ବଢ଼ିଲା ପେଟ୍ରୋଲ୍‌, ଡିଜେଲ୍‌ ଦାମ୍; ଆଜିଠାରୁ ଲାଗୁ ହେବ ନୂତନ ଦର

ନୂଆଦିଲ୍ଲୀ : ଦୀର୍ଘ ଚାରି ମାସର ବ୍ୟବଧାନ ପରେ ‌‌ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ିଛି। ଉଭୟ ତେଲର ଲିଟର ପିଛା ଦାମ୍ ସର୍ବଭାରତୀୟ ସ୍ତରରେ ୮୦ ପଇସା ଲେଖାଏଁ ବଢ଼ିଛି। ଏ ସଂକ୍ରାନ୍ତରେ ଇଣ୍ଡିଆନ ଅଏଲ୍‌ ପକ୍ଷରୁ ଏହାର ଡିଲରମାନଙ୍କୁ ଅବଗତ କରାଯାଇଛି। ମଙ୍ଗଳବାର (୨୨ ତାରିଖ) ସକାଳ ୬ଟାରୁ ନୂତନ ଦର ଲାଗୁ ହେବ। ସୋମବାର ଭୁବନେଶ୍ବରରେ ପେଟ୍ରୋଲ୍‌ ଦାମ୍ ୧୦୧ ଟଙ୍କା ୮୧ ପଇସା ଓ ଡିଜେଲ ଦାମ୍ ୯୧ ଟଙ୍କା ୬୨ ପଇସା ଥିଲା। ମଙ୍ଗଳବାର ଠାରୁ ପେଟ୍ରୋଲ୍ ଦାମ୍ ୧୦୨ ଟଙ୍କା ୬୬ ପଇସା ଓ ଡିଜେଲ୍ ୯୨ ଟଙ୍କା ୪୮ ପଇସା ହୋଇଯିବ। ଭୁବନେଶ୍ବରରେ ପେଟ୍ରୋଲ୍‌ ଓ ଡିଜେଲ ପାଖାପାଖି ୮୫ ପଇସା ବଢ଼ିବ ବୋଲି ଜଣାପଡ଼ିଛି।

ୟୁକ୍ରେନ ଉପରେ ରୁଷ ଆକ୍ରମଣ ଯୋଗୁଁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୪୦ ଡଲାର ଅତିକ୍ରମ କରିବା ସତ୍ତ୍ବେ ତେଲ କଂପାନିଗୁଡ଼ିକ ଦାମ୍ ବଢ଼ାଇନଥି‌ଲେ। ‌ଉତ୍ତରପ୍ରଦେଶ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ନଥିଲେ। ଏପରିକି ନିର୍ବାଚନ ଫଳ ଚଳିତମାସ ୧୦ ତାରିଖରେ ପ୍ରକାଶ ପାଇବା ପରେ ବି ଦରକୁ ଆଜି ପର୍ଯ୍ୟନ୍ତ ସଂଶୋଧନ କରାଯାଇ ନଥିଲା। ଗତକାଲି ହଠାତ୍ ତେଲ କଂପାନିଗୁଡ଼ିକ ବଡ଼ ଗ୍ରାହକ ଯେଭଳିକି ସପିଙ୍ଗ ମଲ୍, ରେଳବାଇ, ପରିବହନକାରୀ ସଂସ୍ଥା ଆଦି କିଣୁଥିବା ଡିଜେଲ୍‌ର ମୂଲ୍ୟରେ ଏକସଙ୍ଗେ ଲିଟର ପିଛା ୨୫ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ। ତାହା ତୈଳ ଦରବୃଦ୍ଧି ଧାରାର ଆରମ୍ଭ ଥିଲା।

ଗତବର୍ଷ ନଭେମ୍ବରରେ କେନ୍ଦ୍ର ସରକାର ଏକକାଳୀନ ପେଟ୍ରୋଲ୍‌ରୁ ୫ ଟଙ୍କା ଓ ଡିଜେଲ୍‌ରୁ ୧୦ ଟଙ୍କାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ସେହି ସମୟରେ ପେଟ୍ରୋଲ୍ ଦାମ୍‌ ଦେଶର ବିଭିନ୍ନ ସ୍ଥାନରେ ୧୧୦ ଟଙ୍କାରୁ ଅଧିକ ହୋଇଯାଇଥିବାରୁ ଜନ ଅସନ୍ତୋଷ ଦେଖାଦେଇଥିଲା।

ସମ୍ବନ୍ଧିତ ଖବର