୧୦ମ ଶ୍ରେଣୀ ପାକିସ୍ତାନୀ ଛାତ୍ରଙ୍କୁ ନିର୍ଯାତନା ଦେଇ ମାରିଦେଲେ ଶିକ୍ଷକ, ରାଗରେ ସ୍କୁଲ୍‌ରେ ନିଆଁ ଲଗାଇ ଦେଲେ କ୍ଲାସ୍‌ମେଟ୍‌

ନୂଆଦିଲ୍ଲୀ: ପାକିସ୍ତାନର ହଫିଜ୍‌ ହୁନୈନ୍‌ ବିଲାଲ୍‌ ନାମକ ଜଣେ ୧୦ ଶ୍ରେଣୀ ଛାତ୍ରଙ୍କୁ ତାଙ୍କ ସ୍କୁଲ୍‌ ଶିକ୍ଷକ ନିର୍ଯାତନା ଦେଇ ମାରିଦେବା ପରେ ତାଙ୍କର ଶ୍ରେଣୀସାଥୀମାନେ ରାଗିଯାଇ ଶନିବାର ଦିନ ସ୍କୁଲ୍‌ରେ ନିଆଁ ଲଗାଇ ଦେଇଛନ୍ତି।

ପାଠ ମୁଖସ୍ଥ ନ କରି ପାରିବାରୁ ଶିକ୍ଷକଙ୍କ ମାଡ଼ରେ ମୃତ୍ୟୁ ବରଣ କରିଥିବା ବିଲାଲ୍‌ର ଶ୍ରେଣୀସାଥୀମାନେ ପେଟ୍ରୋଲ୍‌ ବୋତଲ ଧରି ସକାଳେ ସ୍କୁଲ୍‌ ମଧ୍ୟକୁ ପ୍ରବେଶ କରିଥିଲେ। ସ୍କୁଲ୍‌ କୋଠାର ଦୁଇଟି କୋଠରିରେ ସେମାନେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ।
ନିଆଁ ଲିଭାଯିବା ପରେ ପୁଲିସ କେତେକ ଛାତ୍ରଙ୍କୁ ଗିରଫ କରିଥିଲା।

ଗୁରୁବାର ଦିନ ଘଟିଥିବା ଏହି ନିର୍ଯାତନାଜନିତ ମୃତ୍ୟୁ ଘଟଣାରେ ଲାହୋରର ଗୁଲ୍‌ସନ୍‌-ଏ-ରବି ଅଞ୍ଚଳରେ ଥିବା ଆମେରିକାନ ଲାଇସେଟଫ୍‌ ସ୍କୁଲ୍‌ର ସେ ଶିକ୍ଷକଙ୍କୁ ଗିରଫ କରାଯାଇଛି।

ପିଲାଟିର ସମ୍ପର୍କୀୟ ଭାଇ ଟୁଇଟ୍‌ କରିବା ପରେ ଏହି ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଯାଇଥିଲା।

ବିଲାଲ୍‌ଙ୍କ ପରିବାର ଲୋକେ ଓ ଶ୍ରେଣୀସାଥୀମାନେ କହିଛନ୍ତି, ଶିକ୍ଷକ କମ୍‌ରାନ୍‌ କାନ୍ଥରେ ତା’ର ମୁଣ୍ଡକୁ ପିଟିବା ପରେ ପିଠି ଓ ପେଟରେ ଲାତ ମାରିବା ପରେ ସେ ଅଚେତ ହୋଇ ପଡ଼ିଥିଲା। ପୁଣି ତାକୁ ଠିକଣା ସମୟରେ ଡାକ୍ତରଖାନାକୁ ନିଆଗଲା ନାହିଁ। ମାଡ଼ ଯୋଗୁଁ ତା’ର ମୃତ୍ୟୁ ଘଟିଲା ବୋଲି ଘୋଷଣା କରାଯାଇଥିଲା।

ପଞ୍ଜାବ ସ୍କୁଲ୍‌ ଶିକ୍ଷାମନ୍ତ୍ରୀ ମୁରାଦ ରାସ୍‌ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟିବା ପରେ ଅଭିଯୁକ୍ତଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର