ଜେଡିୟୁରେ ପ୍ରଶାନ୍ତ କିଶୋର

ବିଜେପି ସହିତ ସମ୍ମାନଜନକ ଆସନ ବୁଝାମଣା ହୋଇଛି: ନୀତୀଶ

ପାଟନା: ଦେଶର ଜଣାଶୁଣା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ରବିବାର ନୀତୀଶ କୁମାରଙ୍କ ଜେଡି(ୟୁ)ରେ ଯୋଗଦେଇଛନ୍ତି। ଜେଡିୟୁର ଆଜି କାର୍ଯ୍ୟକାରିଣୀ ବୈଠକ ଚାଲିଥିବା ବେଳେ ପ୍ରଶାନ୍ତଙ୍କ ଯୋଗଦାନ ସଂପର୍କରେ ଘୋଷଣା କରାଯାଇଥିଲା। ୨୦୧୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିଜୟରେ ପ୍ରଶାନ୍ତଙ୍କ ରଣନୀତି କାମଦେଇଥିବା କୁହାଯାଉଛି। ତେଣୁ ତାଙ୍କୁ ନେଇ ନୀତୀଶ କୁମାର ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ବାଜିମାତ୍‌ ମାରିବେ ବୋଲି ଆଶା ରଖିଛନ୍ତି।

ଆଜି ନୀତୀଶଙ୍କ ସରକାରୀ ବାସଭବନରେ ଦଳର କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ପ୍ରଶାନ୍ତଙ୍କୁ ଉପଢ଼ୌକନ ଦିଆଯାଇ ଦଳକୁ ସ୍ୱାଗତ କରାଯାଇଥିଲା। ଦଳରେ ଯୋଗଦାନ ସ୍ୱରୂପ ତାଙ୍କୁ ନୀତୀଶଙ୍କ ପକ୍ଷରୁ ଏକ ପ୍ରମାଣପତ୍ର ମଧ୍ୟ ଦିଆଯାଇଥିଲା। ଏହାପରେ ବୈଠକରେ ତାଙ୍କୁ ବସିବା ପାଇଁ ଏକ ଆସନ ଛଡ଼ାଯାଇଥିଲା। ନୀତୀଶଙ୍କ ପାଖାପାଖି ସେ ବସିଥିବା ଦେଖିବାକୁ ମିଳିଥିଲା। ସେପଟେ ପ୍ରଶାନ୍ତ ନୀତୀଶ କୁମାରଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ବିଜେପି-ଜେଡିୟୁ ମେଣ୍ଟକୁ ଅଧିକ ସୁଦୃଢ଼ କରିବା ପାଇଁ ଏବେ ଦୁଇ ଦଳ ଆସନ ବୁଝାମଣା ଚୂଡ଼ାନ୍ତ କରିଥିବା ନୀତୀଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବିଜେପି ସହ ସମ୍ମାନଜନକ ବୁଝାମଣା ହୋଇଛି ଏବଂ ଖୁବ୍‌୍‌ଶୀଘ୍ର ଏ ବାବଦରେ ଆନୁଷ୍ଠାନିକ ଘୋଷଣା ହେବ।

ସମ୍ବନ୍ଧିତ ଖବର