ରାମ ମନ୍ଦିର ପାଇଁ ଗଠନ ହେଲା ଟ୍ରଷ୍ଟ, ଟ୍ରଷ୍ଟରେ ୧୫ ସଦସ୍ୟ, ଜଣେ ଦଳିତ

ଗ୍ରେଟର କୈଳାସରେ ‌ହେବ କାର୍ଯ୍ୟାଳୟ, ମସଜିଦ ପାଇଁ ୫ ଏକର ଜମି ଆବଣ୍ଟନ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି କେନ୍ଦ୍ର ସରକାର ଆଜି ଏକ ଟ୍ରଷ୍ଟ ଗଠନ କରିଛନ୍ତି। ଟ୍ରଷ୍ଟର ନାମ ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ରହିବ। ଦିଲ୍ଲୀର ଗ୍ରେଟର କୈଳାସ ଅଞ୍ଚଳରେ ଟ୍ରଷ୍ଟର କାର୍ଯ୍ୟାଳୟ ସ୍ଥାପନ ହେବ। ଆଜି ସଂସଦ‌େର ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାକୁ କ୍ୟାବିନେଟ ମଞ୍ଜୁରି ମିଳି ସାରିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପାଇଁ ସରକାର ୬୭.୭୦୩ ଏକର ଜମି ହସ୍ତାନ୍ତର କରିଛନ୍ତି। ଖୁବ୍‌ ଶୀଘ୍ର ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ହବାକୁ ଯାଉଛି ବୋଲି ପ୍ରଧ‌ାନମନ୍ତ୍ରୀ କହିଛନ୍ତି। ନଭେମ୍ବର ୯ରେ ସୁପ୍ରିମ କୋର୍ଟ ଅଯୋଧ୍ୟା ରାୟ ପ୍ରକାଶ କରିବା ପରେ ସମଗ୍ର ଦେଶବାସୀ ଯେଉଁ ସଂଯମ ଓ ପରିପକ୍ବତା ପ୍ରଦର୍ଶନ କରିଛନ୍ତି ସେଥିପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ସମସ୍ତେ ସହଯୋଗ ଓ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟମାନେ ‘ବସୁଧେୱ କୁଟୁମ୍ବକମ୍‌’ ନୀତିରେ ବିଶ୍ବାସ କରନ୍ତି। ସମଗ୍ର ପୃଥିବୀ ଗୋଟିଏ ପରିବାର। ଏହି ଦେଶରେ ହିନ୍ଦୁ, ମୁସ୍‌ଲିମ, ଶିଖ୍‌, ଖ୍ରୀଷ୍ଟିଆନ, ପାର୍ସୀ, ଜୈନ, ବୌଦ୍ଧ ସବୁ ଧର୍ମର ‌ଲୋକେ ଶାନ୍ତିରେ ସହବସ୍ଥାନ କରନ୍ତି। ଏଠି ହିଂସା ଓ ଅସହିଷ୍ଣୁତାର ସ୍ଥାନ ନାହିଁ। ଏଣୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଜାତି, ଧର୍ମ ନିର୍ବିଶେଷରେ ସମସ୍ତ ସହଯୋଗ କରିବାକୁ ମୋଦୀ ଆହ୍ବାନ ଜଣାଇଛନ୍ତି।

ସେହିପରି ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଉତ୍ତର ପ୍ରଦେଶ ସରକାର ସୁନ୍ନି ୱାକଫ ବୋର୍ଡକୁ ୫ ଏକର ଜମି ହସ୍ତାନ୍ତର କରିବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିରେ ମସଜିଦ ନିର୍ମାଣ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଇତିମଧ୍ୟରେ ଆଜି ସନ୍ଧ୍ୟାରେ ୟୁପି ସରକାର ଅଯୋଧ୍ୟା ଠାରୁ ୨୫ କିଲୋମିଟର ଦୂର ଧନ୍ନିପୁର ଗ୍ରାମ ନିକଟରେ ମସଜିଦ ପାଇଁ ୫ ଏକର ଜମି ଦେବାକୁ ଘୋଷଣା କରିଛନ୍ତି।

ଏହି ଟ୍ରଷ୍ଟରେ ୧୫ ଜଣ ସଦସ୍ୟ ରହିବେ ଏବଂ ଜଣେ ସଦସ୍ୟ ଦଳିତ ବର୍ଗରୁ ରହିବେ। ଟ୍ରଷ୍ଟରେ ଅଯୋଧ୍ୟା ମାମଲା ଲଢୁଥିବା ହିନ୍ଦୁ ପକ୍ଷର ବରିଷ୍ଠ ଓକିଲ କେ. ପରାସରନ୍‌, ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ବାସୁଦେବାନନ୍ଦ ସରସ୍ବତୀଜୀ ମହାରାଜ (ପ୍ରୟାଗରାଜ), ଜଗତଗୁରୁ ମାଧବାଚାର୍ଯ୍ୟ ସ୍ବାମୀ ବିଶ୍ବ ପ୍ରସନ୍ନତୀର୍ଥ ଜୀ ମହାରାଜ, ଯୁଗ ପୁରୁଷ ପରମାନନ୍ଦ ଜୀ ମହାରାଜ, ସ୍ବାମୀ ଗୋବିନ୍ଦ ଦେବ ଗିରି ଜୀ ମହାରାଜ, ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରା, ଡାକ୍ତର ଅନୀଲ ମିଶ୍ରା, କାମେଶ୍ବର ଚୌପାଲ, ମହନ୍ତ ଦିନେନ୍ଦ୍ର ଦାସଙ୍କ ସମେତ ବୋର୍ଡ ଅଫ୍‌ ଟ୍ରଷ୍ଟି ଦ୍ବାରା ହିନ୍ଦୁ ଧର୍ମରୁ ମନୋନୀତ ୨ ଜଣ ସଦସ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ମନୋନୀତ ଜଣେ ହିନ୍ଦୁ ଧର୍ମ ପ୍ରତିନିଧି, ଉତ୍ତର ପ୍ରଦେଶ ରାଜ୍ୟ ସରକାରଙ୍କ ମନୋନୀତ ଜଣେ ପ୍ରତିନିଧି, ଅଯୋଧ୍ୟା ଜିଲ୍ଲାପାଳ, ବୋର୍ଡ ଅଫ୍‌ ଟ୍ରଷ୍ଟି ଦ୍ବାରା ଜଣେ ଅଧ୍ୟକ୍ଷଙ୍କୁ ନିଯୁକ୍ତି କରାଯିବ। ଏହି ୧୫ ଜଣ ସଦସ୍ୟ ରାମ ମନ୍ଦିର ଟ୍ରଷ୍ଟରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର