ଏଥର ଗ୍ରୀଷ୍ମଋତୁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୋଜିସଭାରେ ଆତିଥ୍ୟ ଦେଇପାରନ୍ତି ରାଷ୍ଟ୍ରପତି ବାଇଡେନ୍‌: ରିପୋର୍ଟ

ନୂଆଦିଲ୍ଲୀ: ଏଥର ଗ୍ରୀଷ୍ମଋତୁରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କୁ ଭୋଜିସଭାରେ ଆପ୍ୟାୟନ କରିବା ଲାଗି ଯୋଜନା କରୁଛନ୍ତି ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ବ୍ୟକ୍ତିମାନେ କହିଛନ୍ତି।

ଅବାଧ ଏବଂ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଆମେରିକୀୟ ପ୍ରଶାସନ ନୀତି ଓ ଉପକ୍ରମ ସହିତ ଅଗ୍ରସର ହେଉଥିବା ବ‌େଳେ ଏହି ସରକାରୀ ଗସ୍ତ ଆମେରିକା ଓ ଭାରତର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ସଙ୍କେତ ଦେଉଛି। ସୂଚନା ଯୋଗ୍ୟ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍‌ ତା’ର ପ୍ରାଧାନ୍ୟ ବିସ୍ତାର କରିଚାଲିଥିବାରୁ ଆମେରିକା ଉପରୋକ୍ତ ପଦ‌କ୍ଷେପ ଗ୍ରହଣ କରୁଛି।

‘ଷ୍ଟେଟ୍‌ ଡିନର୍‌’ ବା ଭୋଜିସଭା ଜୁନ୍‌ ମାସରେ କରିବା ଲାଗି ହ୍ବାଇଟ୍‌ ହାଉସ୍‌ ଲକ୍ଷ୍ୟ ରଖିଥିଲେ ସୁଦ୍ଧା ନିର୍ଦ୍ଧାରିତ ସମୟରେ ଅଦଳ ବଦଳ ହୋଇପାରେ ବୋଲି ତଥ୍ୟାଭିଜ୍ଞମାନେ କହିଛନ୍ତି। କିନ୍ତୁ, ଏ ସଂକ୍ରାନ୍ତରେ ମନ୍ତବ୍ୟ ଦେବା ଲାଗି ଜାତୀୟ ସୁରକ୍ଷା ପରିଷଦ୍‌ର ଜଣେ ମୁଖପାତ୍ର ଅଗ୍ରାହ୍ୟ କରି ଦେଇଛନ୍ତି।

Image Courtesy of The Economic Times

ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ଭାରତ ନୂଆଦିଲ୍ଲୀରେ ‘ଗ୍ରୁପ୍‌ ୨୦’ ନେତାମାନଙ୍କର ଶିଖର ସମ୍ମିଳନୀ ଆୟୋଜନ କରୁଛି। ସେଠାରେ ଆଲୋଚନାର ପ୍ରମୁଖ ବିଷୟଗୁଡ଼ିକ ମଧ୍ୟରୁ ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣ ହେବ ଅନ୍ୟତମ। ସେଠାକୁ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଆସିବେ କି, ନାହିଁ ତାହା ଜଣାପଡ଼ିନାହିଁ।

ସେହିପରି ମେ’ ମାସରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରେଲିଆରେ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ଭେଟି ପାରନ୍ତି। ସେଠାରେ ହେବାକୁ ଥିବା ‘କ୍ବାଡ୍‌’ ଶିଖର ବୈଠକରେ ଯୋଗ ଦେବାକୁ ଜାପାନର ନେତା ବି ଆସିବେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏହି ଭୋଜିସଭା ହେବ ରାଷ୍ଟ୍ରପତି ବାଇଡେନ୍‌ଙ୍କ ତୃତୀୟ ‘ଷ୍ଟେଟ୍‌ ଡିନର୍‌’। ଏହା ପୂର୍ବରୁ ଡିସେମ୍ବର ମାସରେ ସେ ଫରାସୀ ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ ଏବଂ ଏପ୍ରିଲ୍‌ ମାସରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୂନ୍‌ ସୁକ ୟେଓଲ୍‌ଙ୍କୁ ‘ଷ୍ଟେଟ୍‌ ଡିନର୍‌’କୁ ଆମନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର