ଆଗାମୀ ୨ଦିନ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରି ପାରିବେ ନାହିଁ ସୁରଜେୱାଲା: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ବିଜେପି ସାଂସଦ ହେମା ମାଳିନୀଙ୍କ ବିରୋଧରେ ଆପତ୍ତିଗନକ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା । ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ରଣଦୀପ ସୁରଜେୱାଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସୁରଜେୱାଲା ଆଗାମୀ ୨ଦିନ ନିର୍ବାଚନ ପ୍ରଚାର କରି ପାରିବେ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବିଜେପି ସାଂସଦ ହେମା ମାଳିନୀଙ୍କ ବିରୋଧରେ ସୁରଜେୱାଲା ଆପତ୍ତିଗନକ ମନ୍ତବ୍ୟ ଦେବା ପରେ ନିର୍ବାଚନ ପ୍ରଚାର ସମୟରେ ମହିଳାଙ୍କୁ ଅପମାନିତ କରିପାରିବ ନାହିଁ ବୋଲି କଂଗ୍ରେସକୁ ଚେତାବନୀ ଦେଇଥିଲେ ନିର୍ବାଚନ ଆୟୋଗ । ଏହା ସହ ରଣଦୀପ ସୁରଜେୱାଲାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ପଠାଯାଇଥିଲା। ‌ନୋଟିସ ପଠାଇବାର କିଛି ଦିନ ପରେ ଏଭଳି ଦଣ୍ଡ ଦେଇଛନ୍ତି ନିର୍ବାଚନ ଆୟୋଗ।

ନିର୍ଦ୍ଦେଶ ଅନୁଯାୟୀ, ଏପ୍ରିଲ ୧୬ ତାରିଖ ସନ୍ଧ୍ୟା ୬ଟାରୁ ୪୮ଘଣ୍ଟା ପର୍ଯ୍ୟନ୍ତ ସେ କୌଣସି ସାଧାରଣ ସଭା, ଜନସମାବେଶ, ରୋଡ୍ ସୋ, ସାକ୍ଷାତକାର ଏବଂ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ କି ପ୍ରଚାର କରିପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ, ସୋସିଆଲ ମିଡିଆରେ ବିଜେପି ପକ୍ଷରୁ ଏକ ଭିଡିଓ ସେୟାର ହେବା ପରେ ଏହି ରାଜନୈତିକ ବିବାଦ ଆରମ୍ଭ ହୋଇଥିଲା, ଯେଉଁଥିରେ ସୁରଜେୱାଲା, ହେମା ମାଳିନୀଙ୍କ ବିଷୟରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଉଥିବାର ଶୁଣିବାକୁ ମିଳିଥିଲା। ପରେ ଭିଡିଓକୁ ଏଡିଟ୍ କରି ବିଜେପି ସେୟାର କରିଥିବା ଦାବି କରିଥିଲେ ସୁରଜେୱାଲା । କିନ୍ତୁ ଭିଡିଓଟି ଅସଲି ବୋଲି ସ୍ପଷ୍ଟ ହେବା ପରେ ଏବେ ତାଙ୍କୁ ଦଣ୍ଡ ଦେଇଛି ନିର୍ବ‌ାଚନ କମିଶନ।

ସମ୍ବନ୍ଧିତ ଖବର