ଜାଲ୍‌ ରେସନ୍‌ କାର୍ଡ ହଟାଇବା ପାଇଁ ରିୟଲ୍‌-ଟାଇମ୍‌ ଇ-ଡାଟାବେସ୍‌

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ରେସନ କାର୍ଡର ଏକ ରିଅଲ୍‌-ଟାଇମ୍‌ ଅନ୍‌ଲାଇନ୍‌ ଡାଟାବେସ୍‌ର ବ୍ୟବସ୍ଥା କରିବାକୁ ଯାଉଛନ୍ତି। ଏହା ଫଳରେ ଦେଶର ଯେକୌଣସି ଅଞ୍ଚଳରେ ଯଦି କେହି ହିତାଧିକାରୀ ଜାଲ୍‌ ରେସନ୍‌ କାର୍ଡ ଅଥବା ଏକାଧିକ ରେସନ୍‌ କାର୍ଡର ଉପଯୋଗ କରୁଥିବେ ତାହା ବାଛି ହୋଇଯିବ। ଏହାଦ୍ୱାରା ଦେଶର ବିଭିନ୍ନ ଅଞ୍ଚଳକୁ ଯାଇ ସେଠାରେ କାମ କରୁଥିବା ଶ୍ରମିକମାନେ ମଧ୍ୟ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ପାଇ ପାରିବେ। ତାଙ୍କର ରେସନ୍‌ କାର୍ଡ ଯେଉଁଠୁ ଇସ୍ୟୁ କରାଯାଇ ଥାଉ, ସେଥିରେ କିଛି ଯାଏ ଆସେ ନାହିଁ।

ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି ଯେ ପିଡିଏସ୍‌ ନେଟ୍‌ଓ୍ଵାର୍କର ଏକ ସମନ୍ଵିତ ପରିଚାଳନା ଜିଏସ୍‌ଟିଆଇଏନ୍‌ ଲାଇନ୍‌ ଧାରାରେ ଗଠନ କରାଯିବ। ତାହା ପର୍ଯ୍ୟାୟକ୍ରମେ ଆସନ୍ତା ମାସରୁ ଗଡ଼ି ଚାଲିବ। ପ୍ରତି ରେସନ୍‌ କାର୍ଡକୁ ସରକାର ଏକ ୟୁନିକ୍‌ ଆଇଡେଣ୍ଟିଟି ନମ୍ବର ଦେବେ। ଏହାକୁ ଆଧାର କରି ଇଣ୍ଟେଗ୍ରେଟେଡ୍‌ ଅନ୍‌ଲାଇନ୍‌ ସିଷ୍ଟମ୍‌ରୁ କାର୍ଡ ଜାରି କରୁଥିବା କର୍ତ୍ତୃପକ୍ଷ ଜାଣି ପାରିବେ ଆବେଦନକାରୀ ପୂର୍ବରୁ ଦେଶର ଅନ୍ୟ କୌଣସି ଅଞ୍ଚଳରୁ ରେସନ୍‌ କାର୍ଡ ପାଇ ସାରିଛନ୍ତି କି ନାହିଁ।

ରେସନ କାର୍ଡରେ ଆଧାର ସଂଯୋଗ କରିବା ଦ୍ୱାରା ସରକାର ଗତ ୫ ବର୍ଷ ହେଲା ପ୍ରାୟ ୨. ୭୫ କୋଟି ବେନାମି ରେସନ୍‌ କାର୍ଡ ରଦ୍ଦ କରିସାରିଲେଣି। ତଥାପି କେତେକ ରାଜ୍ୟ ଚିହ୍ନଟ କରି ପାରୁ ନ ଥିବାରୁ ସେ ଅଞ୍ଚଳରେ ଏକାଧିକ ରେସନ୍‌ କାର୍ଡଧାରୀ ଅଛନ୍ତି।

ସମ୍ବନ୍ଧିତ ଖବର