ବିଜେପି କର୍ମୀଙ୍କ ବୋମାମାଡ଼ରେ ପୁଲିସ ଅଧିକାରୀଙ୍କ ହାତ ଛିଣ୍ଡିଲା

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ରବିବାର ରାମନବମୀ ଶୋଭାଯାତ୍ରାକୁ ନେଇ ବିଜେପି-ଟିଏମ୍‌ସି ମଧ୍ୟରେ ହୋଇଥିବା ବିବାଦ ଆଜି ହିଂସାର ରୂପ ନେଇଛି। ଗତକାଲି ଶୋଭାଯାତ୍ରାକୁ ପୁଲିସ୍‌ ଅଟକାଇଥିବାରୁ ଏହାକୁ ବିରୋଧ କରି ଆଜି ବିଜେପି କର୍ମୀମାନେ ଖଣ୍ଡା, ତ୍ରିଶୂଳ ଆଦିରେ ସଜ୍ଜିତ ହୋଇ ମୁର୍ଶିଦାବାଦର କାଣ୍ଡି ଥାନାରେ ପଶିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ୍‌ ସେମାନଙ୍କୁ ପ୍ରତିହତ କରିବାରୁ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଫଳରେ ଅନ୍ୟୂନ ୧୦ ଜଣ ଆହତ ହୋଇଛନ୍ତି। ଏଥିରେ ଉତ୍ତ୍ୟକ୍ତ ହୋଇ ବିଜେପି ଏବଂ ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ପୁଲିସ ଉପରକୁ ବୋମାମାଡ଼ କରିଥିଲେ। ଏଥିରେ ଆସାନସୋଲ-ଦୁର୍ଗାପୁର ଡିସିପି ଅରିନ୍ଦମ ଦତ୍ତ ଚୌଧୁରୀଙ୍କର ଗୋଟିଏ ହାତ ଛିଣ୍ଡିଯାଇଥିବା ବେଳେ ଆଉ ୨ଦୁଇ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷୋଭ ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ କରିଛନ୍ତି। ସୂଚନା ଥାଉ କି, ଗତକାଲି ପୁରୁଲିଆ ଅଞ୍ଚଳରେ ଶୋଭାଯାତ୍ରା ବେଳେ ବିଜେପି ଓ ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇ ଜଣଙ୍କର ମୃତ୍ୟୁ ଘଟିବା ସହ ୫ଜଣ ପୁଲିସ୍‌ କର୍ମୀଙ୍କ ସମେତ ୯ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର