ଯବାନ ନରେନ୍ଦ୍ର ସିଂହଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ବିଏସ୍‌ଏଫ୍‌ ଡିଜିଙ୍କୁ ସ୍ୱାଧୀନତା ପ୍ରଦାନ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ

ନୂଆଦିଲ୍ଲୀ: ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ହେଡ୍‌ କନେଷ୍ଟବଲ ନରେନ୍ଦ୍ର କୁମାର ସିଂହଙ୍କ ହତ୍ୟାର ପ୍ରତିଶୋଧ ନେବା ସହ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି ବିଏସ୍‌ଏଫ୍‌ ଡିଜି କେ କେ ଶର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସହିଦ୍‌ ବିଏସ୍‌ଏଫ୍‌ ଯବାନ ନରେନ୍ଦ୍ର ସିଂହଙ୍କ ହତ୍ୟାର ପ୍ରତିଶୋଧ ନେଇ ପାକିସ୍ତାନ୍‌କୁ ଉଚିତ ଶିକ୍ଷା ଦେବା ପାଇଁ ବିଏସ୍‌ଏଫ୍‌କୁ ସମସ୍ତ ସ୍ୱାଧୀନତା ମଧ୍ୟ ପ୍ରଦାନ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିଏସ୍‌ଏଫ୍‌ର ମୁଖ୍ୟ କନେଷ୍ଟବଳ ନରେନ୍ଦ୍ର ସିଂହ ଗତକାଲି ପାକ୍‌ ସେନା ଗୁଳିରେ ସହିଦ ହୋଇଥିଲେ। ତେବେ, ପାକ୍‌ ରେଞ୍ଜର୍ସର ଯବାନମାନେ ଗତକାଲି ଜମ୍ମୁର ଅନ୍ତର୍ଜାତୀୟ ସୀମା ନିକଟରେ ନରେନ୍ଦ୍ର ସିଂହଙ୍କୁ ଗୁଳି କରିବା ପରେ ଅତ୍ୟନ୍ତ ଅମାନବୀୟ ଭାବେ ତାଙ୍କ ତଣ୍ଟି କାଟି ଦେଇଦେବା ସହ ତାଙ୍କ ସାରା ଶରୀରକୁ ଏକ ଧାରୁଆ ଅସ୍ତ୍ରରେ କାଟି ପକାଇଥିଲେ।

ସୀମା ନିକଟରେ ବଢ଼ି ଯାଇଥିବା ଘାସ ସଫା କରିବାପାଇଁ ନରେନ୍ଦ୍ରଙ୍କ ସମେତ ବିଏସ୍‌ଏଫ୍‌ର ୪ ଜଣ ଯବାନ୍‌ ଗତକାଲି ଜମ୍ମୁର ରାମଗଡ଼ ସେକ୍ଟରରେ ନିୟୋଜିତ ହୋଇଥିଲେ। ତେବେ ଏହି ସମୟରେ ପାକ୍‌ ସେନା ପକ୍ଷରୁ ଅଚାନକ ଗୁଳି ଚାଳନା ହୋଇଥିଲା। ବିଏସ୍‌ଏଫ୍‌ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇ ପ୍ରବଳ ଗୁଳି ଚାଳନା କରା ଯାଇଥିଲା। ବିଏସ୍‌ଏଫ୍‌ ଯବାନମାନେ ସେଠାରୁ ଖସି ପଳାଇ ଆସିଥିଲେ। କିନ୍ତୁ ପରେ ଜଣେ ଯବାନ ନିଖୋଜ ଥିବା ଜଣାପଡ଼ିିଥିଲା। ବିଏସ୍‌ଏଫ୍‌ ପକ୍ଷରୁ ପାଖାପାଖି ୬ ଘଣ୍ଟା ପର୍ଯ୍ୟନ୍ତ ଖୋଜାଖୋଜି ପରେ ଯବାନଙ୍କର ପତ୍ତା ମିଳି ନଥିଲା। ଅନେକ ଖୋଜାଖୋଜି ପରେ ଯବାନଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରା ଯାଇଥିଲା। ଉଲ୍ଲେଖଯୋଗ୍ୟ, ଏହି ସମାନ ଘଟଣା ପରି ମଧ୍ୟ ଗତ ବର୍ଷ ମେ’ ମାସରେ ମଧ୍ୟ ଦୁଇ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ପାକ୍‌ ସେନାର ଏଭଳି ବର୍ବର କାର୍ଯ୍ୟକୁ ଭାରତ ତୀବ୍ର ନିନ୍ଦା କରଥିଲା।

ସହିଦ୍‌ ଯବାନ ନରେନ୍ଦ୍ର କୁମାର ସିଂହଙ୍କ ପୁତ୍ର ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଭେଟିବା ସହ ତାଙ୍କ ପିତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ କହିଥିଲେ। ଅନ୍ୟପକ୍ଷରେ, ବିରୋଧୀ କଂଗ୍ରେସ ମଧ୍ୟ ଏହି ଘଟଣାର ତୀବ୍ର ନିନ୍ଦା କରିଥିଲା।

ସମ୍ବନ୍ଧିତ ଖବର