ଏଫ୍‌ଏଟିଏଫ୍‌ର ନିଷ୍ପତ୍ତି : ପାକିସ୍ତାନ ୨୦୨୦ ଫେବ୍ରୁଆରି ପର୍ଯ୍ୟନ୍ତ ‘ଗ୍ରେ ଲିଷ୍ଟ୍‌’ରେ ରହିବ

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଏବଂ ଅନ୍ତର୍ଜାତୀୟ ମନି ଲଣ୍ଡରିଂକୁ ରୋକିବାରେ ବିଫଳ ହୋଇଥିବା ପାକିସ୍ତାନ ବିରୋଧରେ ପୂର୍ବରୁ ଥିବା କଟକଣାର ଯଥାସ୍ଥିତି ବଜାୟ ରଖିବାକୁ ଫାଇାନାନ୍‌ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ନିଷ୍ପତ୍ତି ନେଇଛି। ଫେବ୍ରୁଆରି ୨୦୨୦ ପର୍ଯ୍ୟନ୍ତ ପାକିସ୍ତାନ ପୂର୍ବ ଭଳି ‘ଗ୍ରେ ଲିଷ୍ଟ୍’ରେ ରହିବ। ଏହି ୪ ମାସ ମଧ୍ୟରେ ପାକିସ୍ତାନ ଯଥୋଚିତ ପଦକ୍ଷେପ ଗ୍ରହଣ କଲେ ଏହା କଳା ତାଲିକାଭୁକ୍ତ ହେବାରୁ ବର୍ତ୍ତିବ, ଅନ୍ୟଥା ଏହାକୁ କଳା ତାଲିକାଭୁକ୍ତ କରାଯିବ ବୋଲି ପ୍ୟାରିସ୍‌ରେ ଅନୁଷ୍ଠିତ ଏଫ୍‌ଏଟିଏଫ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଫ୍‌ଏଟିଏଫ୍‌ ବୈଠକରେ କୌଣସି ପ୍ରମୁଖ ରାଷ୍ଟ୍ରର ସମର୍ଥନ ପାକିସ୍ତାନକୁ ମିଳିନଥିଲେ ମଧ୍ୟ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ପାଇଁ ସମୟ ମାଗିଥିବାରୁ ଏହାକୁ ଗ୍ରହଣ କରାଯାଇଥିଲା ଏବଂ ଫେବ୍ରୁଆରି ୨୦୨୦ ସୁଦ୍ଧା ସବୁ ସର୍ତ୍ତ ପୂରଣ କରିବାକୁ କୁହାଯାଇଥିଲା। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପାକିସ୍ତାନ ବିଫଳ ହୋଇଥିବା ପ୍ରାୟ ସମସ୍ତ ସଦସ୍ୟ ରାଷ୍ଟ୍ର ସ୍ବୀକାର କରିଛନ୍ତି। ଏଫ୍‌ଏଟିଏଫ୍‌ର ୨୭ଟି ସର୍ତ୍ତରୁ ପାକିସ୍ତାନ କେବଳ ୬ଟି ପାଳନ କରିଛି।

ସମ୍ବନ୍ଧିତ ଖବର