ମୋଦିଙ୍କ ଲୋକପ୍ରିୟତା ପଛରେ କ’ଣ ରହିଛି କାରଣ? କ’ଣ ପାଇଁ ମୋଦି ସାଉଁଟୁଛନ୍ତି ଏତେ ଲୋକପ୍ରିୟତା? ଜାଣନ୍ତୁ…
ଏ ସଂପର୍କରେ କ’ଣ କହେ ଗବେଷଣା ଆଧାରିତ ରିପୋର୍ଟ
ମିଚିଗାନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଭାରତର ସବୁଠାରୁ ଲୋକପ୍ରିୟ ରାଜନେତା। ଏହାକୁ ଅବଶ୍ୟ ତାଙ୍କର ଚରମ ଓ ପରମ ନିନ୍ଦୁକମାନଙ୍କୁ ସୁଦ୍ଧା ସ୍ୱୀକାର କରିବା ପାଇଁ ପଡ଼ିବ। ଏଥିରେ କୌଣସି ପ୍ରକାରର ଦ୍ୱିରୁକ୍ତି ନ ଥାଇ ପାରେ। ଭାରତରେ ଆଗରୁ ବହୁ ରାଜନେତା ଥିଲେ; ଆଉ ଏବେ ବି ଅଛନ୍ତି। କିନ୍ତୁ, ମୋଦିଙ୍କ ତୁଳନାରେ ତାଙ୍କ ପରି ଏତେଟା ଲୋପ୍ରିୟ ହେବାରେ କେହି ହେଲେ ସମର୍ଥ ହୋଇପାରି ନାହାନ୍ତି। ତେବେ, ମୋଦିଙ୍କ ଏତେ ପରିମାଣର ଲୋକପ୍ରିୟତା ପଛର ପ୍ରକୃତ କାରଣ କ’ଣ? କ’ଣ ପାଇଁ ମୋଦି ସାଉଁଟୁଛନ୍ତି ଏତେ ପରିମାଣର ଲୋକପ୍ରିୟତା? ଏସବୁ ପ୍ରଶ୍ନ ବାବଦରେ ପ୍ରାୟ ସମସ୍ତେ ଅଜ୍ଞ! ଆଉ, ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ମିଚିଗାନ୍ ୟୁନିଭର୍ସିଟି ପକ୍ଷରୁ ଏକ ଗବେଷଣା କରାଯାଇଥିଲା। ଗବେଷଣା ଶେଷରେ ଏ ସଂପର୍କରେ ଯାହା ନିର୍ଯାସ ବାହାରିଛି, ତାହା ଯେତିକି ରୋଚକ ଅନ୍ୟମାନଙ୍କ ପାଇଁ ସେତିକି ତଥ୍ୟପୂର୍ଣ୍ଣ ମଧ୍ୟ।
Sambad is now on WhatsApp
Join and get latest news updates delivered to you via WhatsApp
ୟୁନିଭରସିଟି ଅଫ୍ ମିଚିଗାନ୍ର ସ୍କୁଲ୍ ଅଫ ଇନ୍ଫରମେସନ ପକ୍ଷରୁ କରାଯାଇଥିବା ଏହି ଗବେଷଣାରୁ ଜଣାପଡ଼ିଛି ଯେ ମୋଦିଙ୍କର କଥନ ଶୈଳୀ ଏବଂ ଭାବଭଙ୍ଗୀରେ ରହିଥିବା ଥଟ୍ଟା ଓ ବିଦ୍ରୁପ ହିଁ ତାଙ୍କୁ ନେଇ ପହଞ୍ଚାଇଛି ଲୋକପ୍ରିୟତାର ଶୀର୍ଷରେ। ଏହି ଗବେଷଣାର ଭିତ୍ତିଭୂମି ରୂପେ ନିଆ ଯାଇଥିଲା ତାଙ୍କ ଟୁଇଟ୍ଗୁଡ଼ିକୁ। ଆଉ ମାଇକ୍ରୋ- ବ୍ଲଗିଂ େଓ୍ଵବସାଇଟ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ୩୬ ମିଲିୟନ୍ ଫଲୋଅର୍ସ ରହିଥିବା ଏବଂ ବିଗତ ଛଅ ବର୍ଷ ମଧ୍ୟରେ ମୋଦି ତାଙ୍କ ଟୁଇଟର୍ ହାଣ୍ଡଲିଂରୁ ୯୦୦୦ ଟୁଇଟ୍ କରିଥିବା ଜାଣିବାକୁ ମିଳିଥିଲା। ଏବଂ, ଗବେଷଣା କାଳରେ ମୋଦି କରିଥିବା ଟୁଇଟ୍ଗୁଡ଼ିକର ବ୍ୟାପକ ବିଶ୍ଳେଷଣ ଓ ତର୍ଜମା କରାଯାଇଥିଲା ବୋଲି କହିଛନ୍ତି ମୁଖ୍ୟ ଗବେଷକ ତଥା ଆସିଷ୍ଟାଣ୍ଟ ପ୍ରଫେସର ଜୟଜିତ୍ ପଲ୍।
ପଲ୍ ତାଙ୍କର ଗବେଷଣାର ସନ୍ଦର୍ଭରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା କରାଯାଇଥିବା ଟୁଇଟ୍ଗୁଡ଼ିକୁ ମୁଖ୍ୟତଃ ୯ଟି ବିଭାଗରେ ବର୍ଗୀକରଣ କରାଯାଇଥିଲା। ଆଉ ସେଗୁଡ଼ିକ ହେଲା: କ୍ରିକେଟ୍, ରାହୁଲ ଗାନ୍ଧୀ, ମନୋରଞ୍ଜନ, ବିଦ୍ରୁପ ଓ ତାତ୍ସଲ୍ୟ, ଦୁର୍ନୀତି, ବିକାଶ, ବୈଦେଶିକ ବ୍ୟାପାର, ହିନ୍ଦୁତ୍ୱ ଏବଂ ବିଜ୍ଞାନ ଓ କାରିଗରୀ କୌଶଳ। ତେବେ, ନିଜର ପ୍ରତ୍ୟେକଟି ଟୁଇଟ୍ରେ, ମୋଦି ଯେପରି ଭାବେ ଶବ୍ଦର ଚୟନ ଓ ତା’ର ବ୍ୟବହାର କରୁଥିଲେ ଏବଂ ନିଜସ୍ୱ ଶୈଳୀରେ ବେଶ୍ ତୀକ୍ଷ୍ଣ ଓ ଶାଣିତ ଭାବରେ ନିଜ ବକ୍ତବ୍ୟକୁ ଟୁଇଟ୍ ଜରିଆରେ ପରିପ୍ରକାଶ କରୁଥିଲେ, ତାହା ପ୍ରକୃତରେ ଥିଲା ଅନନ୍ୟ। ସେଥିପାଇଁ ତାଙ୍କ ଟୁଇଟର ପେଜ୍ର ଫଲୋଅର୍ସ ସଂଖ୍ୟା ଅଧିକ ରହିଥିବା ବେଳେ ତାଙ୍କର ପ୍ରତ୍ୟେକଟି ଟୁଇଟ୍ ବହୁ ମାତ୍ରାରେ ରି-ଟୁଇଟ୍ ହେଉଥିଲା।
୨୦୧୪ ସାଧାରଣ ନିର୍ବାଚନ କାଳରେ ମୋଦି, ତାଙ୍କ ଟୁଇଟ୍ ଜରିଆରେ ପ୍ରତିପକ୍ଷ ଦଳକୁ ବାକ୍ଶୂନ୍ୟ କରି ଦେଇଥିଲେ। ନିର୍ବାଚନ କାଳରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ, ଏହାର ନେତା ରାହୁଲ ଗାନ୍ଧୀ ଓ ଦୁର୍ନୀତି ଆଦି ବାବଦରେ ନିଜ ଅନ୍ଦାଜ୍ରେ ତୀକ୍ଷ୍ଣ ଓ ଶାଣିତ ଶବ୍ଦ ପ୍ରୟୋଗ କରି ଶ୍ଳେଷପୂର୍ଣ୍ଣ ଅଭିବ୍ୟକ୍ତିରେ ମୋଦି ତାଙ୍କ ଟୁଇଟ୍ରେ ସମସ୍ତଙ୍କୁ ଘାଇଲା କରୁଥିଲେ। ପ୍ରତିପକ୍ଷ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କର ମଧ୍ୟ ବହୁ ସଂଖ୍ୟାରେ ଟୁଇଟର ଫଲୋଅର୍ସ ରହିଥିଲେ ସୁଦ୍ଧା, ଶାଳୀନତାର ସମସ୍ତ ପ୍ରକାର ସୀମା ଓ ସରହଦ୍ ମଧ୍ୟରେ ରହି ତାଙ୍କୁ ‘ରାହୁଲ୍ ବାବା’; ‘ସାହେବ୍ଜାଦେ’… ଆଦି ଶବ୍ଦ ପ୍ରୟୋଗ କରି ମୋଦି ଯେପରି କଟାକ୍ଷ କରୁଥିଲେ, ତା’ ମଧ୍ୟ ତାଙ୍କୁ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଖାଲି, ଏତିକି ନୁହେଁ ନିଜ ଟୁଇଟ୍ରେ ସେ ତାଙ୍କ ନିଜ ଦଳର ନେତାମାନଙ୍କୁ ସୁଦ୍ଧା ଯେପରି ସାହସିକ ଭାବେ ଥଟ୍ଟା କରୁଥିଲେ, ତାହାକୁ ମଧ୍ୟ ବେଶ୍ ପସନ୍ଦ କରୁଥିଲେ ଲୋକେ। ତେବେ, ନିର୍ବାଚନ ପରେ ପରେ ଏ ଧରଣର ଟୁଇଟ୍ରୁ ସେ ନିଜକୁ କ୍ଷାନ୍ତ ରଖୁଥିଲେ। ଏବଂ ଭାବ ଗମ୍ଭୀର ବିଷୟବସ୍ତୁ ଏବଂ ବୈଦେଶିକ ଘଟଣାବଳୀ ଉପରେ ଅଧିକ ମାତ୍ରାରେ ଟୁଇଟ୍ କରିବାକୁ ପସନ୍ଦ କରୁଥିଲେ।
ଆଉ ଏହି ସବୁ ହିଁ, ଶାସନ କ୍ଷମତାରେ ୩ ବର୍ଷ ରହିବା ପରେ ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତି ୧୦ ଭାରତୀୟଙ୍କ ମଧରୁ ୯ ଜଣଙ୍କ ନିକଟରେ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଗବେଷକ ପଲ୍ ତାଙ୍କ ଗବେଷଣାର ନିର୍ଯାସରେ ଉଲ୍ଲେଖ କରିଛନ୍ତି।