ଆମକୁ ମରିବାକୁ ଛାଡ଼ିଦିଅନି: ସମଗ୍ର ବିଶ୍ୱ ସାମ୍ନାରେ ଆଫଗାନିସ୍ତାନର ଦୁଃଖ ଦୁର୍ଦ୍ଦଶାର କାହାଣୀ ବଖାଣିଲେ କ୍ରିକେଟର ରସିଦ ଖାନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ତାଲିବାନ ଏଠାରେ ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀକୁ କବଜା କରୁଛି | ଏଥି ସହିତ ଆମେରିକା, ଭାରତ ସମେତ ବିଭିନ୍ନ ଦେଶ ଆଫଗାନିସ୍ତାନରୁ ନିଜ ଲୋକଙ୍କୁ ଦେଶକୁ ଫେରାଇ ଆଣୁଛନ୍ତି । ଏହି ସମୟରେ ଆଫଗାନିସ୍ତାନର କ୍ରିକେଟର ରସିଦ ଖାନ ଟ୍ୱିଟର ଯୋଗେ ବିଶ୍ୱର ନେତାମାନଙ୍କୁ ଦୁଃଖଭରା ନିବେଦନ କରିଛନ୍ତି। ରସିଦ ଟ୍ୱିଟରରେ ଅତ୍ୟନ୍ତ କୋହଭରା କଣ୍ଠରେ ନିବେଦନ କରି ଲେଖିଛନ୍ତି ଯେ ଆମକୁ ମରିବାକୁ ଛାଡିଦିଆନଯାଉ ।

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ଦୌରାତ୍ମ ବୃଦ୍ଧି ପାଉଛି। ତାଲିବାନ ଗତ ଚାରି ଦିନ ମଧ୍ୟରେ ୬ଟି ପ୍ରାଦେଶିକ ରାଜଧାନୀ ଦଖଲ କରିଛି। ଆଫଗାନିସ୍ତାନର ଅନେକ ସହରକୁ କବଜା କରିଥିବା ତାଲିବାନ ସେଠାକାର ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। ଆଉ ଏହି ଘଟଣାକୁ ନେଇ କ୍ରିକେଟର ରସିଦ ଖାନ ଟ୍ୱିଟରରେ ଲେଖିଛନ୍ତି ଯେ, ‘ବିଶ୍ୱ ନେତାମାନେ, ମୋ ଦେଶ ଅସୁବିଧାରେ ଅଛି। ହଜାର ହଜାର ଲୋକଙ୍କୁ ହତ୍ୟା କରାଯାଉଛି। ମହିଳା ଓ ଶିଶୁମାନଙ୍କୁ ହତ୍ୟା କରାଯାଉଛି।


ପ୍ରତିଦିନ ଆମ ଲୋକମାନେ ସହିଦ ହେଉଛନ୍ତି। ଘର ଏବଂ ସମ୍ପତ୍ତି ନଷ୍ଟ ହେଉଛି। ହଜାର ହଜାର ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି। ଏହି ପରିସ୍ଥିତିରେ ଆମକୁ ଏକୁଟିଆ ଛାଡନ୍ତୁ ନାହିଁ | ଆଫଗାନ ଲୋକଙ୍କୁ ହତ୍ୟାର ଶିକାର ପୂର୍ବରୁ ରକ୍ଷା କର | ଆମେ ଶାନ୍ତି ଚାହୁଁ’ |

ସମ୍ବନ୍ଧିତ ଖବର