ସୁପ୍ରିମକୋର୍ଟରେ ପରୀ ହତ୍ୟା ମାମଲାର ଶୁଣାଣି ଆରମ୍ଭ

ହାଇକୋର୍ଟ ସମ୍ପର୍କିତ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପରୀ ହତ୍ୟାକାଣ୍ଡ ମାମଲାର ଶୁଣାଣି ଆରମ୍ଭ ହୋଇଛି। ବିଚାରପତି ଏ.ଏମ୍‌.ଖାନୱିଲକର ଓ ବିଚାରପତି ସଞ୍ଜୀବ ଖାନ୍ନାଙ୍କର ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିବାବେଳେ ହାଇକୋର୍ଟଙ୍କ ଆଦେଶ ସମ୍ପର୍କିତ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ପରୀ ହତ୍ୟାକାଣ୍ଡ ସମ୍ପର୍କିତ ଓଡ଼ିଶା ହାଇକୋର୍ଟଙ୍କ ଦୁଇଟି ଆଦେଶକୁ ରେକର୍ଡରେ ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କିଛିଦିନ ତଳେ ହାଇକୋର୍ଟ ପରୀ ମାମଲାର ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଏହି ମାମଲା ସୁପ୍ରିମକୋର୍ଟରେ ବିଚାର ପରିସରଭୁକ୍ତ ହୋଇଥିବାରୁ ମାମଲା ଅଗ୍ରଗତିର କୌଣସି ଆବଶ୍ୟକତା ନାହିଁ ଏବଂ ଆବେଦନକାରୀ ଚାହିଁଲେ ସୁପ୍ରିମକୋର୍ଟରେ ପକ୍ଷଭୁକ୍ତ ‌ହୋଇପାରିବେ ବୋଲି ହାଇକୋର୍ଟ ଶୁଣାଣି ସମୟରେ କହିଥିଲେ। ଆଜି ସୁପ୍ରିମକୋର୍ଟ‌ରେ ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାମଲାକୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କହିବା ସହିତ କେଉଁଥିପାଇଁ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି, ସେ ସମ୍ପର୍କରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ, ଖଣ୍ଡପୀଠ ହାଇକୋର୍ଟ ବଦଳରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ପଛରେ କ’ଣ କାରଣ ସନ୍ନିବେଶିତ ରହିଛି, ଆବେଦନକାରୀଙ୍କ ଓକିଲଙ୍କଠାରୁ ତାହା ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତରରେ ଆବେଦନକାରୀଙ୍କ ଓକିଲ କହିଥିଲେ, ପରୀ ହତ୍ୟାକାଣ୍ଡ ସମ୍ପର୍କିତ ଦୁଇଟି ମାମଲାର ଶୁଣାଣି କରି ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏହାପରେ ଏହି ମାମଲାର ପ୍ରକୃତରେ ପୂର୍ଣ୍ଣଚ୍ଛେଦ ହୋଇଛି କି ନାହିଁ ଏବଂ ଏ ସମ୍ପର୍କରେ ହାଇକୋର୍ଟ କ’ଣ ଆଦେଶ ଦେଇଛନ୍ତି, ରେକର୍ଡ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜିର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ,ସିବିଆଇ ପକ୍ଷରୁ ଆଡିସିନାଲ ସଲିସିଟର ଜେନେରାଲ ଏ. ଭାଟ୍ଟି ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ ନୟାଗଡ଼ ଯଦୁପୁର ଗ୍ରାମର ବହୁଚର୍ଚ୍ଚିତ ୫ ବର୍ଷୀୟା ନାବାଳିକା ପରୀ(ଛଦ୍ମନାମ) ନିଖୋଜ, ହତ୍ୟା ତଥା ଦୁଷ୍କର୍ମ ଘଟଣାକୁ ଗତ ୧୪ ତାରିଖ ଦିନ ଏକ ବର୍ଷ ପୂରିଛି। ଗତବର୍ଷ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ୍‌ ଗାଏବ ହୋଇଯାଇଥିଲା। ସେହି ମାସ ୨୩ରେ ତା’ର କିଛି ହାଡ଼ ଓ ଖପୁରି ଉଦ୍ଧାର ହୋଇଥିଲା। ଯାହାକି, ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା। ଗତ ଜାନୁଆରିରେ ଓଡିଶା ପୋଲିସ ଦ୍ବାରା ପରୀ ହତ୍ୟାକାଣ୍ଡ ତଦନ୍ତ ଅଗ୍ରଗତିରେ ଅସନ୍ତୋଷ ପ୍ରକାଶ କରି ପରୀର ମାଆ ସୌଦାମିନୀ ସାହୁ ମାମଲାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅପରପକ୍ଷେ,ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ଏହି ମାମଲାରେ ସିବିଆଇ ତଦନ୍ତକୁ ବିରୋଧ କରାଯାଇଛି।

ସମ୍ବନ୍ଧିତ ଖବର