ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଚିଦମ୍ବରମଙ୍କ ଜାମିନ୍‌ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଳୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସୋମବାର ଦିଲ୍ଲୀ ହାଇକୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ଜାମିନ୍‌ ଆବେଦନକୁ ଖାରଜ କରି ଦେଇଛନ୍ତି। ୪୦ ଦିନ ପୂର୍ବେ ଜାତୀୟ ରାଜଧାନୀ ଦିଲ୍ଳୀରେ ଥିବା ତାଙ୍କର ବାସଭବନରୁ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ) ଦ୍ୱାରା ଗିରଫ ହୋଇଥିଲେ ଚିଦମ୍ବରମ। ସିବିଆଇ ପାଖାପାଖି ୧୫ ଦିନ ଜେରା କରିବା ପରେ ତାଙ୍କୁ ତିହାର ଜେଲ୍‌କୁ ପଠା ଯାଇଥିଲା।

ଚିଦମ୍ବରମଙ୍କ ଜାମିନ୍‌ ବିପକ୍ଷରେ ଯୁକ୍ତି କରୁଥିବା ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ  ଯେ ‘ଯେହେତୁ ତାଙ୍କ ବିରୋଧରେ ଏକ ଗମ୍ଭୀର ଅଭିଯୋଗ ରହିଛି ସେ ଦେଶ ଛାଡ଼ି ଯାଇପାରନ୍ତି। ଅନ୍ୟ ଏକ ଦେଶରେ ରହିବା ପାଇଁ ତାଙ୍କ ପାଖରେ ଯଥେଷ୍ଟ ଧନ ରହିଛି।’ ମାତ୍ର ଜଷ୍ଟିସ୍‌ ସୁରେଶ କୁମାର କୈଟ୍‌ ଏହି ଯୁକ୍ତିକୁ ସ୍ୱୀକାର କରିନାହାନ୍ତି। ତେବେ ଯେହେତୁ ଚିଦମ୍ବରମ୍ ଜଣେ ପ୍ରଭାବଶାଳୀ ବ୍ୟକ୍ତି ତେଣୁ ସେ  ଜାମିନରେ ବାହାରିଲେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଏହି କାରଣରୁ ତାଙ୍କୁ ଜାମିନ ନ ମିଳିବା ଉଚିତ ବୋଲି ବିଚାରପତି ବିବେଚନା କରିଥିଲେ। ଯେହେତୁ ମାମଲାର ତଦନ୍ତ ଏକ ନିର୍ଣ୍ଣାୟକ ସ୍ତରରେ ପହଞ୍ଚିଛି ତେଣୁ ଅଦାଲତ ତାଙ୍କ ଜାମିନ ଅ‌ାବେଦନକୁ ମଞ୍ଜୁର କରି ନ ଥିଲେ।

Moneycontrol

ମେହେଟ୍ଟା ଯୁକ୍ତି ବାଢ଼ି କହିଥିଲେ ଯେ ଚିଦମ୍ବରମଙ୍କ ବିରୋଧରେ ଯଥେଷ୍ଟ ସାକ୍ଷ୍ୟପ୍ରମାଣ ରହିଛି। ଆଇଏନ୍‌ଏକ୍ସ ମିଡିଆ ଗ୍ରୁପର ସହ-ପ୍ରତିଷ୍ଠାତା ଇନ୍ଦ୍ରାଣୀ ଏବଂ ପିଟର ମୁଖାର୍ଜୀ ୨୦୦୭-୦୮ରେ ଚିଦମ୍ବରମଙ୍କୁ ଭେଟିଥିଲେ ଓ ଚିଦମ୍ବରମ ସେମାନଙ୍କୁ ନିଜ ପୁଅର ବ୍ୟବସାୟ ଆଗ୍ରହର ଯତ୍ନ ନେବାକୁ କହିଥିଲେ। ଆଜି ଚିଦମ୍ବରମଙ୍କ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ କପିଲ ସିବଲ୍ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର