ଓମିକ୍ରନ ପ୍ରଭାବିତ ଆଫ୍ରିକୀୟ ଦେଶଙ୍କୁ ସହାୟତାର ହାତ ବଢାଇଲା ଭାରତ, ପ୍ରସଂଶା କଲେ କ୍ରିକେଟର କେଭିନ ପିଟରସନ

ନୂଆଦିଲ୍ଲୀ : ଓମିକ୍ରନ ଭୁତାଣୁ ଦ୍ବାରା ପ୍ରଭାବିତ ଆଫ୍ରିକୀୟ ଦେଶମାନଙ୍କୁ ଉନ୍ନତ ପାଶ୍ଚାତ୍ୟ ଦେଶମାନେ ଫ୍ଲାଇଟ ଚଳାଚଳ ବନ୍ଦ କରିଦେଇଥିବାବେଳେ ସହାୟତା କରିବାକୁ ଭାରତ ଆଗେଇ ଆସିଛି । ଦକ୍ଷିଣ ଆଫ୍ରିକା ସମେତ ଅନ୍ୟ ଦେଶମାନଙ୍କୁ ଭାରତରେ ଉତ୍ପାଦିତ ଟିକା, ପିପିଇ କିଟ୍, ଟେଷ୍ଟିଂ କିଟ୍ ଯୋଗାଇ ଦେବାକୁ ଭାରତ ସରକାର ଘୋଷଣା କରିଛନ୍ତି ।

ସୋମବାର ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଓମିକ୍ରନ ପ୍ରଭାବିତ ଆଫ୍ରିକୀୟ ଦେଶମାନଙ୍କୁ ଉତ୍ପାଦିତ ଟିକା, ପିପିଇ କିଟ୍, ଜୀବନ ରକ୍ଷାକାରୀ ଔଷଧ, ଟେଷ୍ଟିଂ କିଟ୍ ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ ଅଛି । କୋଭାକ୍ସ ମାଧ୍ୟମରେ ଟିକା ଯୋଗାଇ ଦିଆଯାଇପାରେ ।

ଭାରତର ଏହି ପ୍ରସ୍ତାବକୁ ପ୍ରସଂଶା କରିଛନ୍ତି ବିଶ୍ବ କ୍ରିକେଟର ଅନ୍ୟତମ ମହାନ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ହେଉଥିବା କେଭିନ ପିଟରସନ । ପିଟରସନ ପୂର୍ବରୁ ଇଂଲଣ୍ଡ ପାଇଁ ଖେଳୁଥିଲେ ବି ସେ ପ୍ରକୃତରେ ଦକ୍ଷିଣ ଆଫ୍ରିକାର ବାସିନ୍ଧା । ଏଣୁ ଦକ୍ଷିଣ ଆଫ୍ରିକାକୁ ଭାରତର ସହାୟତା ପ୍ରଦାନକୁ ସେ ପ୍ରସଂଶା କରିଛନ୍ତି ।

ଏକ ଟୁଇଟ କରି ସେ ଲେଖିଛନ୍ତି, “ ଭାରତ ପୁଣି ଥରେ ନିଜର ସେବାମୂଳକ ମନୋଭାବ ଦେଖାଇଛି । ଭାରତ ବିଶ୍ବର ସବୁଠୁ ଭଲ ଦେଶ ଓ ଏଠାରେ ଅନେକ ଭଲ ଲୋକ ରହନ୍ତି ।“

 

ସମ୍ବନ୍ଧିତ ଖବର