ଭାରତ ଓ ଏହାର ବିକାଶ ସମ୍ଭାବ୍ୟତାକୁ ପୁଟିନଙ୍କ ପ୍ରଶଂସା

ନୂଆଦିଲ୍ଲୀ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତକୁ ପୁଣି ଥରେ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟମାନେ ହେଉଛନ୍ତି ଅତ୍ୟନ୍ତ ମେଧାବୀ ଏବଂ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲର ସମ୍ଭାବ୍ୟତାକୁ ନେଇ ସେମାନେ ପରିଚାଳିତ ହେଉଛନ୍ତି। ନଭେମ୍ବର ୪ ରୁଷ୍ ଏକତା ଦିବସ ଅବସରରେ ଉଦ୍‌ବୋଧନ ଦେଇ ମସ୍କୋର ଦୀର୍ଘକାଳର ବନ୍ଧୁ ରାଷ୍ଟ୍ର ଭାରତର ସମ୍ଭାବ୍ୟତା ଉପରେ ଏପରି ମତବ୍ୟକ୍ତ କରିଥିଲେ।

ପୁଟିନ କହିଲେ ଯେ, ଭାରତର ପ୍ରଚଣ୍ଡ ବିକାଶ ସମ୍ଭାବ୍ୟତା ରହିଛି। ଏହାକୁ ନେଇ ଏହାର ମେଧାବୀ ଜନସାଧାରଣ ଆଗକୁ ବଢ଼ୁଛନ୍ତି। ଏହା ନିଶ୍ଚିତ ଭାବେ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବ। ଗତ ସପ୍ତାହରେ ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସ୍ବାଧୀନ ବିଦେଶ ନୀତିକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ବିଶ୍ବ ବ୍ୟାପାରରେ ନୂଆଦିଲ୍ଲୀର ଭୂମିକା ବୃଦ୍ଧି ପାଇବ ବୋଲି ସେ କହିଥିଲେ। ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆଗାମୀ ସପ୍ତାହରେ ମସ୍କୋ ଗସ୍ତରେ ଯିବାର ଥିବା ବେଳେ ତା’ ପୂର୍ବରୁ ପୁଟିନ ଏଭଳି ମତ ପ୍ରକାଶ କରିଛନ୍ତି। ନଭେମ୍ବର ୭ ଓ ୮ରେ ଜୟଶଙ୍କର ଦୁଇଦିନିଆ ଗସ୍ତରେ ଯାଇ ରୁଷ୍‌ର ବିଦେଶ ମନ୍ତ୍ରୀ ସର୍ଗେ ଲାଭରୋଭଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ଉପପ୍ରଧାନମନ୍ତ୍ରୀ ତଥା ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ଡେନିସ ମଣ୍ଟୁରୋଭଙ୍କ ସହ ମଧ୍ୟ ସେ କଥାବାର୍ତ୍ତା କରିବେ।

ସମ୍ବନ୍ଧିତ ଖବର