ସିଂଘୁରେ ଦୀର୍ଘକାଳୀନ ଆନ୍ଦୋଳନ ପାଇଁ ପ୍ରସ୍ତୁତି, ମାସ ମାସ ଧରି ରହିବା ପାଇଁ ବ୍ୟବସ୍ଥା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଆଗାମୀ ଦିନରେ ଆହୁରି ବ୍ୟାପକ କରିବାକୁ ଯୋଜନା ହେଉଛି। ଚାଷୀ ଆନ୍ଦୋଳନର ମୁଖ୍ୟ ସ୍ଥଳ ଦିଲ୍ଲୀ ସିଂଘୁ ସୀମାରେ ଦୀର୍ଘକାଳୀନ ଆନ୍ଦୋଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିିଛି। ଏପରିକି ଚାଷୀମାନେ ପରିବାର ସହ ମାସ ମାସ ଧରି ରହିବା ପାଇଁ ବ୍ୟବସ୍ଥା ହେଉଛି। ନୂଆ କୃଷି ଆଇନରେ ସମସ୍ତ ପ୍ରାବଧାନ ଇଚ୍ଛାଧୀନ ଏବଂ ଏଥିରେ କୌଣସି ଚାଷୀଙ୍କ ପାଇଁ ବାଧ୍ୟବାଧକତା ନାହିଁ ବୋଲି ଗତକାଲି ପ୍ରଧାନମନ୍ତ୍ରୀ ଲୋକସଭାରେ ସ୍ପଷ୍ଟ କରିବା ସହ ମଣ୍ଡି ଏବଂ ଏମ୍‌ଏସ୍‌ପି ବ୍ୟବସ୍ଥା ଉଠିବାର ପ୍ରଶ୍ନ ନାହିଁ ବୋଲି କହିଥିଲେ। ତେବେ ଏହା ସତ୍ତ୍ବେ ଆନ୍ଦୋଳନକାରୀ ଚାଷୀମାନେ ସେମାନଙ୍କ ଜିଦ୍‌ରେ ଅଟଳ ଅଛନ୍ତି। ଚାଷୀ ନେତା ରାକେଶ ଟିକାୟତ ଅକ୍ଟୋବର ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ପୂର୍ବରୁ ଘୋଷଣା କରିଥିବାରୁ ଆନ୍ଦୋଳନସ୍ଥଳଗୁଡ଼ିକୁ ସେହି ଅନୁସାରେ ପ୍ରସ୍ତୁତ କରାଯାଉଛି।

ଆନ୍ଦୋଳନ ପାଇଁ ବିଭିନ୍ନ ଉତ୍ସରୁ ପାଣ୍ଠି ପହଞ୍ଚିବା ପରେ ଏବେ ଆନ୍ଦୋଳନସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଭିତ୍ତିଭୂମି ବିକାଶ କରାଯାଉଛି। ଚାଷୀ ପରିବାରମାନେ ମାସ ମାସ ଧରି ଡେରା ପକାଇବା ପାଇଁ ବ୍ୟବସ୍ଥା ହେଉଛି। ମହିଳା ଆନ୍ଦୋଳନକାରୀଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଆନ୍ଦୋଳନ ସ୍ଥଳକୁ ପ୍ରତିଦିନ ଯେଭଳି ନୂଆ ନୂଆ ଅଂଚଳରୁ ଚାଷୀ ଆସିବେ ସେଥିପାଇଁ ଯୋଗାଯୋଗ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯାଇଛି। ଅନ୍ୟପକ୍ଷରେ ଆନ୍ଦୋଳନକୁ ନେଇ ପଂଜାବ ଏବଂ ହରିୟାଣାରେ ସମସ୍ୟା ବଢ଼ୁଥିବାରୁ ଉଭୟ ରାଜ୍ୟ ସରକାର ଚାଷୀ ନେତାମାନଙ୍କୁ କେନ୍ଦ୍ର ସରକାରଙ୍କ ସହ ତାଳମେଳ ରଖି କାମ କରିବାକୁ କହିଛନ୍ତି। ପୂର୍ବରୁ ହୋଇଥିବା ସମସ୍ତ ଆଲୋଚନା ବିଫଳ ହୋଇଥିବା ବେଳେ ଏବେ ପରବର୍ତ୍ତୀ ଆଲୋଚନା ପାଇଁ ତାରିଖ ସ୍ଥିର ହୋଇନାହିଁ।

ସମ୍ବନ୍ଧିତ ଖବର