ନୂଆଦିଲ୍ଲୀ: ଭାରତରେ ଥିବା ମୁସଲମାନମାନଙ୍କୁ ପାକିସ୍ତାନ ପଠାଇଦେବାକୁ ଅନୁରୋଧ କରି ସୁପ୍ରିମ୍ କୋର୍ଟରେ ଆଗତ ଜନସ୍ୱାର୍ଥ ମାମଲାକୁ ସୁପ୍ରିମ୍ କୋର୍ଟଙ୍କ ଏକ ଖଣ୍ଡପୀଠ ଆଜି ଖାରଜ କରିଦେବା ସହ ଆବେଦନକାରୀ ଓ ତାଙ୍କ ଓକିଲଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସୂଚନାନୁଯାୟୀ, ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଆର୍ ନରିମାନ୍ ଓ ଜଷ୍ଟିସ୍ ବିନୀତ ଶରଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ପୂର୍ବରୁ ଉଲ୍ଲେଖ ଥିବା ନିବେଦନ ପଢ଼ି ଖୁବ୍ କ୍ଷୁବ୍ଧ ହୋଇଥିଲେ। ଖଣ୍ଡପୀଠର ବରିଷ୍ଠ ବିଚାରପତି ଜଷ୍ଟିସ୍ ନରିମାନ୍ ଆବେଦନକାରୀଙ୍କ ଓକିଲଙ୍କୁ ଆବେଦନରେ ଉଲ୍ଲେଖ ଥିବା ନିବେଦନକୁ ବଡ଼ ପାଟିରେ ଅଦାଲତଙ୍କ ସମ୍ମୁଖରେ ପଢ଼ିବା ପାଇଁ କହିଥିଲେ। ତେବେ ସଂପୃକ୍ତ ଓକିଲ ତାହା ବଡ଼ ପାଟିରେ ପଢ଼ି ସାରିବା ପରେ ଜଷ୍ଟିସ୍ ନରିମାନ୍ ତାଙ୍କୁ ତୁମେ କ’ଣ ପ୍ରକୃତରେ ଏ ମାମଲା ଉପରେ ଯୁକ୍ତି ରଖିବାକୁ ଚାହୁଛ ବୋଲି ପ୍ରଶ୍ନ କରିଥିଲେ। ଏଥି ସହିତ ରାୟରେ ଓକିଲଙ୍କ ବିରୋଧରେ କଟୁ ଟିପ୍ପଣୀ ଦେବା ସହ ଭର୍ତ୍ସନା ମଧ୍ୟ କରିବେ ବୋଲି କହିଥିଲେ। ବିଚାରପତିଙ୍କ ଏ କଥା ଶୁଣି ଆବେଦନକାରୀଙ୍କ ଓକିଲ ଜଣକ ନାହିଁ କହିବା ପରେ ମାମଲାକୁ ଖଣ୍ଡପୀଠ ସେଇଠି ହିଁ ଖାରଜ କରି ଦେଇଥିଲେ। ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ପରିଚିତ ଭାରତର ମୋଟ ଜନସଂଖ୍ୟାର ୧୪.୨ ପ୍ରତିଶତ ମୁସଲମାନ ବୋଲି ଖଣ୍ଡପୀଠ ଟିପ୍ପଣୀ ମଧ୍ୟ କରିଥିଲେ।