ନାଗରିକତା ଆଇନ ବିରୋଧୀ ଆନ୍ଦୋଳନ ପାଇଁ ୧୨୦ କୋଟି ଖର୍ଚ୍ଚ କରିଛି ପିଏଫଆଇ : ଇଡି

ନୂଆଦିଲ୍ଲୀ : ଭାରତରେ ଚାଲିଥିବା ନାଗରିକତା ଆଇନ ବିରୋଧୀ ହିଂସାକାଣ୍ଡ ଓ ଆନ୍ଦୋଳନ ପଛରେ ଏକ ସାଂଘାତିକ ଷଡ଼ଯନ୍ତ୍ର ଥିବା ଜାଣିବାକୁ ପାଇଛି ଏନଫୋର୍ସମେଣ୍ଟ ଡାଇେରେକ୍ଟରେଟ (ଇଡି) । ଏହି ହିଂସାତ୍ମକ ଆନ୍ଦୋଳନ ବେଶ ଯୋଜନାବଦ୍ଧ ଭାବରେ କରାଯାଇଥିଲା ଓ ଏଥିପାଇଁ କେରଳର ମୁସଲିମ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଅର୍ଥ ଯୋଗାଇଥିବା ଇଡି କହିଛି ।

ବେଆଇନ ଅର୍ଥ କାରବାର ସଂଦେହରେ ଗତ ୨୦୧୮ରୁ ପିଏଫ୍‌ଆଇ ଉପରେ ଇଡିର ନଜର ରହିଛି । ଇଡି ପକ୍ଷରୁ କୁହାଯାଇଛି ଯେ ନାଗରିକତା ଆଇନ ବିରୋଧୀ ଆନ୍ଦୋଳନ ପାଇଁ ପିଏଫଆଇ ପ୍ରାୟ ୧୨୦ କୋଟି ଟଙ୍କାର ପାଣ୍ଠି ଯୋଗାଇଛି । ଗତ ବର୍ଷ ଡିସେମ୍ବରରେ ଏହି ଆଇନ ସଂସଦରେ ଗୃହୀତ ହେବା ପରେ ପିଏଫଆଇ ପକ୍ଷରୁ ପଶ୍ଚିମ ଉତ୍ତରପ୍ରଦେଶରେ ଥିବା ଏକ ବ୍ୟାଙ୍କ ଖାତାକୁ ଏହି ରାଶିର ଏକ ବଡ଼ ଅଂଶ ପଠା ଯାଇଥିଲା । ଏହି ଅର୍ଥ ହିଁ ହିଂସାକାଣ୍ଡରେ ବ୍ୟବହୃତ ହୋଇଥିଲା ବୋଲି ଇଡି ସଂଦେହ କରୁଛି । ଇଡି ପକ୍ଷରୁ ଏହି ରିପୋର୍ଟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଛି ।  କେତେକ ବଡ଼ ନେତା ଓ ଓକିଲଙ୍କ ବ୍ୟାଙ୍କ ଖାତାକୁ ମଧ୍ୟ ଅର୍ଥ ପଠାଯାଇଥିବା କୁହାଯାଇଛି । ତେବେ ପିଏଫଆଇ ଇଡିର ଏହି ଅଭିଯୋଗକୁ ଖଣ୍ଡନ କରିଛି ।

ଗତ ଡିସେମ୍ବର ମାସରେ ଗୁଇନ୍ଦା ବ୍ୟୁରୋ (ଆଇବି) ମଧ୍ୟ ଏକ ସମାନ ପ୍ରକାରର ରିପୋର୍ଟ ଦେଇଥିଲା । ରିପୋର୍ଟରେ କୁହାଯାଇଥିଲା ଯେ ନାଗରିକତା (ସଂଶୋଧନ) ଆଇନକୁ ନେଇ ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ହୋଇଥିବା ହିଂସାକାଣ୍ଡ ପଛରେ ବାଂଲାଦେଶୀ ଓ କେରଳରୁ ଆସିଥିବା ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ହାତ ଥିଲା ।

ସମ୍ବନ୍ଧିତ ଖବର