ହାଇ କମିସନରଙ୍କୁ ଫେରାଇନେଲା ପାକିସ୍ତାନ

ଦୂତାବାସ ଅଧିକାରୀଙ୍କୁ ମାନସିକ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ଭାରତରେ ଥିବା ପାକିସ୍ତାନୀ ଦୂତାବାସ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭାରତ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ପାକିସ୍ତାନ ଆଜି ହାଇକମିସନର୍‌ ସୋହେଲ ମହମ୍ମଦଙ୍କୁ ଇସଲାମାବାଦ୍‌ ଫେରାଇ ନେଇଛି। ତେବେ ଏହି ପ୍ରସଙ୍ଗରେ ଭାରତ କହିଛି ଯେ ପାକିସ୍ତାନ ତା’ର ପୁରୁଣା ଚାଲ୍‌ ଖେଳି ମିଥ୍ୟା ଅଭିଯୋଗ ଆଣିଛି ଏବଂ ହାଇକମିସନରଙ୍କୁ ଇସ୍‌ଲାମାବାଦ ଡକାଇବା ପାକିସ୍ତାନର ରୁଟିନ୍‌ କାର୍ଯ୍ୟକ୍ରମର ଅଂଶବିଶେଷ। ତେବେ ପାକିସ୍ତାନର ଏଭଳି ଆଚରଣ ତା’ର ହତାଶାର ପରିଚୟ ଦେଉଛି ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବୀଶ କୁମାର କହିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମହମ୍ମଦ ଫୈଜାଲ କହିଛନ୍ତି ଯେ ମାମଲାର ସମାଧାନ ପାଇଁ ଭାରତକୁ ଅବଗତ କରାଯାଇଥିଲେ ମଧ୍ୟ ଭାରତ ଏହାର ଦୂତାବାସ ଅଧିକାରୀଙ୍କ ସମସ୍ୟା ସମାଧାନରେ ବିଫଳ ହୋଇଛି। ତେଣୁ ପାକିସ୍ତାନ ନୂଆଦିଲ୍ଲୀରେ ଅବସ୍ଥାପିତ ହାଇକମିସନରଙ୍କୁ ଇସଲାମାବାଦ୍‌ ଫେରାଇ ନେଇଛି।

ଦୁଇଦିନ ତଳେ ପାକିସ୍ତାନ ଭାରତର ଡେପୁଟି ହାଇକମିସନର ଜେ.ପି ସିଂହଙ୍କୁ ଏହି ପ୍ରସଙ୍ଗରେ ସମନ କରିଥିଲା। ପାକିସ୍ତାନ କହିଛି ଯେ ଗତ କିଛି ସପ୍ତାହ ଧରି ନୂଆଦିଲ୍ଲୀରେ ଅବସ୍ଥିତ ପାକିସ୍ତାନ ଦୂୂତାବାସ ଅଧିକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭାରତ ମାନସିକ ନିର୍ଯାତନା ଦେଉଛି। ପାକିସ୍ତାନ ଏ ସମ୍ପର୍କରେ ଇସଲାବାଦ୍‌ରେ ଅବସ୍ଥିତ ଭାରତୀୟ ହାଇକମିସନର ଏବଂ ନୂଆଦିଲ୍ଲୀ ସ୍ଥିତ ବିଦେଶ ମନ୍ତ୍ରାଳୟକୁ ଲିଖିତ ଅଭିଯୋଗ କରିଛିି। ଅଭିଯୋଗରେ କୁହାଯାଇଛି ଭାରତରେ ନିର୍ଯାତିତ ହୋଇ ରହିବା ଏବେ ପାକିସ୍ତାନର ଦୂତାବାସ ଅଧିକାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ନିମନ୍ତେ ଅସହ୍ୟ ହୋଇପଡ଼ିଛି। ସେମାନଙ୍କୁ ଲଗାତାର ହଇରାଣ ହରକତ କରାଯାଉଛି। ଅନ୍ୟପକ୍ଷରେ ଭାରତ ପାକିସ୍ତାନର ଏଭଳି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ବିନା କାରଣରେ ଜେରା ଓ ଯାଞ୍ଚ କରୁଥିବା ପାକିସ୍ତାନ ନିଜ ଦୋଷ ଲୁଚାଇବାପାଇଁ ଭାରତ ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ ଆଣିଛି। ପାକିସ୍ତାନରେ ମଧ୍ୟ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଗତ ମାସରେ ଇସଲାମାବାଦ୍‌ରେ ଭାରତୀୟ କୁଟନୀତିଜ୍ଞମାନଙ୍କ ପାଇଁ ଥିବା ଏକ ନିର୍ମାଣାଧୀନ ଘରେ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ୭/୮ ଜଣ ସଦସ୍ୟ ଚଢ଼ଉ କରିଥିଲେ ଏବଂ ଉକ୍ତ ଘରକୁ ବିଦ୍ୟୁତ ଏବଂ ପାଣି ସଂଯୋଗ କାଟି ଦେଇଥିଲେ। ଏନେଇ ଗତ ଫେବ୍ରୁଆରି ୧୬ ତାରିଖରେ ଭାରତର ହାଇକମିସନର ଅଜୟ ବିସାରିଆ ପାକିସ୍ତାନ ବିଦେଶ ସଚିବଙ୍କୁ ଭେଟି ଏହାର ପ୍ରତିବାଦ କରିଥିଲେ । ତେବେ ଏହାର ୨ ସପ୍ତାହ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର