ନୂଆଦିଲ୍ଲୀ:ପାକ୍ ଅଧିକୃତ କଶ୍ମୀରରେ ବାୟୁସେନାର ସର୍ଜିକାଲ୍ ଷ୍ଟ୍ରାଇକ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ୍ , ଗୃହମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ବୈଠକ ଇତିମଧ୍ୟରେ ସମାପ୍ତ ହୋଇଛି। ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବାର ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ ଏହି ଆକ୍ରମଣରେ ୨୦୦ରୁ ୩୦୦ ଆତଙ୍କବାଦୀ ମରିଥିବା ଜଣାପଡ଼ିଛି । ଖୁବ୍ ଶୀଘ୍ର ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରାଯାଇ ସେନା ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯିବ। ଜାତୀୟ ସୁରକ୍ଷା ପରାମର୍ଶଦାତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏ ସଂପର୍କରେ ସୂଚନା ଦେଇଛି। ଏହାକୁ ଭାରତର ଦ୍ୱିତୀୟ ପାକ୍ ସର୍ଜିକାଲ୍ ଷ୍ଟ୍ରାଇକ୍ ବୋଲି କୁହାଯାଉଛି। ବାୟୁସେନାର ଏହି ମିଶନ୍ ସଫଳ ହୋଇଛି। ପାକ୍ ଅଧିକୃତ କଶ୍ମୀରରେ ସେନାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।