ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ରବିବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସୁଆ ଓଲାନ୍ଦ ଏବଂ ରାହୁଲଙ୍କ ବୟାନ ମଧ୍ୟରେ ସାମଞ୍ଜସ୍ୟ ରହିଛି ଏବଂ ଉଭୟ ସରକାରଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର କରିଥିବା ଜେଟ୍ଲି ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ମିଛ କହିବା ବନ୍ଦ କରନ୍ତୁ ବୋଲି ରାହୁଲ କହିଛନ୍ତି। ମିଳିତ ସଂସଦୀୟ କମିଟି ଦ୍ୱାରା ଏହାର ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଜେଟ୍ଲି କହିଛନ୍ତି ଯେ ଓଲାନ୍ଦଙ୍କ ପକ୍ଷରୁ ଏଭଳି ବିସ୍ଫୋରକ ବୟାନ ପ୍ରକାଶ ପାଇବା ପୂର୍ବରୁ ରାହୁଲ ଏ ବାବଦରେ ଭଲ ଭାବେ ଆଗରୁ ଜାଣିସାରିଥିଲେ। ଏଥିପାଇଁ ଆଗୁଆ ସୂଚନା ମଧ୍ୟ ଦେଇଥିଲେ। ଅଗଷ୍ଟ ୩୦ ତାରିଖରେ ରାହୁଲ ଟ୍ଵିଟ୍ କରି ଏ ନେଇ ସଂକେତ ଦେଇଥିଲେ। ସେ କହିଥିଲେ, ଆଗାମୀ କିଛି ସପ୍ତାହ ମଧ୍ୟରେ ଏକ ବଡ଼ ଧରଣର ବିସ୍ଫୋରଣ ହେବାକୁ ଯାଉଛି। ସେ ପ୍ରକୃତରେ ରାଫେଲ୍ ଚୁକ୍ତି ପ୍ରସଙ୍ଗରେ ହିଁ ଏଭଳି ମନ୍ତବ୍ୟ ରଖିଥିଲେ ବୋଲି ଜେଟ୍ଲି ଦର୍ଶାଇଛନ୍ତି। ତାଙ୍କ କହିବାନୁଯାୟୀ, ଉଭୟ ଦେଶର ସରକାରଙ୍କୁ ଫସାଇବା ଲାଗି ଓଲାନ୍ଦ ଏବଂ ରାହୁଲଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ତେଣୁ ଓଲାନ୍ଦ ରାଫେଲ୍ ଚୁକ୍ତି ପ୍ରସଙ୍ଗରେ ବେପରୁଆ ଭାବେ ଭିତ୍ତିହୀନ ବୟାନ ଦେବା କ୍ଷଣି ଏଥିପାଇଁ ଅପେକ୍ଷା କରିଥିବା ରାହୁଲ ସଙ୍ଗେ ସଙ୍ଗେ ଟ୍ଵିଟ୍ କରି ମୋଦୀ ସରକାରଙ୍କୁ ଜବାବ ମାଗିବା ସହିତ ବିଭିନ୍ନ କଟୁ ମନ୍ତବ୍ୟ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଚୁକ୍ତି ବାତିଲ କରିବା ପ୍ରଶ୍ନ ଉଠୁନାହିଁ
ମିଛ କହିବା ବନ୍ଦ କର: ରାହୁଲ
ଉଲ୍ଲେଖଯୋଗ୍ୟ, ଗତ ୨୧ ତାରିଖରେ ଓଲାନ୍ଦ କହିଥିଲେ, ରାଫେଲ ଚୁକ୍ତି ପାଇଁ ଭାରତ ସରକାର ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଡିଫେନ୍ସର ନାମ ପ୍ରସ୍ତାବ ଦେଇଥିଲେ ଏବଂ ନିର୍ମାଣକାରୀ ସଂସ୍ଥା ଡାସଲ୍ଟ ଏଭିଏସନ୍ କମ୍ପାନି ପାଖରେ ରିଲାଏନ୍ସ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ତେଣୁ ଉଭୟଙ୍କ ମଧ୍ୟରେ ଚୁକ୍ତି ସମ୍ପନ୍ନ ହୋଇଥିଲା। ଏକ ସାକ୍ଷାତକାର ଦେଇ ଓଲାନ୍ଦ ଏଭଳି କହିଥିଲେ। କିନ୍ତୁ ରାଫେଲ୍ ଚୁକ୍ତିକୁ ନେଇ ଫ୍ରାନ୍ସ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ପ୍ରକାଶ ପାଇବା ପରେ ଓଲାନ୍ଦ ନିଜ ମନ୍ତବ୍ୟ ବଦଳାଇଥିଲେ। ଭାରତ ସରକାରଙ୍କ ପକ୍ଷରୁ ଚାପ ପ୍ରୟୋଗ ଯୋଗୁ ରିଲାଏନ୍ସ ଓ ଡାସଲ୍ଟ ମଧ୍ୟରେ ଚୁକ୍ତି ହୋଇଥିବା ବିଷୟକୁ ସେ ଖଣ୍ଡନ କରିଥିଲେ। ଏ ବାବଦରେ ସେ କିଛି ଜାଣନ୍ତି ନାହିଁ ବୋଲି ଦର୍ଶାଇଥିଲେ। ଅପରପକ୍ଷେ ରିଲାଏନ୍ସ ସହିତ ଚୁକ୍ତି କରିବା ପାଇଁ ଡାସଲ୍ଟ ନିଜେ ନିଷ୍ପତ୍ତି ନେଇଥିବା ଶନିବାର ସ୍ପଷ୍ଟ କରିଥିଲା। ତେଣୁ ଏ ନେଇ ମୋଦୀ ସରକାରଙ୍କ ହାତ ନାହିଁ ବୋଲି ସ୍ପଷ୍ଟ ହୋଇଥିଲା। ଜେଟ୍ଲି କହିଛନ୍ତି, ରାହୁଲ ଏବେ ପ୍ରତିଶୋଧପରାୟଣ ହୋଇ ଏଭଳି ମନଗଢ଼ା ଅଭିଯୋଗ ଆଣୁଛନ୍ତି। ଯଦି ଓଲାନ୍ଦ ଓ ରାହୁଲଙ୍କ ମଧ୍ୟରେ ପ୍ରକୃତରେ ଜୁଗଳବନ୍ଦୀ ହୋଇଥିବ, ତା’ହେଲେ ଏଥିପାଇଁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ସେ ଦର୍ଶାଇଛନ୍ତି। କାରଣ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିବା ପାଇଁ ରାହୁଲଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ସବୁବେଳେ ରାଫେଲ୍ ଚୁକ୍ତି ବାବଦରେ ଏଣୁତେଣୁ ମିଛ ଅଭିଯୋଗ ଆଣି ସମସ୍ତଙ୍କ ସମୟ ନଷ୍ଟ କରୁଛନ୍ତି। ଏତେ ଅଭିଯୋଗ ପରେ ମଧ୍ୟ ରାଫେଲ୍ ଚୁକ୍ତିକୁ ବାତିଲ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଜେଟ୍ଲି କହିଛନ୍ତି।