ପଦ୍ମାବତୀ ବିବାଦ: କର୍ଣ୍ଣି ସେନାର ହିଂସାତ୍ମକ ବିକ୍ଷୋଭ

ନୂଆଦିଲ୍ଲୀ: ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲିଲା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ଲାଗି ରହିଥିବା ବିରୋଧ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ରାଜପୁତ କର୍ଣ୍ଣି ସେନା ଆଜି ‘ପଦ୍ମାବତୀ’କୁ ନିଷିଦ୍ଧ କରିବା ଦାବିରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଛି । ରାଜସ୍ଥାନର ଭିଲଓ୍ଵାରାରେ କର୍ଣ୍ଣି ସେନା ସଦସ୍ୟ ଆଜି ବନ୍ଦ ଡାକରା ଦେଇଥିଲେ। ଭିଲଓ୍ଵାଡ଼ାର ବିଭିନ୍ନ ସ୍ଥାନରେ ଫିଲ୍ମ ବିରୋଧରେ ଆନ୍ଦୋଳନ କରି କର୍ଣ୍ଣି ସେନା ବିଶୃଙ୍ଖଳା ବଢ଼ାଇଥିଲେ। ଭିଲଓ୍ଵାଡ଼ା ଫିଲ୍ମ ଥିଏଟରରେ କର୍ଣ୍ଣି ସେନା ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଥିଲେ। ସିନେମା ହଲ୍‌ ସୁରକ୍ଷାକର୍ମୀ ଓ କର୍ମଚାରୀଙ୍କ ସହ ସେନା ସଦସ୍ୟଙ୍କ ପ୍ରବଳ ମାରପିଟ୍‌ ହୋଇଥିଲା। ପରିସ୍ଥିତି ଜଟିଳ ରୂପ ନେବାରୁ ପୁଲିସ କର୍ଣ୍ଣି ସେନା ଉପରେ ଲାଠିମାଡ଼ କରିଥିଲା। ସେହିପରି ହରିଆଣାର ଗୁରୁଗ୍ରାମ୍‌ରେ କର୍ଣ୍ଣି ସେନା ସଦସ୍ୟମାନେ ଡେପୁଟି କମିସନରଙ୍କ ଅଫିସ ବାହାରେ ଫିଲ୍ମକୁ ସମ୍ପୂର୍ଣ୍ଣ ବନ୍ଦ କରିବାପାଇଁ ଆନ୍ଦୋଳନ କରିଥିଲେ। କର୍ଣ୍ଣି ସେନା ଅଧ୍ୟକ୍ଷ ମହିପାଲ ସିଂହ କହିଛନ୍ତି ଆମେ ଫିଲ୍ମକୁ ଶତ ପ୍ରତିଶତ ବନ୍ଦ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବୁ।

‘ପଦ୍ମାବତୀ’ ସପକ୍ଷରେ ଫିଲ୍ମ ଇଣ୍ଡଷ୍ଟ୍ରିର ୧୫ ମିନିଟ୍‌ ବ୍ଲାକ୍‌ ଆଉଟ୍‌ ଘୋଷଣା

‘ପଦ୍ମାବତୀ’କୁ ନେଇ ଲାଗି ରହିଥିବା ବିବାଦ ଓ ଆନ୍ଦୋଳନରେ ଦୁଃଖ ପ୍ରକାଶ କରିବା ସହ ‘ପଦ୍ମାବତୀ’ ସମର୍ଥନରେ ଆଜି ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ଟିଭି ଡାଇରେକ୍ଟର୍ସ ଆସୋସିଏସନ (ଆଇଏଫଟିଡିଏ) ସମେତ ଫିଲ୍ମ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିର ୨୦ଟି ଅନୁଷ୍ଠାନ ୧୫ ମିନିଟ୍‌ ବ୍ଲାକ୍‌ଆଉଟ୍‌ ଘୋଷଣା କରିଛନ୍ତି। ସୃଜନଶୀଳ ବ୍ୟକ୍ତିଙ୍କ କଥା କହିବାର ଅଧିକାରକୁ ସୁରକ୍ଷା ଦେବାଲାଗି ଏହି ଯୋଜନା ପ୍ରସ୍ତୁତ ହୋଇଛି ବୋଲି ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ କହିଛନ୍ତି। ଫିଲ୍ମକୁ ସମର୍ଥନ ଜଣାଇ ଆସନ୍ତା ରବିବାର ଦିନ ମୁମ୍ବାଇର ସବୁ ସୁଟିଂ ୟୁନିଟ୍‌ଗୁଡ଼ିକରେ ୧୫ ମିନିଟ୍‌ ବ୍ଲାକ୍‌ ଆଉଟ୍‌ ଘୋଷଣା ହୋଇଛି।

ହିଂସା ଓ ଧମକ ଗ୍ରହଣୀୟ ନୁହେଁ

‘ପଦ୍ମାବତୀ’ ବିବାଦକୁ ନେଇ ଆଜି ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ କହିଛନ୍ତି ଯେ ଏକ ଚଳଚ୍ଚିତ୍ର ବିରୋଧରେ ହିଂସାତ୍ମକ ପ୍ରଦର୍ଶନ ଓ ଧମକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ । ‘ପଦ୍ମାବତୀ’ ବିରୋଧରେ ଲାଗି ରହିଥିବା ହିଂସାତ୍ମକ ବିକ୍ଷୋଭ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଉପରାଷ୍ଟ୍ରପତିଙ୍କ ଏ ବାବଦ ଚେତାବନୀ ବେଶ୍‌ ଗୁରୁତ୍ୱ ବହନ କରୁଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସାହିତ୍ୟ ଉତ୍ସବରେ ଯୋଗଦେଇ ଭେଙ୍କୟା କହିଛନ୍ତି ଫିଲ୍ମକୁ ନେଇ ହିଂସାକାଣ୍ଡ ବୃଦ୍ଧି ପାଉଛି ଏବଂ ହତ୍ୟା ଧମକ ଦେଇ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଉଛି। କିନ୍ତୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ହିଂସାତ୍ମକ ଧମକକୁ କଦାପି ଗ୍ରହଣ କରାଯିବ ନାହିଁ। ସେ କହିଛନ୍ତି ଯେ କିଛି ଫଲ୍ମର ବିଷୟବସ୍ତୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଏବଂ ସଂସ୍କୃତିର ଲୋକମାନଙ୍କ ଭାବନାକୁ କଷ୍ଟ ଦେଉଥିବା ସେମାନେ ଅନୁଭବ କରୁଛନ୍ତି, ଫଳରେ ଏହାକୁ ନେଇ ବିରୋଧ ଓ ଉତ୍ତେଜନା ଉଗ୍ର ରୂପ ନେଉଛି। ଫିଲ୍ମଟି କେତେଦୂର ଗ୍ରହଣୀୟ ଏବଂ ଏହା ମୁକ୍ତିଲାଭ ପାଇଁ କେତେଦୂର ଯୋଗ୍ୟ ତାହା ବିଚାର କରିବା ପାଇଁ ଆଇନଗତ ସଂସ୍ଥା ରହିଥିବାରୁ ହିଂସାତ୍ମକ ବିରୋଧ ବରଦାସ୍ତଯୋଗ୍ୟ ନୁହେଁ ବୋଲି ଭେଙ୍କୟା କହିଛନ୍ତି। ସମସ୍ତ ସଂପ୍ରଦାୟ ଆଇନକୁ ସମ୍ମାନ ଦେବା ଏବଂ ଲୋକଙ୍କ ଭାବନାକୁ ସମ୍ମାନ ଦେବାକୁ ହେବ ବୋଲି ଉପରାଷ୍ଟ୍ରପତି କହିଛନ୍ତି।

ମମତାଙ୍କୁ ବିଜେପି ନେତାଙ୍କ ଧମକ: ସୁର୍ପଣଖାର ଦଶା ଭୋଗିବ

ହରିଆଣା ବିଜେପି ନେତା ସୁରଜ ପାଲ ଅମୁ ‘ପଦ୍ମାବତୀ’ ନାୟିକା ଦୀପିକା ଏବଂ ଫିଲ୍ମ ନିର୍ମାତା ସଞ୍ଜୟଙ୍କ ମୁଣ୍ଡକାଟ ଲାଗି ୧୦ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରି ଝଡ଼ ସୃଷ୍ଟି କରିଥିବାବେଳେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଧମକ ଦେଇଛନ୍ତି। ମମତା ପଦ୍ମାବତୀର ବିରୋଧକୁ କଡ଼ା ସମାଲୋଚନା କରି ବଲିଉଡ୍‌କୁ ସମର୍ଥନ କରୁଥିବାରୁ ଅମୁ କହିଛନ୍ତି ମମତାଙ୍କୁ ମଧ୍ୟ ରାମାୟଣର ରାକ୍ଷସୀ ସୁର୍ପଣଖା ଭଳି ଦଶା ଭୋଗିବାକୁ ପଡ଼ିବ।

ସମ୍ବନ୍ଧିତ ଖବର