ଟ୍ରେନ୍ ଓ ଷ୍ଟେସନ୍‌ରେ ଚାହିଦା ଅନୁଯାୟୀ କଣ୍ଟେଣ୍ଟ ସେବା, ୮୭୩୧ଟି ଟ୍ରେନ ଓ ୫୫୬୩ଟି ଷ୍ଟେସନରେ ଉପଲବ୍ଧ ହେବ

୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଚାହିଦା ମୁତାବକ କଣ୍ଟେଣ୍ଟ ସେବା (ସିଓଡି) ସେବା ଖୁବ୍‌ଶୀଘ୍ର ଯୋଗାଇ ଦିଆଯିବ। ଏହି ସେବା ସମସ୍ତ ପ୍ରିମିୟମ, ଏକ୍ସପ୍ରେସ୍‌, ମେଲ ଟ୍ରେନ ଓ ସହରାଞ୍ଚଳ ଟ୍ରେନ୍‌ରେ ମିଳିପାରିବ। ଅଧିକ ଅଣଭଡ଼ା ରାଜସ୍ବ ସଂଗ୍ରହ ଉେଦ୍ଦଶ୍ୟରେ ରେଳ ମନ୍ତ୍ରାଳୟ ଅଧୀନ ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରେଲଟେଲ ସହିତ ମିଶି ରେଳବାଇ ବୋର୍ଡ ଟ୍ରେନ୍‌ରେ ଯାତ୍ରୀଙ୍କ ପାଇଁ ଚାହିଦା ମୁତାବକ ସେବା ଯୋଗାଇ ଦିଆଯିବାକୁ ଯୋଜନା କରାଯାଇଛି। ଏଥିପାଇଁ ରେଲଟେଲ ପକ୍ଷରୁ ଜି ମନୋରଞ୍ଜନର ଏକ ସହାୟକ କମ୍ପାନୀ ମେସର୍ସ ମାର୍ଗୋ ନେଟୱାର୍କକୁ ଡିଜିଟାଲ ମନୋରଞ୍ଜନ ସେବା ପ୍ରଦାନକାରୀ ଭାବେ ଚୟନ କରାଯାଇଛି।

ଏହି ପ୍ରକଳ୍ପ ଅନ୍ତର୍ଗତ ରେଲଟେଲ ପକ୍ଷରୁ ଚଳନ୍ତା ଟ୍ରେନ୍‌ରେ ସଂଯୋଗ ହୋଇଥିବା ମିଡିଆ ସର୍ଭର ଜରିଆରେ ପୂର୍ବରୁ ଲୋଡ ହୋଇଥିବା ବିଭିନ୍ନ ଭାଷାର କାର୍ଯ୍ୟକ୍ରମ(ଚଳଚ୍ଚିତ୍ର, ସଂଗୀତ ଭିଡିଓ, ସାଧାରଣ ମନୋରଞ୍ଜନ, ଲାଇଫଷ୍ଟାଇଲ ଆଦି) ଯୋଗାଇ ଦିଆଯିବ। ସିଓଡି ପ୍ଲାଟଫର୍ମ ଜରିଆରେ ଇ–କମର୍ସ/ଏମ–କମର୍ସ ସେବା, ଯାତ୍ରା ବୁକିଂ (କ୍ୟାବ, ବସ, ଟ୍ରେନ) ସେବା ଯୋଗାଇ ଦିଆଯିବ। ଏହାଛଡ଼ା ଡିଜିଟାଲ ମାକେର୍ଟିଂ କ୍ଷେତ୍ରରେ ବିଭିନ୍ନ ଅଭିନବ ସମାଧାନ ମଧ୍ୟ ଉପଲବ୍ଧ ହେବ। ସିଓଡି ମାଧ୍ୟମରେ ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀମାନେ ସେମାନଙ୍କ ବ୍ୟକ୍ତିଗତ ଡିଭାଇସ ଜରିଆରେ ବାଧାମୁକ୍ତ ମାଗଣା କିମ୍ବା ଶୁଳ୍କଯୁକ୍ତ ମନୋରଞ୍ଜନ ସେବା ଏବଂ ଉଚ୍ଚ ମାନର ଇଣ୍ଟର୍‌ନେଟ୍‌ ସେବା ପାଇପାରିବେ।

ଏହି ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ରେଲଟେଲର ସିଏମଡି ପୁନୀତ ଚାଓଲା କହିଛନ୍ତି ଯେ, ୨୦୨୨ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ। ଚାହିଦା ଅନୁଯାୟୀ କଣ୍ଟେଣ୍ଟ ସେବା ଯାତ୍ରୀଙ୍କ ଯାତ୍ରା ଅନୁଭୂତିରେ ସୁଧାର ଆଣିପାରିବ। ଏହା ଅଣଭଡ଼ା ରାଜସ୍ବ ମଧ୍ୟ ବୃଦ୍ଧି କରିବ। ଏହି ସେବା ଭାରତୀୟ ରେଳପଥର ସମସ୍ତ ୧୭ଟି ଜୋନରେ ଉପଲବ୍ଧ ହେବ। ସାରା ଦେଶରେ ଚାଲୁଥିବା ୩୦୦୩ଟି ପ୍ରିମିୟମ, ମେଲ୍‌ ଓ ଏକ୍ସପ୍ରେସ୍‌ ଟ୍ରେନ, ୨୮୬୪ ଯୋଡ଼ା ସହରାଂଚଳ ଟ୍ରେନ (ମୋଟ ୫୭୨୮ଟି ଟ୍ରେନ)କୁ ମିଶାଇ ୮୭୩୧ଟି ଟ୍ରେନରେ ଏହି ସେବା ଯୋଗାଇ ଦେବା ଲାଗି ଯୋଜନା ହୋଇଛି। ସେହିପରି ଦେଶରେ ଥିବା ୫୫୬୩ଟି ୱାଇଫାଇ ସଂଯୁକ୍ତ ରେଳ ଷ୍ଟେସନରେ ସିଓଡି ସେବା ମିଳିପାରିବ ବୋଲି ଶ୍ରୀ ଚାଓଲା କହିଛନ୍ତି।

ସମ୍ବନ୍ଧିତ ଖବର