ସାମୁଦ୍ରିକ ତୋଫାନ ‘ହଗିବିସ୍‌’ ଯୋଗୁଁ ଜାପାନରେ ୧୧ ମୃତ; ଉଦ୍ଧାର କାର୍ଯ୍ୟ ଜାରି

ଟୋକିଓ: ଶକ୍ତିଶାଳୀ ସାମୁଦ୍ରିକ ତୋଫାନ ‘ହଗିବିସ୍‌’ ପ୍ରବାହିତ ହେବା ଯୋଗୁଁ ୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ନିଖୋଜ ହୋଇଯାଇଛନ୍ତି। ପାଣିଘେରରେ ଅଟକି ରହିଯାଇଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ରବିବାର ଦିନ ଜାପାନ ସାମରିକ ବାହିନୀ ତତ୍ପର ହୋଇଉଠିଛି।

ତୋଫାନ୍‌ ଯୋଗୁଁ ଅତି ପ୍ରବଳ ବର୍ଷା ଯୋଗୁଁ ଭୟାବହ ଭୂସ୍ଖଳ ଘଟିବା ସହ ନଦୀ ସବୁ କୂଳ ଲଙ୍ଘିଛନ୍ତି। ତୋଫାନ୍‌ଜନିତ ଧ୍ୱଂସଲୀଳା ଯୋଗୁଁ ଆୟୋଜକମାନେ ରଗ୍‌ବି ବିଶ୍ୱ କପ୍‌ର ତୃତୀୟ ମ୍ୟାଚ୍‌ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି।

ରବିବାର ସକାଳ ସୁଦ୍ଧା ଉଲ୍ଲେଖଯୋଗ୍ୟ ଭାବେ ଦୁର୍ବଳ ହୋଇପଡ଼ିଥିବା ତୋଫାନ ସ୍ଥଳଭାଗରୁ ହଟି ଯାଇଥିଲେ ବି କେନ୍ଦ୍ରୀୟ ଜାପାନର ନାଗାନୋ ଠାରେ ଭୀଷଣ ବନ୍ୟା ଆସିଛି। ଚିକୁମା ନଦୀର ବନ୍ଧ ଭାଙ୍ଗିଯାଇ ଆଖପାଖ ଜନବସତି ଅଞ୍ଚଳ ମଧ୍ୟକୁ ପାଣି ପଶିଯାଇ ଘରର ଦୁଇ ମହଲା ଯାଏଁ ପାଣିରେ ଡୁବିଯାଇଛି।

ଧ୍ୟାନ ଆକର୍ଷଣ ପାଇଁ ବାଲ୍‌କୋନିରେ ଠିଆ ହୋଇ ରୁମାଲ ହଲାଉଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଜାପାନର ସେନାବାହିନୀ ଡେଲିକପ୍ଟର୍‌ ମୁତୟନ କରିଛି।

ଆକାଶରୁ ଉତ୍ତୋଳିତ ଫଟୋରେ ଦେଖାଯାଉଛି ନାଗାନୋସ୍ଥିତ ଡିପୋରେ ଗୋଳିଆ ପାଣିରେ ଅଧାବୁଡ଼ା ହୋଇ ରହିଛି ଧାଡ଼ି ଧାଡ଼ି ବୁଲେଟ୍‌ ଟ୍ରେନ୍‌।

ରବିବାର ସକାଳ ସୁଦ୍ଧା ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି ଏବଂ ଦୁଇଟି ବିମାନ ବନ୍ଦରରେ ଉଡ଼ାଣ ଆରମ୍ଭ କରାଯାଇଥିଲେ ବି ଅଧିକାଂଶ ବିମାନ ଚଳାଚଳ ବାତିଲ କରାଯାଇଛି।

ସମ୍ବନ୍ଧିତ ଖବର