ବଜେଟ୍-୨୦୨୧: ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଗୁରୁତ୍ବ, ମୋଟ୍ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ ଉପସ୍ଥାପନ କରିଛନ୍ତି। ନିଜର ବଜେଟ୍ ଅଭିଭାଷଣ ଆରମ୍ଭ କରି  ସେ କହିଛନ୍ତି ଯେ କେନ୍ଦ୍ର ସରକାର ଛଅଟି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ଏଥିମଧ୍ୟରୁ ସ୍ବାସ୍ଥ୍ୟ ସେବା ଓ ସୁସ୍ଥତାକୁ ପ୍ରାଧାନ୍ୟ ଦିଆଯାଉଛି। ଏଣୁ ଚଳିତ ଆର୍ଥିକ ବର୍ଷ ଲାଗି ସ୍ବାସ୍ଥ୍ୟ କ୍ଷେତ୍ରରେ ମୋଟ୍ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମୋଦୀ ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ର ଉପରେ ଅଧିକ ଫୋକସ୍ ଦେଉଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ସେ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନାରେ ୬୪ ହଜାର କୋଟି ଟଙ୍କାର କର୍ପସ୍ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ସେହିପରି ଆଗାମୀ ୬ ବର୍ଷରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଲାଗି ୬୪, ୧୮୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସେ ଘୋଷଣା କରିଛନ୍ତି।ଏଥିସହ ଚଳିତ ବଜେଟରେ କରୋନା ଟିକାକରଣ ଲାଗି ୩୫୦୦୦ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି।

ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନା ଦ୍ବାରା ୧୭,୦୦୦ ଗ୍ରାମୀଣ କେନ୍ଦ୍ର ଏବଂ ୧୧,୦୦୦ ସହରରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ଯୋଗାଇ ଦିଆଯିବ। ତେବେ ଜାତୀୟ ସ୍ବାସ୍ଥ୍ୟ ମିସନରୁ ପୂର୍ବରୁ ଯେଭଳି ସୁବିଧା ମିଳୁଥିଲା ତାହା ପୂର୍ବପରି ଚାଲୁ ରହିବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ତୃତୀୟ ବଜେଟ୍ ଉପସ୍ଥାପନ କରୁଛନ୍ତି । ସ୍ବାଧୀନ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବେ ସେ ଏହା ହେଉଛି ଚଳିତ ଦଶନ୍ଧିର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ୧୦୦ ବର୍ଷ ଭିତରେ ସମ୍ପୂର୍ଣ୍ଣ ନିଆରା ହେବ ଏବଂ କେବେ ଦେଖିନଥିବା ଭଳି ବଜେଟ୍ ଆସିବ ବୋଲି ନିର୍ମଳା କହିଛନ୍ତି। ଅନେକ କହନ୍ତି, ଅର୍ଥନୀତିରେ ତାଙ୍କର ଭଲ ଜ୍ଞାନ ନାହିଁ, କିନ୍ତୁ ସେମାନେ ଜାଣିନାହାନ୍ତି ଯେ ବିଶ୍ବର ଏକ ପ୍ରମୁଖ ଆର୍ଥିକ ସଂସ୍ଥା ପିଡବ୍ଲୁସିରେ କାର୍ଯ୍ୟ କରିବାର ଅଭିଜ୍ଞତା ନିର୍ମଳା ସୀତାରମଣଙ୍କ ପାଖରେ ରହିଛି।

ସମ୍ବନ୍ଧିତ ଖବର