏକ ଜଳସେଚନ କେନାଲ ଭିତରକୁ ଖସି ପଡ଼ୁଛି ଓ ଏହାର କିଛି ସମୟ ପରେ ଧୂଳିର ଘୂର୍ଣ୍ଣଝଡ଼ ସଂପୃକ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି।

ଏହି ଘଟଣା ପରେ ଅଭିଯୋଗ ହୋଇଛି ଯେ ନିକଟସ୍ଥ କେନାଲରେ ଚାଲିଥିବା ସଫେଇ କାର୍ଯ୍ୟ ହେତୁ ଏହାର ମୂଳଦୁଆ ଦୁର୍ବଳ ହୋଇ ପଡ଼ିଥିଲା। ଏବଂ କିଛି ଦିନ ପୂର୍ବରୁ ବିଲ୍‌ଡିଂରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଥିଲା। ଉଲ୍ଲେଖଯୋଗ୍ୟ, ବିଲଡିଂ ନିକଟରେ ଥିବା ରାଜ୍ୟ ଜଳସେଚନ କେନାଲକୁ ସଫା କରି ଏବେ ପୁନର୍ବାର ଖନନ କରାଯାଉଛି।
ଅନ୍ୟପକ୍ଷରେ, ଏହି ବିଲଡିଂର ମାଲିକ ନେମାଇ ସାମନ୍ତ କହିଛନ୍ତି ଯେ ଏହି ଘଟଣା ଯୋଗୁଁ ସେ ବହୁ କ୍ଷତି ସହିଛନ୍ତି। ତେବେ, ଏହି ଦୁର୍ଘଟଣାରେ କେହି ନିଜର ଜୀବନ ହରାଇ ନ ଥିବା ତାଙ୍କୁ ସାନ୍ତ୍ୱନା ଦେଇଛି।

(ଭିଡିଓ ସୌଜନ୍ୟ: ଏନ୍‌ଡିଟିଭି)

ସମ୍ବନ୍ଧିତ ଖବର