ଗର୍ଜିଲେ ଠିକା ଷ୍ଟାଫ୍‌ ନର୍ସ ଓ ପାଥୋଲୋଜିକାଲ ଷ୍ଟାଫ୍‌

ଭୁବନେଶ୍ୱର : ଜାତୀୟ ସ୍ୱାସ୍ଥ୍ୟ ମିସନରେ ଦୁର୍ନୀତି ଚାଲିଛି। କେନ୍ଦ୍ରରୁ ଆସୁଥିବା ଟଙ୍କାକୁ ହରିଲୁଟ୍‌ କରାଯାଉଛି। କପଡ଼ା, ସଫା, ଗୃହ ଓ ଜରୁରୀକାଳୀନ ଚିକିତ୍ସା ଭତ୍ତାକୁ ଆତ୍ମସାତ କରାଯାଉଛି। ଏସବୁର ପ୍ରତିବାଦ କରି ଆଜି ଜାତୀୟ ସ୍ୱାସ୍ଥ୍ୟ ମିସନ ଠିକା ଷ୍ଟାଫ୍‌ନର୍ସ ଓ ପାଥୋଲୋଜିକାଲ ଷ୍ଟାଫ୍‌ ସଂଘ କର୍ମକର୍ତ୍ତା ରାମ ମନ୍ଦିର ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସେଠାରେ ସେମାନେ ସରକାରଙ୍କ ବିରୋଧରେ ଗର୍ଜିବା ସହ ବିଧାନସଭା ଆଡ଼କୁ ମାଡ଼ି ଯାଇଥିଲେ। ଯାହକୁ ନେଇ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରି ପରେ ଛାଡ଼ି ଦେଇଥିଲା।

ସଂଘ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ୧୫ ବର୍ଷ ହେବ ଆମେ ଲୋକମାନଙ୍କୁ ସେବା ଯୋଗାଇ ଆସୁଥିଲେ ମଧ୍ୟ ଆମ ଚାକିରି ସ୍ଥାୟୀ କରାଯାଇ ନାହିଁ। କୌଣସି ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ନାହିଁ। ତେଣୁ ସମସ୍ତ ଠିକା ଷ୍ଟାଫ୍‌ନର୍ସ ଓ ପାଥୋଲୋଜି ଷ୍ଟାଫ୍‌ମାନଙ୍କୁ ସ୍ଥାୟୀ ନିଯୁକ୍ତି, କେନ୍ଦ୍ର ସରକାରଙ୍କ ମୁତାବକ ମାସିକ ଦରମା ପ୍ରଦାନ କରିବା, ଜରୁରୀକାଳୀନ ଚିକିତ୍ସା ଭତ୍ତା ୫ଲକ୍ଷ ପ୍ରଦାନ କରିବା, କପଡ଼ା ଭତ୍ତା, ସଫା ଭତ୍ତା ଓ ଗୃହ ଭତ୍ତା ପ୍ରଦାନ କରିବାକୁ ସଂଘ ଦାବି କରିଛି। ଯଦି ସରକାର ତୁରନ୍ତ ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର