ବିପତ୍ତିବେଳର ବିଡ଼ମ୍ବନା: ଯୁଗାଡ଼ ରିକ୍ସାରେ ଦିଲ୍ଲୀରୁ ଛତରପୁର ୬୦୦ କିଲୋମିଟର

ପ୍ରବାସୀ ସଙ୍କଟ ଅତି ଦୟନୀୟ, ଲୁହ ସମ୍ବରଣ କରିହେଉନି: ମାଡ୍ରାସ୍‌ ହାଇକୋର୍ଟ

ଭୋପାଲ: କରୋନା ଲକ୍‌ଡାଉନ୍‌ କାଳରେ ଜୀବିକା ହରାଇଥିବା ଶ୍ରମିକମାନେ ଘରମୁହାଁ ହୋଇଥିବା ବେଳେ ଦିଲ୍ଲୀରୁ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ନିଜ ଘରକୁ ୬୦୦ କିମି ପେଡ଼ାଲ ମାରି ଯୁଗାଡ଼ ରିକ୍ସାରେ ପହଞ୍ଚିଛି ଏକ ପରିବାର। ୫ ଦିନ କାଳ ଅକ୍ଳାନ୍ତ ପରିଶ୍ରମ କରି ବୃନ୍ଦାବନ ଅହିରୱାର ସେଇ ରିକ୍ସାରେ ହରପାଲପୁର ତହସିଲର ଦଳିତ୍‌ ଗାଆଁ ମାୱାଇୟାରେ ପହଞ୍ଚିଛନ୍ତି। ସେ ରିକ୍ସାବାଲା ନୁହନ୍ତି କି ରିକ୍ସାମାଲିକ ନୁହନ୍ତି। ବରଂ ଜଣେ ନିର୍ମାଣ ଶ୍ରମିକ ଏବଂ ରିକ୍ସାଟିକୁ ତିଆରି କରିବା ପାଇଁ ସେ ପୁରୁଣା ପାର୍ଟସ ସବୁ କବାଡ଼ିବାଲା ଠାରୁ ସଂଗ୍ରହ କରି ତାହାକୁ ଯୋ଼ଡାଯୋଡ଼ି କରି ଠିଆ କରିବା ପରେ ସେଇଥିରେ ଗାଆଁକୁ ଫେରିଛନ୍ତି। ଅସୁବିଧା ହିଁ ଉଦ୍‌ଭାବନର ବାଟ ଦେଖାଏ – ଏ କଥାକୁ ପ୍ରମାଣିତ କରିଛନ୍ତି। ସେଥିରେ ନିଜ ସ୍ତ୍ରୀ ଗୀତା, ୬ ବର୍ଷର ଝିଆ, ଦୁଇଟି ୩ ବର୍ଷରୁ କମ୍‌ ବୟସର ପୁଅ ଏବଂ ୮ ବର୍ଷର ପୁତୁରାକୁ ବୋହି ଆଣିଥିଲେ। ସେଥିରେ ଗୃହସାମଗ୍ରୀ ଥିବା ଦୁଇଟି ବଡ ଗଣ୍ଠୁଲି ମଧ୍ୟ ବୋଝେଇ ହୋଇଥିଲା। ପହଞ୍ଚିବା ପରେ ସ୍ୱାମୀଙ୍କ ଗାଡ଼ିଚାଳନାକୁ ଗୀତା ତାରିଫ କରିଛନ୍ତି। ଖରାପ ରାସ୍ତା ଗୁଡ଼ିକରେ ସେ ଭଲ ଚଲାଉଥିଲେ କହିଛନ୍ତି। ଖରା ଦାଉ ଅଧିକ ଥିବାରୁ କେବଳ ସକାଳୁଆ ଓ ରାତିରେ ସେ ଗାଡ଼ି ଚଲାଉଥିଲେ। ନିରାପଦରେ ତ ପହଞ୍ଚିଛନ୍ତି, କିନ୍ତୁ ଆଉ କେବେ ବଡ ସହରକୁ ମଜୁରି ଖଟିବାକୁ ଯିବେ ନାହିଁ ବୋଲି ସଫା ଶୁଣାଇ ଦେଇଛନ୍ତି।

ଚେନ୍ନାଇ: ପ୍ରବାସୀ ଶ୍ରମିକଙ୍କ ଦୟନୀୟ ଅବସ୍ଥା ଅନ୍ୟ କିଛି ନୁହେଁ, ଏହା କେବଳ ଏକ ମାନବୀୟ ସଙ୍କଟ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ପ୍ରବାସୀଙ୍କ ଯତ୍ନ ଏବଂ ପ୍ରବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ଉଭୟ କେନ୍ଦ୍ର ଏବଂ ତାମିଲନାଡ଼ୁ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ମାଡ୍ରାସ ହାଇକୋର୍ଟ। ପ୍ରବାସୀ ଯେଉଁ ସ୍ଥିତିରେ ଅଛନ୍ତି ସେନେଇ କି ପଦକ୍ଷେପ ଗ୍ରହଣ ହୋଇଛି ସେ ସଂକ୍ରାନ୍ତରେ ସରକାରଙ୍କୁ ପଚାରିଛନ୍ତି କୋର୍ଟ ଏବଂ ପ୍ରବାସୀ ସଙ୍କଟ ପ୍ରସଙ୍ଗରେ ତଥ୍ୟ ଦାବି କରିଛନ୍ତି। ସବୁ ରାଜ୍ୟ ପ୍ରବାସୀ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇବା ଉଚିତ୍‌ ବୋଲି ମାଡ୍ରାସ୍‌ ହାଇକୋର୍ଟର ଏନ୍‌ କିରୁବକରନ ଏବଂ ଆର ହେମଲତା କହିଛନ୍ତି। ଗତ ଗୋଟିଏ ମାସ ଧରି ପ୍ରବାସୀ ଶ୍ରମିକଙ୍କ ଦୟନୀୟ ସ୍ଥିତି ସମ୍ପର୍କରେ ଯେଉଁ ଖବର ଆସୁଛି ‌ତାହା ଦେଖିଲେ ଜଣେ ଲୁହ ସମ୍ବରଣ କରିପାରିବେନି ବୋଲି କୋର୍ଟ କହିଛନ୍ତି। ଏହା ଏକ ମାନବୀୟ ସଙ୍କଟ ବୋଲି ହାଇକୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର