୨୦୪୨ରେ ବାବର ଆଜମ୍ ପ୍ରଧାନମନ୍ତ୍ରୀ ହେବେ କି ନାହିଁ ଏହି ବିଶ୍ବକପର ଫଳାଫଳରୁ ଜଣାପଡ଼ିବ: ପାକ୍ ଅଭିନେତ୍ରୀ

ଇସଲାମାବାଦ: ଟି-୨୦ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ । ଦିନେ ବିଶ୍ବକପରୁ ବିଦା ହେବା ସ୍ଥିତିରେ ଥିବା ପାକିସ୍ତାନ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଫାଇନାଲରେ ପ୍ରବେଶ କରିଛି । ବୁଧବାରଦିନ ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଚାଲିଥିବା ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭ ଓ୍ବିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ । ଏହାକୁ ନେଇ ପାକିସ୍ତାନବାସୀ ଖୁସି ହେବା ସହ ଚଳିତ ବର୍ଷ ପାକ୍ ବିଶ୍ବକପ ହାତେଇବ ବୋଲି ଆଶା ରଖିଛନ୍ତି। ଏ ମଧ୍ୟରେ ପାକ୍ ଅଭିନେତ୍ରୀ ସେହର ଶିନବାରୀ କରିଥିବା ଟ୍ବିଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ପାକିସ୍ତାନ ଫାଇନାଲରେ ପ୍ରବେଶ କରିବା ପରେ ସେ ଅଧିନାୟକ ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଟ୍ବିଟ କରିଛନ୍ତି। ସେ କହିଛନ୍ତି ଯେ, ଏହି ବିଶ୍ୱକପ ସ୍ଥିର କରିବ ଯେ ବାବର ଆଜମ ୨୦୪୨ ମସିହାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ କି ନାହିଁ।

ଇମ୍ରାନଙ୍କ ଅଧିନାୟକତ୍ୱରେ ପାକିସ୍ତାନ ୧୯୯୨ ମସିହାରେ ଓଡିଆଇ ବିଶ୍ୱକପ ଜିତିଥିଲା। ଏହା ପରେ ଇମ୍ରାନଙ୍କ ଲୋକପ୍ରିୟତା ବଢ଼ିବା ସହ ପରବର୍ତ୍ତୀ ସମୟରେ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାକୁ ନେଇ ପାକ୍ ଅଭିନେତ୍ରୀ ବାବର ଆଜମଙ୍କ ପାଇଁ ଏଭଳି ଭବିଷ୍ୟବାଣୀ କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ସେହର ଶିନବାରୀ ନିଜ ଟ୍ବିଟକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଭାରତ ଏବଂ ଜିମ୍ବାୱେ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ସେ ଟ୍ବିଟ କରିଥିଲେ। ତାଙ୍କ ଟ୍ୱିଟରେ ସେ ଲେଖିଥିଲେ ଯେ, ଯଦି ଜିମ୍ବାୱେ ଦଳ ପରବର୍ତ୍ତୀ ମ୍ୟାଚରେ ଚମତ୍କାର କରି ଭାରତକୁ ପରାସ୍ତ କରେ ତେବେ ମୁଁ ଜଣେ ଜିମ୍ବାୱେ ଯୁବକଙ୍କୁ ବିବାହ କରିବି। ଏଭଳି ଟ୍ବିଟ  ପରେ ଟ୍ବିଟର ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଜଣେ ଟ୍ବିଟର ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଥିଲେ, ତା’ହେଲେ ମୋତେ ଦୁଃଖ ଲାଗିବ, କାରଣ ଆପଣଙ୍କ ବିବାହ ହୋଇପାରିବ ନାହିଁ।

ସମ୍ବନ୍ଧିତ ଖବର