‘ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ୍‌ ଓ ଏନ୍‌ଆରସିକୁ କାର୍ଯ୍ୟକାରୀ କରିବାକୁ ହେଲେ ମୋଦୀ ସରକାରଙ୍କୁ ମୋ ଶବ ଉପରେ ଯିବାକୁ ହେବ’: ମମତା ବାନାର୍ଜୀ

ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ଦେଶରୁ ଯେ ପର୍ଯ୍ୟନ୍ତ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ସଂପୂର୍ଣ୍ଣ ରୂପେ ପ୍ରତ୍ୟାହାର ନ କରିଛନ୍ତି, ସେ ପର୍ଯ୍ୟନ୍ତ ଏହାକୁ ବିରୋଧ କରି ପଶ୍ଚିମବଙ୍ଗରେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ।

ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ପଶ୍ଚିମବଙ୍ଗରେ ବିଗତ ଚାରିଦିନ ଧରି ହିଂସାତ୍ମକ ଆନ୍ଦୋଳନ ଜାରି ରହିଛି। ଏ ସ୍ଥିତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀ ଏକ ବିଶାଳ ର‍୍ୟାଲି ବାହାର କରିଥିଲେ। ରେଡ୍‌ ରୋଡ୍‌ରେ ଥିବା ବି ଆର୍‌ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଠାରୁ ଜୋରାଶଙ୍ଖ ଠାକୁରବାଡ଼ି ପର୍ଯ୍ୟନ୍ତ ଏକ ବିରାଟ ର‍୍ୟାଲିରେ ନିଜର ସହସ୍ରାଧିକ ସମର୍ଥକ ଓ ଦଳୀୟ କର୍ମୀଙ୍କ ଗହଣରେ ପାଦରେ ଚାଲିଚାଲି ଯାଇଥିଲେ ସୁଶ୍ରୀ ବାନାର୍ଜୀ।

News Nation

ସେଠାରେ ଆୟୋଜିତ ବିକ୍ଷୋଭ ର‍୍ୟାଲିରେ ଉଦ୍‌ବୋଧନ ଦେଇ ମମତା କହିଥିଲେ, ‘ଯେ ପର୍ଯ୍ୟନ୍ତ ମୁଁ ଜୀବିତ ଅଛି ସେ ପର୍ଯ୍ୟନ୍ତ ନାଗରିକତା ସଂଶୋଧନ ଆଇନ୍‌ (ଏନ୍‌ଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବାକୁ ଦିଆଯିବ ନାହିଁ। ଏଥିପାଇଁ ଯଦି କେନ୍ଦ୍ର ସରକାର ମୋ ସରକାରକୁ ବରଖାସ୍ତ କରନ୍ତି, ସେଥିପାଇଁ ମୋର ଦୁଃଖ ନାହିଁ। ଯଦି କେବେବି କେନ୍ଦ୍ର ସରକାର ଏହାକୁ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ କରିବେ ତେବେ ସେମାନେ ଶବ ଉପରେ ପଶ୍ଚିମବଙ୍ଗରେ ଏହାକୁ କାର୍ଯ୍ୟକାରୀ କରିବେ’ ବୋଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ମମତା।

ସମ୍ବନ୍ଧିତ ଖବର